ରାଜ୍ୟ ସ୍ପେଶାଲ ରିପୋର୍ଟ

ହିଂସା ଓ ଅଭାବକୁ ହରାଇଲା ହକି

ରାଉରକେଲା,(ଦେବବ୍ରତ ଗଡ଼ତିଆ): ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ମାସରେ ଆୟୋଜିତ ପୁରୁଷ ହକି ବିଶ୍ବକପ ସମୟରେ ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଖେଳ ପ୍ରତି ଭଲପାଇବା ଆଗରେ ଅର୍ଥାଭାବ ହାର୍‌ ମାନିଯାଇଥିଲା। ଅର୍ଥାଭାବ ଯୋଗୁଁ କିଛି ପୂର୍ବତନ ହକି ଖେଳାଳି, କୋଚ୍‌ ତଥା କ୍ରାଉଡ୍‌ଫଣ୍ଡିଂ କରି ବିଶ୍ବକପ୍‌ରେ ଭାଗନେଇଥିଲା ୱେଲ୍‌ସ ଦଳ। ୱେଲ୍‌ସର ଏହି ଖେଳୁଆଡ୍‌ ମନୋଭାବ ସେତେବେଳେ ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ ସମାନ ଦୃଶ୍ୟ ପରିଲକ୍ଷିତ ହୋଇଛି ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ। ଅର୍ଥାଭାବ ଯୋଗୁଁ ମଣିପୁର ଦଳ ମଧ୍ୟ ସମାନ ଢ଼ଙ୍ଗରେ ଅର୍ଥ ଯୋଗାଡ଼କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। କେବଳ ଏତିକି ନୁହେଁ, ମାସକ ପୂର୍ବେ ମଣିପୁର ଦଳ ନିଜର ଜଣେ ତାରକା ଖେଳାଳିଙ୍କୁ ହରାଇଥିବାବେଳେ ଏବେବି ସେମାନଙ୍କ ପରିବାର ହିଂସା ଭିତରେ କାଳାତିପାତ କରୁଛନ୍ତି।

ସଂପ୍ରତି ମଣିପୁର ହିଂସା ଚରମ ସୀମାରେ ପହଞ୍ଚିଛି। କିନ୍ତୁ ଏସବୁ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ମଣିପୁର ହକି ଦଳ ମେ’ ୪ରୁ ୧୪ ଯାଏ ରାଉରକେଲାରେ ଆୟୋଜିତ ଜାତୀୟ ଉପକନିଷ୍ଠ ବାଳକ ଓ ମେ’ ୧୮ରୁ ୨୮ ଯାଏ ଚାଲିଥିବା ଉପକନିଷ୍ଠ ବାଳିକା ପ୍ରତିଯୋଗିତାରେ ଭାଗ ନେଇଥିଲା। ଏବେ କିନ୍ତୁ ମଣିପୁରରେ ହିଂସା ସୀମା ଟପିଲାଣି। ଏହି ସମୟରେ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ଶିବିର ଆୟୋଜନ ବି କଷ୍ଟକର ହୋଇପଡ଼ିଥିଲା। କିନ୍ତୁ ମଣିପୁର ଦଳର କୋଚ୍‌ ନେପୋଲିଅନ ସିଂହ ଚାନମାଥବାମ ଓ ମ୍ୟାନେଜର ଥିୟାମ୍‌ ରୋଶନକୁମାର ସିଂହଙ୍କ ଅଦମ୍ୟ ସାହସ ବଳରେ ଏହାର ସମ୍ଭବ ହୋଇପାରିଛି। ବ୍ୟାପକ ହିଂସା, ପୋଡ଼ାଜଳା ଭିତରେ ଚୟନ ଶିବିର ଆୟୋଜନ ସହ ଚୂଡ଼ାନ୍ତ ଦଳ ଚୟନ କରାଯାଇଥିଲା। ଠିକ୍‌ ଏତିକିବେଳେ ଅର୍ଥାଭାବ ବିରାଟ ସମସ୍ୟାଭାବେ ଉଭା ହୋଇଥିଲା। ତେବେ ଏହାକୁ ବେଖାତିର କରି କୋଚ୍‌ ଓ ମ୍ୟାନେଜର ଅର୍ଥ ଯୋଗାଡ଼ରେ ଲାଗିପଡ଼ିଥିଲେ। ପରେ ନିଜ ପକେଟରୁ ତଥା କିଛି ଜିଲ୍ଲାସଂଘ, ପୂର୍ବତନ ହକି ଖେଳାଳି, ହକିପ୍ରେମୀଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥିଲା। ସମସ୍ତେ ମୁକ୍ତ ହସ୍ତରେ ଆର୍ଥିକ ସହାୟତା ବି ଦେଇଥିଲେ। ପରେ ଦଳର ୧୯ ଜଣ ଖେଳାଳିଙ୍କ ସମେତ ମ୍ୟାନେଜର ରୋଶନ କୁମାର, ଇମ୍ଫାଲରୁ ବିମାନରେ ବାହାରି କୋଲକାତାରେ ପହଞ୍ଚିଥିଲେ। ସେଠାରୁ ହାୱଡ଼ା ଲୋକମାନ୍ୟ ତିଲକ ଏକ୍ସ‌ପ୍ରେସ୍‌ରେ ବସି ରାଉରକେଲାରେ ପହଞ୍ଚିଥିଲେ। ଏ ବାବଦକୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ପ୍ରତିଯୋଗିତା ଆସନ୍ତା ୨୨ ତାରିଖରେ ଶେଷ ହେବାପରେ ପୁଣି ମଣିପୁର ଦଳ ନିଜ ଘର ଅଭିମୁଖେ ବାହୁଡ଼ିଯିବ। ସେତେବେଳେ ମଧ୍ୟ ଏହି ଅର୍ଥାଭାବ ଲାଗି ରହିବ। କାରଣ ଫେରିବା ପାଇଁ ପାଖରେ ଯେତିକି ଅର୍ଥ ମହଜୁଦ ରହିଛି, ତାହା ପର୍ଯ୍ୟାପ୍ତ ନୁହେଁ।

