ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ଛାଟ: କୁକୁର ବନ୍ଧ୍ୟାକରଣ ବନ୍ଦ; ପ୍ରଜନନ ଋତୁରେ କୁକୁର ହାଉଯାଉ

ଭୁବନେଶ୍ବର : ଭୁବନେଶ୍ବରର ରାସ୍ତାଘାଟରେ ଏବେ ବୁଲା କୁକୁରଙ୍କର ରାଜ୍‌ ଚାଲିଛି। ସହରରେ ଏମିତି ଅସଂଖ୍ୟ ଗଳି ଓ ଛକ ରହିଛି, ଯେଉଁବାଟେ ଯିବା ଆସିବା କଷ୍ଟକର ହୋଇ ପଡ଼ିଛି। ଏହି ସମସ୍ୟା ଆଗକୁ ସଙ୍ଗିନ ହେବାକୁ ଯାଉଛି। କାରଣ ଭୁବନେଶ୍ବରରେ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଛି। କାରଣ ରାଜ୍ୟରେ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କାର୍ଯ୍ୟକ୍ରମରେ ବାଜିଛି ହାଇକୋର୍ଟଙ୍କ ଛାଟ। ଆସନ୍ତା ଶୁଣାଣି (ଅଗଷ୍ଟ ୩୧) ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଆଦେଶ ଦେଇଛନ୍ତି। ଏହାର ପ୍ରଭାବ ଭୁବନେଶ୍ବରରେ ଚାଲିଥିବା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଉପରେ ପଡ଼ିଛି। ଅନ୍ୟପକ୍ଷରେ ଏବେ କୁକୁରଙ୍କର ପ୍ରଜନନ ଋତୁ ଚାଲିଛି। ଥରେ କୁକୁର ଗର୍ଭବତୀ ହୋଇଗଲେ ଆଉ ବଂଶ ବୃଦ୍ଧି ରୋକିବା ସମ୍ଭବ ହେବନାହିଁ। ବିଏମ୍‌ସିର ହିସାବ ମୁତାବକ ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଛନ୍ତି ବା ସଂଖ୍ୟା ବଢ଼ୁଛି। ଦିନକୁ ୩୦ ହିସାବରେ ବର୍ଷକୁ ପ୍ରାୟ ୧୧ ହଜାର କୁକୁରଙ୍କୁ ବନ୍ଧ୍ୟାକରଣ କରା ଯାଉଛି। ଏବେ ଏହି ୩ ହଜାର କୁକୁର ବଢ଼ିଗଲେ ଏହି କାର୍ଯ୍ୟକ୍ରମ ୪ ମାସ ପଛକୁ ଚାଲିଯିବ। କେବଳ କାର୍ଯ୍ୟକ୍ରମ ପଛାଇବ ନାହିଁ, ଯେଉଁ ଅନୁପାତରେ କୁକୁର ରାସ୍ତାଘାଟରେ ଆତଙ୍କରାଜ ଚଳାଇଛନ୍ତି, ସେମାନଙ୍କର ଉତ୍ପାତ ଆହୁରି ବଢ଼ିବାର ଆଶଙ୍କା ରହିଛି।

ଅନ୍ୟପଟେ କୁକୁରଙ୍କ ସଂଖ୍ୟା ବଢ଼ିବା ସହ ସମସ୍ୟା ବଢ଼ି ବଢ଼ି ଚାଲୁଥିବାରୁ ଦିନକୁ ୨୦୦ କୁକୁର ବନ୍ଧ୍ୟାକରଣ କରିବା ଯୋଜନା ରହିଛି। ଏଣୁ ବିଏମ୍‌ସି ମଞ୍ଚେଶ୍ବରରେ ଥିବା କର୍ମଜୀବୀ ମହିଳା ‌ହଷ୍ଟେଲ୍‌ରେ କୁକୁର ଅପରେସନ କରିବାକୁ ଯୋଜନା କରିଛି। କେବଳ ଯୋଜନା କରିନାହିଁ, ଏହାର ପୁନରୁଦ୍ଧାର କରୁଛି। ୧୦ରୁ ଊର୍ଦ୍ଧ୍ବ ବର୍ଷ ହେବ ବନ୍ଦ ଥିବା ଏହି ହଷ୍ଟେଲ୍‌କୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହେବା ପରେ ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି। ଏଥିରେ ୩୬ଟି କୋଠରି ରହିଛି। ସେଥିରେ କେନେଲ୍‌, ଅପରେସନ ଥିଏଟର ଏବଂ ଅପରେସନ ପୂର୍ବରୁ ଓ ପରେ କୁକୁରଙ୍କ ବିଶ୍ରାମାଗାର ପ୍ରସ୍ତୁତ କରାଯାଇଛି। ଏହା ପ୍ରସ୍ତୁତ ହେଲେ ଦିନକୁ ୨୦୦ କୁକୁର ବନ୍ଧ୍ୟାକରଣ ହେବା ସହ ୩ବର୍ଷ ମଧ୍ୟରେ ଭୁବନେଶ୍ବରରେ ସମସ୍ତ କୁକୁରଙ୍କର ବନ୍ଧ୍ୟାକରଣ ହେବା ଯୋଜନା ରହିଥିଲା। କିନ୍ତୁ ଏହି ହାଇକୋର୍ଟଙ୍କ ଛାଟ ପରେ ଏସବୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ଏକ ହିସାବ ଅନୁସାରେ, ଏବେ ଭୁବନେଶ୍ବରରେ ୬୦ ହଜାର କୁକୁର ଅଛନ୍ତି। ଗ୍ଲୋବାଲ୍‌ ଟେଣ୍ଡର ଜରିଆରେ ମହାରାଷ୍ଟ୍ରର ‘ଭେଟ୍‌ ଫର ଆନିମଲ୍ସ’ ସଂସ୍ଥା ଚୟନ କରାଯାଇ ତା’କୁ ବନ୍ଧ୍ୟାକରଣ ଦାୟିତ୍ବ ଦିଆ ଯାଇଛି। ପୂର୍ବରୁ କୁକୁର ପିଛା ୫୦୦ ଟଙ୍କା ଖର୍ଚ୍ଚ ରହିଥିଲା। କିନ୍ତୁ କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ, ଟିକାକରଣ, ୩ ଦିନ ଧରି ଯତ୍ନ ନେବା, ପୁଣି ନେଇ ଧରା ଯାଇଥିବା ଜାଗାରେ ଛାଡ଼ିବା ସମ୍ଭବ ହେଉନହେବାରୁ ‘ଆନିମଲ୍‌ ୱେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ’ କୁକୁର ପିଛା ୧୬୫୦ ଟଙ୍କା ସ୍ଥିର କରିଥିଲା। ଗତ ଏପ୍ରିଲ ମାସରୁ ଏହି କାମ ଆରମ୍ଭ ହୋଇଥିଲା।

