ନୂଆଦିଲ୍ଲୀ ୧୫।୨: ଊର୍ଦ୍ଦୁ ଓ ଫାରସୀ ଭାଷାର ଲୋକପ୍ରିୟ କବି ଗାଲିବଙ୍କୁ ତାଙ୍କର ୧୫୩ ତମ ଶ୍ରାଦ୍ଧବାର୍ଷିକରେ ଲୋକେ ମନେ ପକାଇଛନ୍ତି। ୧୫ ଫେବୃଆରୀ ୧୮୬୯ରେ ଗାଲିବ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁର ଦେଢଶହ ବର୍ଷ ପରେ ବି ଗାଲିବ ତାଙ୍କ କୃତି ଲାଗି ଲୋକଙ୍କ ସ୍ମୃତିରେ ସତେଜ ଅଛନ୍ତି।

ଏବେ ଗାଲିବଙ୍କ କାଳଜୟୀ କୃତି ସବୁ ବଲ୍ଲିମରାନରେ ସାଇତା ହୋଇ ରହିଛି। ଗାଲିବଙ୍କ କାବ୍ୟ ଓ କବିତା ପ୍ରତି ଋଚି ରଖୁଥିବା ଲୋକେ ସମୟ ପାଇଲେ ପୁରୁଣା ଦିଲ୍ଲୀ ଚାନ୍ଦନୀ ଚୌକ ନିକଟସ୍ଥ ତାଙ୍କ ବଲ୍ଲିମରାନ ଭବନକୁ ଯାଇ ବେଶ ସମୟ ଅତିବାହିତ କରୁଛନ୍ତି। ଗାଲିବ ତାଙ୍କ ସମୟରେ ଊର୍ଦ୍ଦୁ ଓ ଫାରସୀ କାବ୍ୟ ପରମ୍ପରାରୁ ଊର୍ଦ୍ଧ୍ୱକୁ ଯାଇ ରଚି ଯାଇଥିବା କାଳଜୟୀ କବିତା ବେଶ ଲୋକପ୍ରିୟ ହୋଇପାରିଥିଲା।

ଆଗ୍ରାରେ ଜନ୍ମିତ ଗାଲିବଙ୍କ ପୁରା ନାଁ ମିର୍ଜ୍ଜା ଅସଦୁଲ୍ଲାହ ଖାନ ଗାଲିବ। ତେବେ ଲୋକେ ତାଙ୍କୁ ଗାଲିବ ନାମରେ ଜାଣୁଥିଲେ। ତାଙ୍କ ଜୀବନର ଶେଷ ଦିନଗୁଡିକ ଅତ୍ୟନ୍ତ ଦୁଃଖଦ ଥିଲା। ଗୋଟିଏ ପଟେ ବୟସାଧିକ୍ୟ ଯୋଗୁ ଅଚଳାବସ୍ଥା ଆସିଯାଇଥିବା ବେଳେ ରୋଗବେମାରୀ ତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଥିଲା। ଏଥିଯୋଗୁ ତାଙ୍କର ଋଣ ଭାର ମଧ୍ୟ ବଢି ଯାଇଥିଲା।
ଗାଲିବ ଚାହୁଁଥିଲେ ମୃତ୍ୟୁ ପୂର୍ବରୁ ତାଙ୍କର ସବୁ ଋଣ ସୁଝି ଦେବାକୁ । ଯେପରି ଲୋକେ ସମ୍ମାନର ସହ ତାଙ୍କୁ ମନେ ପକାଇବେ। ହେଲେ ତାହା କିନ୍ତୁ ସମ୍ଭବ ହୋଇ ନଥିଲା। ଖାସ ଏଥିଲାଗି ଗାଲିବ ରାମପୁର ନବାବଙ୍କୁ ବାରମ୍ବାର ପତ୍ର ଲେଖୁଥିଲେ। ରାମପୁର ନବାବ ଗାଲିବଙ୍କୁ ମାସିକ ୧୦୦ ଟଙ୍କା ପେନସନ ଦେଉଥିଲେ। ଯେଉଁଥିରେ ଗାଲିବଙ୍କ ବାର୍ଦ୍ଧକ୍ୟ ଚଳୁଥିଲା। ତେବେ ପରଲୋକ ବେଳକୁ ଗାଲିବ ପ୍ରାୟ ୮୦୦ ଟଙ୍କା କରଜରେ ବୁଡି ରହିଥିଲେ।
କରଜ ସୁଝିବା ଲାଗି ଗାଲିବ ବାରମ୍ବାର ନବାବଙ୍କୁ ପତ୍ର ଲେଖି ନେହୁରା ହେଉଥିଲେ। ହୁଏତ ଶେଷ ବେଳକୁ ନବାବ ତାଙ୍କ ପତ୍ରକୁ ଏତେ ଗୁରୁତ୍ୱ ଦେଉନଥିଲେ। ଏଣୁ ମାସିକ ଧାର୍ଯ୍ୟ ପେନସନ ହିଁ ତାଙ୍କ ନିକଟରେ ପହଞ୍ଚି ଯାଉଥିଲା। ୧୫ ଫେବୃଆରୀ ଯେଉଁଦିନ ଗାଲିବଙ୍କ ବିୟୋଗ ହୋଇଥିଲା ମୃତ୍ୟୁର ମାତ୍ର ୧ ଘଣ୍ଟା ପୂର୍ବରୁ ତାଙ୍କୁ ଜୀବନର ଶେଷ ୱଜିଫା (ପେନସନ୍) ମିଳିଥିଲା ବୋଲି କୁହାଯାଏ। ବାସ୍ତବରେ ତାଙ୍କ ଜୀବନ ଅତ୍ୟନ୍ତ ଦୁଃଖଦ ଥିଲା। ତାଙ୍କର ୭ଟି ପୁଅଝିଅ ଥିଲେ ହେଲେ ଗାଲିବଙ୍କ ମୃତ୍ୟୁବେଳକୁ କେହି ହେଲେ ଜୀବିତ ନଥିଲେ। ପତ୍ନୀଙ୍କୁ ନେଇ ମଧ୍ୟ ଗାଲିବ ଅସନ୍ତୁଷ୍ଟ ରହୁଥିଲେ।