କ୍ରାଉଡ ଫଣ୍ଡିଂ କରି ଜାତୀୟ ପ୍ରତିଯୋଗିତାରେ ଭାଗନେଇଛନ୍ତି
କିଛିଦିନ ପୂର୍ବେ ହିଂସାରେ ଟଳି ପଡ଼ିଥିଲେ ଜାତୀୟ ହକି ଖେଳାଳି
ଏବେ ବି ଲାଗିରହିଛି ଫେରିବା ଚିନ୍ତା

କେବଳ ଅର୍ଥାଭାବ ନୁହେଁ, ବରଂ ଏକାଧିକ କାରଣରୁ ମଣିପୁର ଦଳ ଏବେ ମାନସିକ ଚାପ ଭିତରେ। ମଣିପୁର ହିଂସା ଥମିବାର ନାଁ ନେଉନଥିବାବେଳେ ପରିବାର ଚିନ୍ତା ସଦାସର୍ବଦା ଲାଗିରହୁଛି। ଏଥିରୁ ଖେଳାଳିଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଗତ ମେ’ ମାସରେ ମଣିପୁର ହକି ଦଳର ପୂର୍ବତନ ଖେଳାଳିଙ୍କ ସହିତ ଯେଉଁ ଅଘଟଣ ଘଟିଥିଲା, ତା’ର ଭୟ ଏଯାଏ ପିଲାଙ୍କ ମନରୁ ଯାଇନି। ପ୍ରକାଶଥାଉକି, ଗତ ମେ’ ୫ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ମଣିପୁର ଉପକନିଷ୍ଠ ବାଳକ ଦଳର ପୂର୍ବତନ ଅଧିନାୟକ ତଥା କନିଷ୍ଠ ଦଳର ଜଣେ ତାରକା ଖେଳାଳି ଲାଇସ୍ରାମ ରିଭାଲ‌େ୍‌ଡାଙ୍କୁ ହତ୍ୟା କରାଯାଇଥିଲା। ମଣିପୁରର କୋଙ୍ଗ୍‌ବା ଉଚେକୋନ ଖୁନୌରେ ଘଟିଥିଲା ଏହି ଘଟଣା। ଅନୀଲ କୁମାର ନାମକ ଜଣେ ବନରକ୍ଷୀ ମାତାଳ ଅବସ୍ଥାରେ ଫାଙ୍କା ଗୁଳିଚାଳନା କରୁଥିଲା। ଫଳରେ ଭୟଭୀତ ଅଞ୍ଚଳବାସୀ ସେଠାରେ ଏକତ୍ରିତ ହୋଇ ଯାଇଥିଲେ। ଅଭିଯୁକ୍ତ ଅନୀଲ କୁମାର ରିଭାଲ୍‌ଡୋଙ୍କ ସମ୍ମୁଖକୁ ଯାଇ ବିନା କୌଣସି କାରଣରୁ ଗୁଳି ମାରି ହତ୍ୟା କରିଥିଲା।

