ମୁମ୍ବାଇ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଚାଲିଥିବା ଶୁଣାଣିରେ ମଙ୍ଗଳବାର ଠାରୁ ନିର୍ଦ୍ଧାରିତ ତାରିଖରେ ନିଶ୍ଚିତ ହାଜର ହେବାକୁ ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡବିଧି ସଂହିତା (ସିଆର୍ପିସି) ଅନୁସାରେ ପ୍ରଜ୍ଞା ଠାକୁର ଓ ଅନ୍ୟ ୬ ଜଣ ଅଭିଯୁକ୍ତ କୋର୍ଟରେ ପ୍ରତ୍ୟକ୍ଷ ହାଜର ହୋଇ ନିଜର ବୟାନ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅକ୍ଟୋବର ୨୦୨୩ ପରଠାରୁ କୋର୍ଟ କ୍ରମାଗତ ଭାବେ ଏଥିପାଇଁ ତାରିଖ ନିର୍ଦ୍ଧାରିତ କରୁଥିଲେ ମଧ୍ୟ ଅଭିଯୁକ୍ତମାନେ ସ୍ବାସ୍ଥ୍ୟଗତ, ଗମନାଗମନ ଆଦି କାରଣ ଦର୍ଶାଇ କୋର୍ଟରେ ହାଜର ହେଉନଥିଲେ। ଫେବ୍ରୁଆରି ୨୨ ତାରିଖରେ ସ୍ବତନ୍ତ୍ର ଏନ୍ଆଇଏ କୋର୍ଟର ବିଚାରପତି ଲାହୋଟି ଏଭଳି କ୍ରମାଗତ ଭାବେ ଅନୁପସ୍ଥିତିକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ପ୍ରତି ଥର ସେମାନଙ୍କ ଅନୁପସ୍ଥିତ ଆବେଦନକୁ କୋର୍ଟ ଗ୍ରହଣ କରୁଛି। ଏହା ଦେଖାଯାଉଛି ଯେ କେତେକ ଅଭିଯୁକ୍ତ ଅନ୍ୟ ରାଜ୍ୟର ବାସିନ୍ଦା ଅଟନ୍ତି।
ଆବେଦନ କରିବା ବେଳେ ସେମାନେ ଦର୍ଶାଉଛନ୍ତି ଯେ ଶେଷ ମୁହୂ୍ର୍ତ୍ତରେ ଟିକଟ ମିଳିବାରେ ବିଳମ୍ବ ଘଟୁଛି। ଏଥିପାଇଁ ସେମାନେ କୋର୍ଟରେ ହାଜର ହୋଇପାରୁନାହାନ୍ତି। ଏଭଳି ସମସ୍ୟାର ସମାଧାନ ପାଇଁ କୋର୍ଟ ଅନେକ ପୂର୍ବରୁ ‘ହାଜିରା ତାରିଖ’ ପ୍ରଦାନ କରୁଛି। ଏଣୁ, ପରବର୍ତ୍ତୀ ସମୟରେ ଟିକଟ ମିଳିଲାନାହିଁ ବୋଲି କାରଣକୁ ଆଉ ଗ୍ରହଣ କରାଯିବ ନାହିଁ। ସେହଭଳି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରଜ୍ଞାସିଂହ ଠାକୁର ଅନୁପସ୍ଥିତ ରହିଥିଲେ। ଏହାକୁ କୋର୍ଟ ଗ୍ରହଣ କରିଛନ୍ତି ଗୋଟିଏ ଦିନ ପାଇଁ କୋହଳ କରିଛନ୍ତି। ତେବେ ଫେବ୍ରୁଆରି ୨୭ ତାରିଖ ଠାରୁ ଯେପରି ନିଶ୍ଚିତ ଭାବେ ଶୁଣାଣିରେ ହାଜର ହେବେ ସେନେଇ ବ୍ୟବସ୍ଥା କରିବେ, ନଚେତ୍ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଯଦି ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିଛି ତେବେ ସେ ମୁମ୍ବାଇରେ ରହି ଆବଶ୍ୟକ ଚିକିତ୍ସା ଗ୍ରହଣ କରିପାରନ୍ତି ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୯ ସେପ୍ଟେମ୍ବର ୨୦୦୮ରେ ମୁମ୍ବାଇ ଠାରୁ ୨୦୦ କିମି ଦୂର ମାଲେଗାଓଁର ମସଜିଦ୍ ନିକଟରେ ଏକ ବିସ୍ଫୋରକଭତ୍ମର୍ତ୍ତି ଟରସାଇକଲର ବିସ୍ଫୋରଣ ଘଟି ୬ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦୦ଜଣ ଆହତ ହୋଇଥିଲେ। ୨୦୧୧ରେ, ଏହି ମାମଲାର ତଦନ୍ତ ଦାୟିତ୍ବ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧ ସ୍କ୍ବାଡ୍ ଠାରୁ ଏନ୍ଆଇଏ ଗ୍ରହଣ କରିଥିଲା।