କଳା ଓ ସଂସ୍କୃତି ଧର୍ମ

ହାତୀପାଦ ଧରିଥିଲେ ପ୍ରଭୁ!

ମାଘପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ହେଉଥିବା ଶ୍ରୀଜଗନ୍ନାଥଙ୍କ ‘ଗଜ ଉଦ୍ଧାରଣ ବେଶ’ ଅନେକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଏହି ବେଶରେ ଶ୍ରୀଜଗନ୍ନାଥ ଗରୂଡ଼ ପୃଷ୍ଠରେ ଆସୀନ ଥାଆନ୍ତି ଏବଂ ତାଙ୍କର କୋଳରେ ଦେବୀ ଲକ୍ଷ୍ମୀ ବିରାଜମାନ କରିଥାଆନ୍ତି।

ଏହି ବେଶରେ ଦେବୀ ଲକ୍ଷ୍ମୀ କାହିଁକି ଉପସ୍ଥିତ ଥାଆନ୍ତି, ସେ ସଂପର୍କରେ ଶାସ୍ତ୍ରପ୍ରମାଣ ମିଳେ ନାହିଁ। କିନ୍ତୁ ଲୋକପ୍ରିୟ କାବ୍ୟକବିତାରେ ବର୍ଣ୍ଣିତ ଅଛି ଯେ କୁମ୍ଭୀରର ଗ୍ରାସରୁ ରକ୍ଷା କରିବାପାଇଁ ଗଜ ପ୍ରାର୍ଥନା କରିବାବେଳେ, ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀଙ୍କ ସହ ପଶାଖେଳରେ ଲିପ୍ତ ଥିଲେ। ତଥାପି ସେ ଭକ୍ତର କାତର ପ୍ରାର୍ଥନା ଶୁଣି, ସେହି ଏକାନ୍ତ ଓ ଅନ୍ତରଙ୍ଗ ପାରିବାରିକ ସ୍ଥିତି ଭିତରୁ ଗଜକୁ ଉଦ୍ଧାର କରିବାକୁ ଚାଲିଆସିଲେ। ସତରେ କେହି ଭକ୍ତ ତାଙ୍କୁ ଡାକୁଛି, ନା ନିଶ୍ଚିତ ପରାଜୟରୁ ରକ୍ଷା ପାଇବାପାଇଁ ତାହା ତାଙ୍କର ଏକ ବାହାନା, ସେ କଥା ଜାଣିବାପାଇଁ ଦେବୀ ଲକ୍ଷ୍ମୀ ବି କୁଆଡ଼େ ତାଙ୍କ ସହିତ ଆସିଥିଲେ। ଏଣୁ ଏହି ବେଶରେ ଶାସ୍ତ୍ରୀୟ ପ୍ରମାଣ ଓ ଲୋକପରମ୍ପରାର ସମନ୍ୱୟ ଘଟିଛି।

କିନ୍ତୁ ଏହି ବେଶ ପରମ୍ପରାର ନେପଥ୍ୟରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରହିଛି।

ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଗଧପାଦ ଧରିଥିଲେ ବୋଲି ‘ସାରଳା ମହାଭାରତ’ରେ ଗୋଟିଏ ଉପାଖ୍ୟାନ ଅଛି। କିନ୍ତୁ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତର ବର୍ଣ୍ଣନା ଅନୁସାରେ, ଏହି ‘ଗଜେନ୍ଦ୍ର ମୋକ୍ଷ’ ଘଟଣାରେ, ଶ୍ରୀଜଗନ୍ନାଥ ହାତୀ ବା ଗଜର ପାଦ ଧରିଥିଲେ। ଏ ସଂପର୍କରେ ଓଡ଼ିଆ ଭାଗବତକାର ବର୍ଣ୍ଣନା କରିଛନ୍ତି- ଗ୍ରାହଦ୍ୱାରା ପୀଡ଼ିତ ଗଜକୁ ଦେଖି, ଚକ୍ରହସ୍ତ ଶ୍ରୀଜଗନ୍ନାଥ ଗରୁଡ଼ ପିଠିରୁ ଓହ୍ଲାଇ ଆସି ଜଳରେ ପଶିଲେ ଏବଂ ଚକ୍ରଦ୍ୱାରା କୁମ୍ଭୀରର ଶିରଛେଦ କଲେ।

ଏହା ପରର ଘଟଣା ଅତ୍ୟନ୍ତ ଚମତ୍କାର ଓ ଭାବପୂର୍ଣ୍ଣ ଭାବରେ ବର୍ଣ୍ଣନା କରି ଓଡ଼ିଆ ଭାଗବତକାର କହିଛନ୍ତି-
କୁମ୍ଭୀର ମୁଖୁଁ ବନମାଳି। ହସ୍ତୀ ଚରଣ ହସ୍ତେ ତୋଳି ।।
ଦେଖନ୍ତି ଶୂନ୍ୟେ ଦିଗପାଳେ। ଗଜକୁ ଘେନି ବିଜେ କୂଳେ ।।
ଏଣୁ ଏହା ସୂଚାଏ, ଦୁଷ୍ଟ ଜରାସନ୍ଧକୁ ବଧ କରିବାପାଇଁ ପ୍ରଭୁ ଯେପରି ଗଧପାଦ ଧରିପାରନ୍ତି, ଭକ୍ତକୁ ବିପଦରୁ ଉଦ୍ଧାର କରିବାପାଇଁ ଭାବଗ୍ରାହୀ ପ୍ରଭୁ ସେପରି ଗଜର ପାଦ ବି ଧରିପାରନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