ଏହି ଘଟଣା ଘଟିବା ଦିନ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତା ଖେଳିବାକୁ ମଣିପୁର ଉପକନିଷ୍ଠ ବାଳିକା ଦଳ‌ ରାଉରକେଲାରେ ଉପସ୍ଥିତି ଥିଲେ। ଏତେସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦଳ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି। ମଣିପୁର ତା’ର ପ୍ରଥମ ମ୍ୟାଚ୍‌ର ଜମ୍ମୁ ଓ କଶ୍ମୀରକୁ ୧୬-୧ ଗୋଲ୍‌ରେ ପରାସ୍ତ କରିଛି। ସେହିଭଳି ଶୁକ୍ରବାର ଖେଳିଥିବା ଦ୍ବିତୀୟ ମ୍ୟାଚ୍‌ରେ ଗୁଜୁରାଟକୁ ସଂପୂର୍ଣ୍ଣ ଏକତରଫାଭାବେ ୧୯-୦ ଗୋଲ୍‌ରେ ପରାସ୍ତ କରିଛି। ଦଳ ତା’ର ଶେଷ ଲିଗ୍‌ ମ୍ୟାଚ୍‌ ଓଡ଼ିଶା ବିପକ୍ଷରେ ଖେଳିବ।

ଦଳର ସଂଘର୍ଷକୁ ନେଇ ମ୍ୟାନେଜର ରୋଶନ କୁମାର କହିଛନ୍ତି, ‘‘ଦଳ ବହୁ ବାଧାବିଘ୍ନ ପାର କରି ରାଉରକେଲାରେ ପହଞ୍ଚିଛି। ଅର୍ଥାଭାବ ଗୋଟିଏ ସମୟରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା। କିନ୍ତୁ ପୂର୍ବତନ ଖେଲାଳି, ହକିପ୍ରେମୀ, ଖୋଦ୍‌ ଖେଳାଳିଙ୍କଠାରୁ ଅର୍ଥ ଆଦାୟ କରି ଏହି ସମସ୍ୟାକୁ ଦୂର କରାଯାଇପାରିଛି। ତେବେ ଏହି ସମସ୍ୟା ପୂରା ଦୂର ହୋଇନି। ଜନ୍ମମାଟିରେ ଚାଲିଥିବା ହିଂସାକୁ ଭୁଲି ପ୍ରତିଯୋଗିତାରେ ମନୋନିବେଶ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦେଇଛୁ। କିନ୍ତୁ ଆଜିକାର ଡିଜିଟାଲ ଯୁଗରେ ଏହା ସମ୍ଭବ ହେଉନି। ତେବେ ଏହି ଦୁଃଖ ଖେଳ ପ୍ରତି ନକାରାତ୍ମକ ପ୍ରଭାବ ପକାଇପାରିନି। ପ୍ରତିଯୋଗିତାରେ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ଓ ଓଡ଼ିଶା ବିପକ୍ଷ ମ୍ୟାଚ୍‌ରେ ଆହୁରି ଉନ୍ନତ ପ୍ରଦର୍ଶନ କରିବ ବୋଲି ଆ​ମେ ଆଶାବାଦୀ।’’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।