ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ବେଞ୍ଚ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ: ରିଭ୍ୟୁ ପିଟିସନ୍ ଦାଖଲ ପାଇଁ ସଜବାଜ

ହାଇକୋର୍ଟ ବେଞ୍ଚ ଦାବି ନେଇ ପ୍ରାୟ ୫୦ ବର୍ଷରୁ ଊର୍ଧ୍ବ ସମୟ ହେଲା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଛି। ଏହା କେବଳ ସମ୍ବଲପୁର ନୁହେଁ ବରଂ ଉଭୟ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ହେଉଛି। ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ ବିଭିନ୍ନ ବାର୍‌ ଆସୋସିଏସନଙ୍କ ମତ ଏବଂ ରଣନୀତି ନେଇ ସ୍ବତନ୍ତ୍ର ପ୍ରସ୍ତୁତି।

ଭୁବନେଶ୍ବର : ହାଇକୋର୍ଟ ବେଞ୍ଚ ହେବ କି ନାହିଁ ତାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ କେନ୍ଦ୍ର ସରକାରଙ୍କ ସହମତି ଉପରେ ନିର୍ଭରଶୀଳ। ସୁପ୍ରିମକୋର୍ଟ ସେହି କାର୍ଯ୍ୟ କରିବା ଠିକ ନୁହେଁ। ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି, ଆଇନଗତ ଭାବରେ ତାହା ଉପସ୍ଥାପିତ ହେବ। କାରଣ ନିୟମ ଅନୁଯାୟୀ ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ନେଇ ମତାମତ ରିପୋର୍ଟ ଦିଲ୍ଲୀକୁ ପଠାଇବେ। କେନ୍ଦ୍ର ସରକାର ରାଜି ହେଲେ ସଂସଦରେ ବିଲ ଅନୁମୋଦିତ ହେବ। ଓଡ଼ିଶା ସରକାରଙ୍କ ଚିଠି କେବଳ ପଶ୍ଚିମ ଓଡ଼ିଶା ନୁହେଁ ନିର୍ଦିଷ୍ଟ କେଉଁ ଜିଲ୍ଲାରେ ହେବ ଏଥିପାଇଁ ଆବଶ୍ୟକ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ, ଜମି ଯୋଗାଇବ ବୋଲି କହିବ। କିନ୍ତୁ ଓଡ଼ିଶା ସରକାର କେବଳ ହାଇକୋର୍ଟ ବେଞ୍ଚ ହେଉ ବୋଲି କହୁଛନ୍ତି ନିର୍ଦିଷ୍ଟ କେଉଁଠି ହେବା ଉଚିତ ତାହା ଜଣାଉ ନାହାନ୍ତି।

ଏବେ ବି ହାଇକୋର୍ଟ ବେଞ୍ଚର ନିଷ୍ପତ୍ତି କେନ୍ଦ୍ର, ରାଜ୍ୟ ସରକାର ନେଇ ପାରିବେ
ସରକାରଙ୍କ କାର୍ଯ୍ୟ ନ୍ୟାୟପାଳିକା କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କଲେ ନରସିଂହ

କିଛି ବର୍ଷ ପୂର୍ବରୁ କେଉଁ ସ୍ଥାନରେ ହାଇକୋର୍ଟ ବେଞ୍ଚ ହେବା ଉଚିତ ତାକୁ ନେଇ ପାଲ୍‌ କମିସନ ଗଠନ ହୋଇଥିଲା। ଏହି କମିସନ ତା’ର ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ବିଧାନସଭାରେ ରିପୋର୍ଟ ଉପସ୍ଥାପିତ ହେଉନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦେଶରେ ହାଇକୋର୍ଟ ବେଞ୍ଚ ନେଇ ଯଶବନ୍ତ ସିଂ କମିସନ ରିପୋର୍ଟ ପ୍ରଦାନ କରିଛନ୍ତି। ଯାହା କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ତେଣୁ ଏହାକୁ ନେଇ ସୁପ୍ରିମକୋର୍ଟ କହିପାରିବେ ନାହିଁ। ସଂସଦରେ ବିଲ୍‌ ପାସ ହେବା ପରେ କେହି ଚ୍ୟାଲେଞ୍ଜ କଲେ ସୁପ୍ରିମକୋର୍ଟ କହିବେ। ଯାହା କାର୍ଯ୍ୟନିର୍ବାହୀଙ୍କ କାର୍ଯ୍ୟ ତାହା ନ୍ୟାୟପାଳିକା କେମିତି କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି।

ରିଭ୍ୟୁ ପିଟିସନ ଦାଖଲ ହେବ: ସରୋଜ ଦାସ, ସଭାପତି, ଜିଲ୍ଲା ବାର ଆସୋସିଏସନ, କୋରାପୁଟ
ସୁପ୍ରିମକୋର୍ଟ ରାୟକୁ ସମ୍ମାନ ଦିଆଯିବ କିନ୍ତୁ ରାୟକୁ ନେଇ ଅବିଭକ୍ତ କୋରାପୁଟ ବାର୍‌ ଆସୋସିଏସନ ପକ୍ଷରୁ ଖୁବଶୀଘ୍ର ରିଭ୍ୟୁ ପିସିସନ ଦାଖଲ ହେବ। ଏଥିରେ ସରକାରଙ୍କ ଦ୍ବାରା ଗଠିତ ଯଶବନ୍ତ ସିଂ କମିସନ ଏବଂ ପାଲ କମିସନ ରିପୋର୍ଟ ବିଚାର କରିବାକୁ ଅନୁରୋଧ କରାଯିବ। ରାଜ୍ୟ ସରକାର ହିଁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କରିବା କଥା କହିଥିଲେ। ତେଣୁ ସରକାରଙ୍କ ପକ୍ଷରୁ ମଧ୍ୟ ରିଭ୍ୟୁ ପିଟିସନ କିଭଳି ଫାଇଲ ହେବ ତାକୁ ନେଇ ଚାପ ସୃଷ୍ଟି କରାଯିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ନିର୍ଦେଶରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି କିନ୍ତୁ ଦାବି ଜାରି ରହିବ।

