ରାଜ୍ୟ

ସ୍ମୃତିର ସ୍ବାକ୍ଷର: ଆଜି ବି ଝୁରୁଛି ରାମକୃଷ୍ଣକୁଟୀର

ସେ ଥିଲେ କଟକମାଟିର ସନ୍ତାନ। ମାଟ୍ରିକ ପାସ୍ କରିବା ପର୍ଯ୍ୟନ୍ତ ସେ ଏହି ମାଟିର ପାଣିପବନରେ ଖେଳି ବୁଲି ଛୋଟରୁ ବଡ଼ ହୋଇଥିଲେ। କେବଳ ତାଙ୍କର ‌ଶିକ୍ଷା ଜୀବନର ମୂଳଦୁଆ ଏଇ ମାଟିରୁ ପଡି ନଥିଲା, ସମାଜସେବା, ଆଧ୍ୟାତ୍ମିକ ତଥା ଦେଶପ୍ରେମ ବି ତାଙ୍କୁ ଶିଖାଇଥିଲା ଏହି ମାଟି। ସୁଭାଷ ଚନ୍ଦ୍ର ବୋଷରୁ ନେତାଜୀ ସୁଭାଷ ହେବାର ଲମ୍ବା ଯାତ୍ରା ଭିତରେ ତାଙ୍କ ଜୀବନର ଅନେକ ଘଟଣାର ସାକ୍ଷୀ ଆଉ ସ୍ମୃତି ହୋଇ ରହିଛି କଟକ। ନେତାଜୀଙ୍କ ଜୟନ୍ତୀରେ ତାଙ୍କ ସ୍ମୃତି ସ୍ବାକ୍ଷରର କିଅଦଂଶ…।

ଆଜି ବି ଝୁରୁଛି ରାମକୃଷ୍ଣକୁଟୀର
କଟକରେ ନେତାଜୀଙ୍କ କିଶୋର ଅବସ୍ଥାର ରହଣି ମଧ୍ୟରେ ସହରର ବଙ୍ଗାଳିସାହିରେ ଥିବା ରାମକୃଷ୍ଣ କୁଟୀର ସହିତ ତାଙ୍କର ଥିଲା ଏକ ସ୍ବତନ୍ତ୍ର ସମ୍ପର୍କ। ରାମକୃଷ୍ଣ ସେବକ ସମ୍ପ୍ରଦାୟ ଦ୍ବାରା ବଙ୍ଗାଳି ସାହିରେ ୧୯୦୩ରେ ଏହା ନିର୍ମାଣ ହୋଇଥିଲା। ଏଠାରେ ଗରିବ ମେଧାବୀ ଛାତ୍ରଙ୍କୁ ରଖି ପାଠ ପଢାଯାଉଥିଲା। ଛାତ୍ର ଅବସ୍ଥାରେ ନେତାଜୀ ଏଠାକୁ ସବୁ ସମୟରେ ଆସୁଥିଲେ। ବାପା ଜାନକୀନାଥ ବୋଷ ଦେଉଥିବା ପକେଟ୍‌ ଖର୍ଚ୍ଚରୁ ଛାତ୍ରାବାସ‌ର ଅନ୍ତେବାସୀଙ୍କୁ ପଢାବହିରୁ ଆରମ୍ଭ କରି ଖାଦ୍ୟ ପରି ବିଭିନ୍ନ ବିଷୟରେ ସାହାଯ୍ୟ କରୁଥିଲେ। ଏପରକି କୁଟୀର ପରିଚାଳନା ଓ ଉନ୍ନତି ପାଇଁ ଅନ୍ତେବାସୀଙ୍କ ଦ୍ବାରା କରାଯାଉଥିବା ମୁଷ୍ଟି ଭିକ୍ଷାରେ ନେତାଜୀ ଅଂଶଗ୍ରହଣ କରୁଥିଲେ। ଘରକୁ ଘର ବୁଲି ସେ ଅନ୍ତେବାସୀଙ୍କ ସହ ମିଶି କୁଟୀର ପାଇଁ ମୁଷ୍ଟି ଭିକ୍ଷା କରୁଥିଲେ। ଜାନକୀନାଥ ବୋଷ କୁଟୀରର ସଭାପତି ଥିଲେ। ଏବେ କୁଟୀରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୪୫ଜଣ ଛାତ୍ର ରହି ସହରର ବିଭିନ୍ନ କଲେଜରେ ପାଠ ପଢୁଛନ୍ତି। ଶହେ ୨୧ ବର୍ଷର ଏହି ଅନୁଷ୍ଠାନ ୨୨ଶହରୁ ଅଧିକ ଛାତ୍ରଙ୍କ ଜୀବନ ଗଠନରେ ବିଶେଷ ସହାୟକ ହୋଇଥିବାର ଏହାର ତତ୍ତ୍ବାବଧାରକ ସୁଭାଷ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଶୂନ୍ୟତାରେ ଭରି ରହିଛି ନେତାଜୀ ପ୍ରକୋଷ୍ଠ
ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପଞ୍ଚମରୁ ଏଚ୍‌ଏସ୍‌ସି ସାର୍ଟିଫିକେଟ ପର୍ଯ୍ୟନ୍ତ ପଢିଥିଲେ। ସ୍କୁଲର ଛାତ୍ରାବାସରେ ନେତାଜୀ ରହି ଏଠାରେ ପଢୁଥିଲେ। ଛାତ୍ରାବାସର ପ୍ରକୋଷ୍ଠ ନମ୍ବର ୧୧ରେ ନେତାଜୀ ରହୁଥିଲେ। ଏବେ ଛାତ୍ରାବାସଟି ବନ୍ଦ ଥିବା ବେଳେ ୧୧ ନମ୍ବର ପ୍ରକୋଷ୍ଠରେ ନେତାଜୀ ବ୍ୟବହାର କରୁଥିବା ଖଟ, ଟେବୁଲ ଓ ଚୌକି ରହିଛି। ଏହା ମଧ୍ୟରେ ନେତାଜୀଙ୍କ ଏକ ବଡ ତୈଳଚିତ୍ର ମଧ୍ୟ ରଖାଯାଇଛି। ପୂର୍ବରୁ ସ୍କୁଲର ଯେଉଁ ଛାତ୍ର ଭଲ ପଢୁଥିଲେ ତାଙ୍କୁ ଏହି କଠୋରୀରେ ରହିବାର ସୁଯୋଗ ଦିଆଯାଉଥିଲା। ଏବେ ସ୍କୁଲ ଛାତ୍ରାବାସ ବନ୍ଦ ଥିବା ବେଳେ କୋଠ‌ରୀଟି ଶୂନ୍ୟତାରେ ଭରି ରହିଛି।


‘ସୁଭାଷଙ୍କ ଅନ୍ତର୍ଦ୍ଧାନର କାହାଣୀ’
ନେତାଜୀ ଜୟନ୍ତୀ ଅବସରରେ ଆସନ୍ତାକାଲି ନେତାଜୀଙ୍କ ଜୀବନି ଉପରେ ବଙ୍ଗାଳିରୁ ଓଡ଼ିଆରେ ଅନୁବାଦ ହୋଇଥିବା ପୁସ୍ତକ ‘ସୁଭାଷଚନ୍ଦ୍ରଙ୍କ ଅନ୍ତର୍ଦ୍ଧାନର କାହାଣୀ’କୁ ଉନ୍ମୋଚନ କରାଯିବ। ଉତ୍ତମ ଚାନ୍ଦଙ୍କ ବଙ୍ଗଳା ରଚନାକୁ ଡକ୍ଟର ବିଜୟିନୀ ସିଂହଦେଓ ଓଡ଼ିଆରେ ଅନୁବାଦ କରିଛନ୍ତି। ଉକ୍ତ ପୁସ୍ତକରେ ନେତାଜୀ ଭାରତ ଛାଡି ଜର୍ମାନ ଯିବା ପୂୂର୍ବରୁ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ବିଷୟ ଏଥିରେ ଉଲ୍ଲେଖ ରହିଛି। ଭାରତ ଛାଡିବା ପୂର୍ବରୁ ଇଂରେଜ ଶାସକଙ୍କ ଠାରୁ ନିଜକୁ ଲୁଚାଇ ରଖିବା ପାଇଁ ସେ କିପରି ବେଶ ବଦଳାଇ ଜଣଙ୍କ ଘରେ ଦେଢ ମାସ ଲୁଚିକି ରହିବା, ଦେଶ ଛଡ଼ିବା ସମୟରେ ନେତାଜୀ କିପରି ଝଡତୋଫାନରେ ଟ୍ରକ ଉପରେ ବସି ଯାଇଥିଲେ, ସେ ସବୁ ବିଷୟର ଉଲ୍ଲେଖ ରହିଛି। ବଙ୍ଗଳାରେ ରଚିତ ଉକ୍ତ ପୁସ୍ତକକୁ ‌ଡକ୍ଟର ସିଂହଦେଓ ଗୋପାଳ ଘୋଷଙ୍କ ଠାରୁ ପାଇଥିଲେ। ଏହା ପୂର୍ବରୁ ବଙ୍ଗଳାରେ ଲିଖିତ ‘ଭାରତ ପଥିକ’ ପୁସ୍ତକକୁ ବି ଡକ୍ଟର ସିଂହଦେଓ ଓଡ଼ିଆରେ ଅନୁବାଦ କରିଥିଲେ।

