ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ୱାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାରକ୍ଷମ କରିଛନ୍ତି ନମିତା

ବାଲେଶ୍ବର, (କବିତା ପାତ୍ର): ରେମୁଣା ବ୍ଲକ୍‌ କୁଳିଗାଁ ପଞ୍ଚାୟତ ଗାଞ୍ଜିଆ ଗ୍ରାମର ନମିତା ପାତ୍ର (୫୦)। ଦେଶୀ ମାଛ ଯାଆଁଳ ଚାଷ କରିବା ସହ ଗୋପାଳ କରି ଜିଲ୍ଲା ତଥା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନମିତା ଖାଲି ନିଜେ ସ୍ବାବଲମ୍ବୀ ହୋଇନାହାନ୍ତି, ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବାଲେଶ୍ବର ଜିଲ୍ଲାର ଶ୍ରେଷ୍ଠ ମାଛ ଯାଆଁଳ ଚାଷୀ ଭାବେ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ସେହିପରି ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବାଲେଶ୍ବର ଜିଲ୍ଲାରେ ‌ସେ ଶ୍ରେଷ୍ଠତ୍ବ ହାସଲ କରିଛନ୍ତି ଏବଂ ପୁରସ୍କୃତ ହୋଇଛନ୍ତି। ସେ କୁକୁଡ଼ା, ବତକ ଓ ପରିବା ଚାଷ ବି କରୁଛନ୍ତି। ନମିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇଯାଇଛନ୍ତି।

ନମିତା ୧୦ ଏକର ଜମିରେ ଦେଶୀ ମାଛ ଯାଆଁଳ ଚାଷ କରି ଦୁଇ ବର୍ଷ ଭିତରେ ବେଶ୍‌ ସଫଳ ହୋଇଛନ୍ତି। ପୋଖରୀରେ ଭାକୁର, ମିରିକାଳି, କଉ, ସାଇପ୍‌ନାସ ଆଦି ୧୦ ପ୍ରକାର ମାଛ ଯାଆଁଳ ଚାଷ କରୁଛନ୍ତି। ଯେଉଁ ଚାଷୀମାନେ ତାଙ୍କର ଯାଆଁଳ ନେଇ ମାଛ ଚାଷ କରୁଛନ୍ତି, ସେମାନେ ବେଶ୍‌ ଲାଭବାନ ହେଉଥିବା ନମିତା କହନ୍ତି। ନମିତାଙ୍କ ଅଧୀନରେ ୭ ଜଣ ଲୋକ କାମ କରୁଛନ୍ତି। ସେମାନଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା କରିବା ସହ ମାସକୁ ୯ ହଜାର ଟଙ୍କା ଦରମା ଦେଉଛନ୍ତି।

ନିଜର ୯ଟି ପୋଖରୀରେ ଦେଶୀ ମାଛ ଯାଆଁଳ ଚାଷ କରି ବାଲେଶ୍ବର ସହିତ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଚାଷୀଙ୍କୁ ବିକ୍ରି କରୁଛନ୍ତି। ଖାଲି ମାଛ ଯାଆଁଳ ନୁହେଁ, ୨୦ଟି ଗାଈ ରଖି ପ୍ରତିଦିନ ୧୦୦ ଲିଟର ପାଖାପାଖି କ୍ଷୀର ବିକ୍ରି କରୁଛନ୍ତି। ସେହିପରି ଦେଶୀ କୁକୁଡ଼ା ଓ ବତକ ମଧ୍ୟ ରଖିଛନ୍ତି। ପରିବା ଚାଷ ଓ ଫୁଲ ଚାଷ ବି କରୁଛନ୍ତି। ଅଧା ଏକର ଜାଗା‌ରେ ନମିତା କୋବି, ବାଇଗଣ, ଲଙ୍କା, ଅମୃତଭଣ୍ଡା, ବିଲାତି, କଦଳୀ ଆଦି ଚାରା ତିଆରି କରି ଚାଷୀଙ୍କୁ ଯୋଗାଉଛନ୍ତି।

ନମିତା ଉଚ୍ଚ ଶିକ୍ଷିତା (ଓଡ଼ିଆରେ ସ୍ନାତକୋତ୍ତର)। ହେଲେ ସ୍ବାବଲମ୍ବୀ ହେବା ପାଇଁ ସେ ଚାଷ କରିବାକୁ ମନବଳାଇଥିଲେ। ପରିବାର କହିଲେ ସ୍ବାମୀ ମନୋରଂଜନ ପାତ୍ର, ଜଣେ ପୁଅ ଓ ଜଣେ ଝିଅ। ସ୍ବାମୀ ତାଙ୍କୁ ଚାଷରେ ସହଯୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଜିଲ୍ଲା ମତ୍ସ୍ୟ ବିଭାଗ ଜରିଆରେ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଋଣ କରି ସେ ଚାଷ ଆରମ୍ଭ କରିଥିଲେ। ଚାଷ କରି ବେଶ୍‌ ଖୁସି ଥିବା ନମିତା କହିଛନ୍ତି। ତିନିଦିନ ତଳେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ସ୍ମୃତିରଂଜନ ପ୍ରଧାନ ବାଲେଶ୍ବର ଗସ୍ତରେ ଆସି ନମିତାଙ୍କ ଚାଷ ଦେଖିଥିଲେ ଏବଂ ପ୍ରଶଂସା କରିଥିଲେ। ସେହିପରି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମଧ୍ୟ ନମିତାଙ୍କୁ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ ୫୦ ଲକ୍ଷ ଟଙ୍କା ଋଣ କରି କୁଣ୍ଡ ମାଛ ଚାଷ କରିବାକୁ ଯୋଜନା ରଖିଥିବା ନମିତା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।