ବୈଠକ ପରେ ରଣନୀତି ପ୍ରସ୍ତୁତ ହେବ: କପିଳା ପଟ୍ଟନାୟକ, ସଭାପତି, ଗଞ୍ଜାମ ବାର୍‌ ଆସୋସିଏସନ
ହାଇକୋର୍ଟ ବେଞ୍ଚ ନେଇ ସୁପ୍ରିମକୋର୍ଟର ରାୟ ପରେ କ’ଣ ନିଷ୍ପତ୍ତି ନିଆଯିବ ତାକୁ ନେଇ ବାର ଆସୋସିଏସନ ପକ୍ଷରୁ ବୈଠକ ପରେ ହିଁ ମତାମତ ଦିଆଯିବ। ବର୍ତ୍ତମାନ କହିବା ଠିକ୍ ହେବ ନାହିଁ।

ସୁପ୍ରିମକୋର୍ଟ କାହିଁକି ଏମିତି ରାୟ ଦେଲେ?: ସୁବ୍ରତ ବହିଦାର, ଭବାନୀପାଟନା ବାର୍‌ ଆସୋସିଏସନ
ହାଇକୋର୍ଟ ବେଞ୍ଚ ନେଇ ଆଜି ପର୍ଯ୍ୟନ୍ତ ଭବାନୀପାଟନା ବାର୍‌ ଆସୋସିଏସନ ଅହିଂସାତ୍ମକ ଭାବରେ ଲଢ଼େଇ ଲଢ଼ି ଆସିଛି। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଯେଉଁ ରାୟ ଦେଲେ ସେଥିରେ ଆମେ ମଧ୍ୟ ପ୍ରଭାବିତ ହେବୁ। ରାୟଟି ଠିକ ହେଲା ନାହିଁ ବୋଲି ମନେ ହେଉଛି। ଆଜି ପର୍ଯ୍ୟନ୍ତ କଟକକୁ ଯାଇ ନ୍ୟାୟ ପାଇବା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସହଜ ନୁହେଁ। ବର୍ତ୍ତମାନ ଡିଜିଟାଇଜେସନ କଥା ଯାହା କୁହାଯାଉଛି ତାହା ପ୍ରକୃତରେ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବା ନେଇ ବି ସନ୍ଦେହ ରହିଛି। ତା’ଛଡ଼ା ନ୍ୟାୟାଳୟ ଯାଇ ଲଢ଼େଇ କରିବା ଏବଂ ଭିଡିଓ କନଫରେନ୍ସିଂରେ ହାଜର ହେବାରେ ଆକାଶ ପାତାଳ ତଫାତ୍ ରହିଛି।

ରିଭ୍ୟୁ ପିଟିସନ ଦାଖଲ ହେବ: ଅଶୋକ ଦାସ, ଆବାହକ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି
ସୁପ୍ରିମକୋର୍ଟଙ୍କ ରାୟ ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ଆଉ ଥରେ ପ୍ରସ୍ତୁତି ପାଇଁ ସୁଯୋଗ ସୃଷ୍ଟି କଲା। କିନ୍ତୁ ଯାହା ମନେ ହେଉଛି ତାଙ୍କୁ ଅନେକ ବିଷୟରେ ଉପଯୁକ୍ତ ତଥ୍ୟ ଦିଆଯାଇ ନାହିଁ। ଏଥିଯୋଗୁଁ ଏହା ବାସ୍ତବତା ଠାରୁ ଦୂରେଇ ଯାଉଛି। ରାୟର ଅନେକ ବିନ୍ଦୁରେ ବିରୋଧାଭାଷ ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ଯଦି ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ତେବେ ପ୍ରତ୍ୟେକ ଜିଲ୍ଲାରେ ହଲ୍‌ କରି ହାଇକୋର୍ଟ ସହିତ ଅନଲାଇନ ସଂଯୋଗୀକରଣ କରିବା ନେଇ କାହିଁକି କୁହାଯାଇଛି। ପ୍ରଯୁକ୍ତି ବିକାଶ କଥା ଯାହା କୁହାଯାଏ ବାସ୍ତବତା ତାହା କି? ଗ୍ରାମାଞ୍ଚଳ ଅବସ୍ଥା ନ କହିବା ଭଲ। ସହରରେ ମଧ୍ୟ ଅନେକ ସମୟରେ ଇଣ୍ଟରନେଟ୍‌ର ସଂଯୋଗ ଠିକ ଭାବରେ ରହୁ ନାହିଁ। ଭିସିରେ ହାଜର ହେବାକୁ ହେଲେ ଓକିଲମାନେ କେତେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତାହା ଭୁକ୍ତଭୋଗୀ ହିଁ କହିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ସିଏସି ନେତାମାନେ ଜେଲରେ ଅଛନ୍ତି, ସେମାନେ ବାହାରିବା ପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ତେବେ ସୁପ୍ରିମକୋର୍ଟର ରାୟ ଊପରେ ରିଭ୍ୟୁ ପିଟିସନ ଦାଖଲ କରାଯିବା ନେଇ ବର୍ତ୍ତମାନ ଚିନ୍ତା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।