ନେତାଜୀ ସଂଗ୍ରହାଳୟର ସ୍ଥାୟୀ ଆଲୋକୀକରଣ
ନେତାଜୀ ଜୟନ୍ତୀ ପୂର୍ବରୁ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ତଥା ଜାନକୀନାଥ ଭବନକୁ ନୂଆ ରୂପ ଦିଆଯାଇଛି। ଚଳିତ ବର୍ଷ ନୂଆକରି ସଂଗ୍ରହାଳୟର ସ୍ଥାୟୀ ଆଲୋକୀକରଣ (ଆର୍କିଟେକ୍‌ଚରାଲ୍‌ ଇଲୁମିନେସନ୍‌) କରାଯାଇଛି। ୨ଟି ପର୍ଯ୍ୟାୟରେ ୧ କୋଟି ୧୮ ଲକ୍ଷ ଟଙ୍କାରେ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ଏହି କାମ ୨ଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସଂଗ୍ରହାଳୟର ସମ୍ମୁଖ ଭାଗକୁ ଆଲୋକୀକରଣ କରାଯାଇଛି। ରାତି ସମୟରେ ସଂଗ୍ରହାଳୟଟି ବିଭିନ୍ନ ରଙ୍ଗର ଆଲୋକରେ ଆଲୋକିତ ହେବ।
ନେତାଜୀଙ୍କ ଚିନ୍ତା, ଭାବନା ଓ ଆତ୍ମାକୁ ନେଇ ଐତିହ୍ୟ ଗ୍ରାମ
ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ନିର୍ମାଣ ଚାଲିଛି ଐତିହ୍ୟ ଗ୍ରାମ। ନେତାଜୀଙ୍କ ଜୀବନ ସହିତ ଜଡ଼ିତ ଥିବା ବିଭିନ୍ନ ବିଷୟର ମଡ଼େଲ ଏହା ମଧ୍ୟରେ ସ୍ଥାପନ କରାଯିବ। ଗ୍ରାମର ସମସ୍ତ ସ୍ଥାନରେ ନେତାଜୀଙ୍କ ଭାବନାର ଛାପ ଦେଖିବାକୁ ମିଳିବ। ଏହାସହ ପୁରୁଣା ଜେଲ, ଗଙ୍ଗା ମନ୍ଦିର ପୋଖରୀ, ନେତାଜୀ ବାଖ୍ୟାନ କେନ୍ଦ୍ରର ପୁନରୁଦ୍ଧାର ଓ ସୌନ୍ଦ୍ୟର୍ଯ୍ୟୀକରଣ କରାଯାଉଛି। ଐତିହ୍ୟ ଗ୍ରାମ ପରିସରରେ ବି‌େଶଷ ଭାବେ ଲେଜର ଲାଇଟ୍‌ ‌େସାର ବ୍ୟବସ୍ଥା ରହିବ। ୨୨ କୋଟି ଟଙ୍କାରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ତରଫରୁ ସମସ୍ତ କାମ କରାଯାଉ ଥିବା ବେଳେ ଆସନ୍ତା ଫେବ୍ରୁଆରି ମଧ୍ୟରେ ଐତିହ୍ୟ ଗ୍ରାମ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଐତିହ୍ୟ ଗ୍ରାମ ପରିସରରେ ଶିଶୁ ଉଦ୍ୟାନ, ଯୋଗ କେନ୍ଦ୍ର, ଫୁଡ୍‌ କୋର୍ଟ, ଶୌଚାଳୟ ପରି ବ୍ୟବସ୍ଥା ରହିବ। ଗ୍ରାମର ପ୍ରବେଶ ପଥରୁ ଆରମ୍ଭ କରି ଚଟାଣ, ଲାଇଟ୍‌ ପୋଷ୍ଟ ପରି ସମସ୍ତ ସ୍ଥାନରେ ନେତାଜୀ ସୁଭାଷ ବୋଷଙ୍କ ଛାପ ଦେଖିବାକୁ ମିଳିବ। ନେତାଜୀଙ୍କ ଭାବନା ଓ ଆତ୍ମାକୁ ଏହା ମଧ୍ୟରେ ବିଭିନ୍ନ ଢଙ୍ଗରେ ପ୍ରଦର୍ଶିତ କରାଯିବ। ଏହା ମଧ୍ୟରେ ମେଡିଟେସନ୍‌ ସେଣ୍ଟର, ଡିସ୍‌ପ୍ଲେ ସେଣ୍ଟର ପରି ବ୍ୟବସ୍ଥା ରହିବ। ଐତିହ୍ୟ ଗ୍ରାମରେ କଟକ ସହରର ସବୁଠାରୁ ବଡ ଜାତୀୟ ପତାକା ଉଡ଼ାଇବାର ଯୋଜନା ରହିଛି।