Image Courtesy of Oneindia

କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ତଦାରଖ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହେବା କଥା। କିନ୍ତୁ ଏହି କମିଟି ଗଠନ ନ କରି ସରକାର ଗ୍ଲୋବାଲ୍‌ ଟେଣ୍ଡର ଜରିଆରେ ସଂସ୍ଥା ଚୟନ କରି ସାରା ରାଜ୍ୟରେ କୁକୁର ବନ୍ଧ୍ୟାକରଣ ଆରମ୍ଭ କରି ଦେଇଥିଲେ। ଏ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ମାମଲାର ବିଚାର କରି ହାଇକୋର୍ଟ ସରକାରଙ୍କୁ ନୋଟିସ୍‌ କରିଥିଲେ। ଗତ ୨୧ ତାରିଖରେ ଏହାର ଶୁଣାଣି ଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରା ନଯାଇ ସମୟ ମାଗିବାରୁ ପରବର୍ତ୍ତି ଶୁଣାଣି ଅଗଷ୍ଟ ୩୧ ତାରିଖରେ ରହିଛି। ଅର୍ଥାତ୍‌ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ ରହିବା ସ୍ପଷ୍ଟ ହୋଇଛି।

ଏଣେ ବନ୍ଧ୍ୟାକରଣ କରୁଥିବା ସଂସ୍ଥା(ଭେଟ୍‌ ଫର ଆନିମଲ୍ସ) ଦିନକୁ ୩୦ କୁକୁର ହିସାବରେ ମାସକୁ ୯୦୦ କୁକୁର ପାଇଁ ୧୪ ଲକ୍ଷ ୮୫ ହଜାର ଟଙ୍କା ନେଉଛି। ବନ୍ଧ୍ୟାକରଣ ବନ୍ଦ ହେବା ମାସେ ପୂରିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦୁଇମାସ ହୋଇଯିବ। ଅର୍ଥାତ୍‌ ଦୁଇମାସରେ ସଂସ୍ଥା ୨୮ ଲକ୍ଷ ହରାଇବ। ଏଥିରେ ନିୟୋଜିତ ଡାକ୍ତର, କର୍ମଚାରୀ, ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବା ସଂସ୍ଥା ପକ୍ଷରେ ଅସମ୍ଭବ ହୋଇପଡ଼ିବ। ଏଣୁ ଏହି କାର୍ଯ୍ୟକ୍ରମ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପୂର୍ବରୁ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। କେବଳ କୁକୁର ବନ୍ଧ୍ୟାକରଣ ନୁହେଁ, ରାସ୍ତାରୁ ବୁଲାଗୋରୁ ଓ ଷଣ୍ଢଙ୍କୁ ବିଏମ୍‌ସି ଉଠାଇ ନେଇ ଗୋ’ଶାଳାରେ ରଖୁଛି। ଏଥିରେ ପଶୁମାନଙ୍କ ପ୍ରତି ଅତ୍ୟାଚାର ହେଉଥିବା ଅଭିଯୋଗ କରି ଏକ ସଂସ୍ଥା କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। ଏଣୁ ଏହି ବୁଲାଗୋରୁ ଗୋ’ଶାଳାକୁ ନେବା ବନ୍ଦ ହେବା ଆଶଙ୍କା ରହିଛି। ଏଭଳି ହେଲେ କୁକୁର ଓ ବୁଲାଗୋରୁ ସହରରେ ଆତଙ୍କ ଖେଳାଇବାର ଭୟ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।