ବାରିପଦା ୬।୬: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀ ପଲ ହାବୁଡରେ ଯୁବକ ପଡିଯାଇଥିଲେ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନରେ କାମ କରୁଥିଲେ ।
ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗି ରହିଥିବା ବେଳେ ରବିବାର ରାତି ପାଖାପାଖି ଗୋଟିଏ ବେଳେ ମହୁଲିଆ ପଟରୁ ହାତୀ ପଲ ମଞ୍ଚାବନ୍ଧା ପଟକୁ ଯାଉଥିଲେ । ସେଠାରେ ଥିବା ଏକ ଦେଶୀ ମଦ ଭାଟିରେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାତୀ କଚାଡି ମାରି ଦେଇଥିବା ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ୍ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଏହାସହ ରବିବାର ରାତିରେ ହାତୀପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଏହି ହାତୀ ପଲ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲରେ ଥିବା ସୂଚନା ମିଳିଛି ।