– ଜ୍ୟୋତି ପ୍ରକାଶ ମହାପାତ୍ର

ଜ୍ୟୋତିଷଙ୍କ ଭବିଷ୍ୟବାଣୀ ସତ ହେଲା
୧୮୯୭ ଜାନୁଆରି ୨୩ ଶନିବାର ଦିନ ୧୨ଟା ୧୫ ମିନିଟ। କଟକର ଓଡ଼ିଆ ବଜାର ଘରେ ଜାନକୀନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିଲେ ସୁଭାଷ। ତାଙ୍କ ରାଶି ନକ୍ଷତ୍ରକୁ ବିଶ୍ଳେଷଣ କରି ଜଣେ ଜ୍ୟୋତିଷ ସେ ସମୟରେ ଭବିଷ୍ୟବାଣୀ କରିଥିଲେ। ସୁଭାଷ ଭବିଷ୍ୟତରେ ଜଣେ ମହାନ ତ୍ୟାଗୀ ଓ ଦେଶପ୍ରେମୀ ହେବେ ବୋଲି ଜ୍ୟୋତିଷ ଜଣକ ଭବିଷ୍ୟବାଣୀ କରିଥିଲେ। ଏବଂ ସେହି ଭବିଷ୍ୟବାଣୀ ପରବର୍ତ୍ତୀ ସମୟରେ ବାସ୍ତବ ହୋଇଥିଲା।


ମାଜିଷ୍ଟ୍ରେଟ୍ ହେବେ ବୋଲି ପ୍ରବନ୍ଧରେ ଲେଖିଥିଲେ
କଲିକତାର ବୁଦ୍ଧଜୀବୀ ବଙ୍ଗାଳି ପରିବାର ମଧ୍ୟରେ ପାଶ୍ଚାଚ୍ୟ ଇଂରାଜୀ ପ୍ରତି ଦୁର୍ବଳତା ରହିଥାଏ। ସେହି କ୍ରମରେ କଟକରେ ଜାନକୀନାଥ ନିଜ ପିଲାଙ୍କୁ ଇଂରାଜୀ ଶିକ୍ଷା ଦେବା ପାଇଁ କଟକରେ ଖ୍ରୀଷ୍ଟିଆନ ମିସନାରୀ ପରିଚାଳିତ ବିଦ୍ୟାଳୟରେ ନାଁ ଲେଖାଇଥିଲେ। ସୁଭାଷଙ୍କ ବଡ଼ ଭାଇମାନେ ଘରଠାରୁ ଏକ କିମି ଦୂରରେ ଥିବା ପ୍ରୋଟେଷ୍ଟାଣ୍ଟ ବାପ୍ଟିଷ୍ଟ ଖ୍ରୀଷ୍ଟିଆନ୍ ସ୍କୁଲରେ ବାଲ୍ୟଶିକ୍ଷା ଗ୍ରହଣ କରିଥିଲେ। ୧୯୦୨ ଜାନୁଆରି ୨୩ରେ ସୁଭାଷଙ୍କୁ ୫ ବର୍ଷ ବୟସରେ ସ୍କୁଲରେ ନାଁ ଲେଖାଇବାକୁ ଜାନକୀନାଥ ଯୋଜନା କରିଥାନ୍ତି। କିନ୍ତୁ ପ୍ରଥମ ଦିନ ଘୋଡ଼ାଗାଡ଼ିରୁ ଖସିପଡ଼ିବାରୁ ସୁଭାଷ ସ୍କୁଲ ଯାଇପାରିଲେ ନାହିଁ। ୧୯୦୨ ଅକ୍ଟୋବର ୮ ତାରିଖରେ ନେତାଜୀ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ୍ ସ୍କୁଲ(ପି.