ହାଇଦ୍ରାବାଦ: ହାଇଦ୍ରାବାଦରେ ଗୋଟାଏ ମର୍ସିଡିଜ୍ କାର୍ ଭିତରେ ଜଣେ ନାବାଳିକା ସହିତ ତନିଚାରିଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା କଥା ପୁଲିସସୂତ୍ରରୁ ପ୍ରକାଶ। କନ୍ତୁ, ଏହି ଅପକର୍ମରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ପୁଲିସ କହିଛି।
ଜୁନ୍ ୧ ତାରିଖ ବୁଧବାର ଦିନ ଜୁବିଲି ହିଲ୍ସ୍ ଥାନାରେ ପଞ୍ଜିକୃତ ହୋଇଥିବା ଏହି ମାମଲାର ବାସ୍ତବ ତଥ୍ୟାବଳି ଯାଞ୍ଚ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଶନିବାର ଦିନ ଘଟିଛି। ରାଜ୍ୟ ରାଜଧାନୀର ଜୁବିଲି ହିଲ୍ ଅଞ୍ଚଳରେ ଥିବା ଗୋଟାଏ ପବ୍ରେ ଜଣେ ବନ୍ଧୁଙ୍କଦ୍ବାରା ଆୟୋଜିତ ପାର୍ଟିରେ ଯୋଗ ଦେଇ ସନ୍ଧ୍ୟା ପ୍ରାୟ ୫.୩୦ରେ ନାବାଳିକାଟି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲା। ଝିଅ ବେକରେ ଆଘାତ ଲାଗିଥିବା ଦେଖି ପରିବାର ଲୋକେ ପଚରାଉଚରା କରିବାରୁ ସେ ପ୍ରକୃତ କଥା କହିଥିଲା।
ପବ୍ରେ ଭେଟ ହୋଇଥିବା କେତେଜଣ ତରୁଣ ତାଙ୍କୁ ଘରେ ଛାଡ଼ି ଦେବେ ବୋଲି କହିବାରୁ ସେ ସେମାନଙ୍କ ଗାଡ଼ିରେ ଆସିଥିଲା। କାର୍ଟିକୁ ନିଛାଟିଆ ଓ ଅନ୍ଧାରିଆ ସ୍ଥାନରେ ଅଟକାଇବା ପରେ ସେଥିରେ ଥିବା ତିନିଚାରିଜଣ ତରୁଣ ଜଣକ ପରେ ଜଣେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। କିନ୍ତୁ, ସେମାନଙ୍କ ମଧ୍ୟରୁ ନାବାଳିକାଟି ମାତ୍ର ଜଣକୁ ଚିହ୍ନି ପାରୁଛି ବୋଲି ତଦନ୍ତକାରୀ ପୁଲିସ ସୂଚନା ଦେଇଛନ୍ତି।
ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ତିନି ଦିନ ତଳେ ପୁଲିସ୍ ପ୍ରଥମେ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କ ଅଭିଯୁକ୍ତଙ୍କ ବିପକ୍ଷରେ ‘ଆଇପିସି’ ଧାରା ୩୫୪ ଏବଂ ‘ପୋକ୍ସୋ ଆଇନ୍’ ଅନୁସାରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ, ଡାକ୍ତରୀ ମାଇନା ନିମନ୍ତେ ଉକ୍ତ ୧୭ ବର୍ଷୀୟ ଦୁଷ୍କର୍ମ-ପୀଡ଼ିତାଙ୍କୁ ପଠାଯିବା ପରେ ପୁଲିସ ଉକ୍ତ ମାମଲାରେ ‘ଆଇପିସି’ ଧାରା ୩୭୬ (ଗଣ ଦୁଷ୍କର୍ମ) ସଂଯୋଗ କରିଛି।