ଗାଲେ ୨୫।୦୧: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଘରୋଇ ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ୧୨୬ ରନରେ ଅଲଆଉଟ୍ ହୋଇଛି। ଶ୍ରୀଲଙ୍କାର ସମସ୍ତ ୧୦ ଓ୍ଵିକେଟ୍ ସ୍ପିନର ନେଇଛନ୍ତି। ଡମ୍ ବେସ୍ ଓ ଜ୍ୟାକ୍ ଲିଚ ଚାରୋଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ଜୋ ରୁଟ୍ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ମ୍ୟାଚ୍ର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୮୧ ରନ କରିଥିଲା। ଉକ୍ତ ଇନିଂସରେ ଇଂଲଣ୍ଡର ଦ୍ରୁତ ବୋଲର ସମସ୍ତ ୧୦ ଓ୍ଵିକେଟ୍ ନେଇଥିଲେ। ଜେମ୍ସ ଆଣ୍ଡରସନ ୬, ମାର୍କ ଉଡ ୩ ଓ ସାମ କରନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।
ଟେଷ୍ଟ କ୍ରିକେଟ୍ର ୧୪୩ ବର୍ଷର ଇତିହାସରେ ପ୍ରଥମ ଥର ଏମିତି ଘଟିଛି। କୌଣସି ଦଳ ଗୋଟିଏ ଇନିଂସରେ ସମସ୍ତ ଓ୍ଵିକେଟ୍ ଦ୍ରୁତ ବୋଲର ନେଇଥିବା ବେଳେ ଦ୍ଵିତୀୟ ଇନିଂସରେ ସମସ୍ତ ୧୦ ଓ୍ଵିକେଟ୍ ସ୍ପିନରମାନେ ନେଇଛନ୍ତି।
ଶ୍ରୀଲଙ୍କାର ଦ୍ଵିତୀୟ ଇନିଂସରେ କେବଳ ୪ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। କୁଶଲ ପେରେରା ୧୪, ଲାହିରୁ ଥିରିମାନେ ୧୩, ରମେଶ ମେଣ୍ଡିସ ୧୬ ଓ ଲସିଥ ଏମ୍ବୁଲଡେନିଆ ୪୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଆଞ୍ଜେଲା ମାଥ୍ୟୁସ୍ ୫ ରନରେ ଆାଉଟ୍ ହୋଇଛନ୍ତି।
ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ଦଳ ଏକଦା ୮ ଓ୍ଵିକେଟ୍ରେ ୭୮ ରନ କରିଥିଲା। ଏମ୍ଵୁଲଡେନିଆ କ୍ରିଜ୍କୁ ଆସି ୪୨ ବଲରୁ ୪୦ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଘରୋଇ ଦଳ ୧୦୦ ଅତିକ୍ରମ କରି ପାରିଥିଲା। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ପାଇଁ ଏମ୍ଵୁଲଡେନିଆ ଦମଦାର ପ୍ରଦର୍ଶନ କରିଛନ୍ତି।