ଇ. ସ୍କୁଲ)ରେ ନାଁ ଲେଖାଇଥିଲେ। ଏହି ସ୍କୁଲରେ ସେ ୧୯୦୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପଢିଥିଲେ। ଏହି ସ୍କୁଲରେ ସୁଭାଷ ପଢ଼ୁଥିବା ବେଳେ ଶ୍ରେଣୀ ଶିକ୍ଷକ ପ୍ରବନ୍ଧ ଲେଖିବାକୁ ଛାତ୍ରଛାତ୍ରୀଙ୍କୁ କହିଥାନ୍ତି। ‘ଭବିଷ୍ୟତ ଜୀବନରେ ତୁମେ କଣ ହେବାକୁ ଚାହଁ’ ପ୍ରସଂଗରେ ପ୍ରବନ୍ଧ ଲେଖିବାକୁ କୁହାଯାଇଥାଏ। ସୁଭାଷ ଅନେକ ଥର ବଡ଼ ଭାଇଙ୍କଠୁ ବିଚାରପତି, ବାରିଷ୍ଟର, ମାଜିଷ୍ଟ୍ରେଟ, କମିସନର, ଇଂଜିନିୟର, ଡାକ୍ତର ଇତ୍ୟାଦି ଚାକିରି ସମ୍ପର୍କରେ ଶୁଣିଥାନ୍ତି। ଏଭଳି ଚାକିରିରେ ପର୍ଯ୍ୟାପ୍ତ କ୍ଷମତା ସହିତ ଅଧିକ ଦରମା ମିଳିବା ସମ୍ପର୍କରେ ସେ ଶୁଣିଥିଲେ। ତେଣୁ ସୁଭାଷ ମାଜିଷ୍ଟ୍ରେଟ ହେବେ ବୋଲି ପ୍ରବନ୍ଧରେ ଲେଖିଥିଲେ। ନେତାଜୀ ପଢ଼ୁଥିବା ଏହି ସ୍କୁଲର ନାଁ ପରିବର୍ତ୍ତୀ ସମୟରେ ବଦଳି ଯାଇଥିଲା। ୧୮୮୨ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ ୧୯୧୯ରେ କଟକ ବଡ଼ ଡାକ୍ତରଖାନାର ଜଣେ ଇଂରେଜ ଡାକ୍ତର ଉଇଲିୟମ୍ ଡେ’ ଷ୍ଟିୱାର୍ଟଙ୍କ ନାଁ ଅନୁଯାୟୀ ଷ୍ଟିୱାର୍ଟ ସ୍କୁଲରେ ନାମିତ ହୋଇଥିଲା।
ଫରଵାର୍ଡବ୍ଲକ୍‌ ଗଠନ ପରେ ଆସିଥିଲେ ରେଭେନ୍ସା କଲିଜିଏଟ୍
ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ୍ ସ୍କୁଲ ଛାଡ଼ିବା ପରେ ରେଭେନ୍ସା କଲିଜିଏଟ ସ୍କୁଲରେ ଚତୁର୍ଥ ଶ୍ରେଣୀରୁ ନାମ ଲେଖାଇଥିଲେ ସୁଭାଷ। ୧୯୦୯ରୁ ୧୯୧୩ ପର୍ଯ୍ୟନ୍ତ ସେ ସେଠାରେ ଛାତ୍ର ଥିଲେ। ପରବର୍ତ୍ତୀ ସମୟରେ ସେ କଲିକତା ଯିବା ଓ ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ପରେ ଜୀବନର ରାସ୍ତା ଭିନ୍ନ ମୋଡ଼ ନେଇଥିଲା। ୧୯୩୯ ମେ’ ରେ ନେତାଜୀଙ୍କ ଦ୍ବାରା ଫରଵାର୍ଡ ବ୍ଲକ ରାଜନୈତିକ ଦଳ ପ୍ରତିଷ୍ଠା ହୋଇଥିଲା। ଏହି ରାଜନୈତିକ ଦଳ ଗଠନ ପରେ ସେହି ବର୍ଷ ନେତାଜୀ ରେଭେନ୍ସା କଲିଜିଏଟ ସ୍କୁଲ ପରିଦର୍ଶନରେ ଆସିଥିଲେ। ଏ ସମ୍ପର୍କରେ ସ୍କୁଲ ପରିଦର୍ଶନ ରେକର୍ଡରେ ଉଲ୍ଲେଖ ରହିଛି। ଏଇଟା ନେତାଜୀଙ୍କ ଶେଷ ଓଡ଼ିଶା ଗସ୍ତ ବୋଲି କୁହାଯାଏ।
– ଚିରଂଜୀବୀ କର

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।