ରାଜ୍ୟ ସ୍ପେଶାଲ ରିପୋର୍ଟ

ସୌନ୍ଦର୍ଯ୍ୟ ହରାଉଛି ସ୍ମାର୍ଟସିଟି: ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ପ୍ରତିକୃତି, ରିଂରୋଡରୁ ଛେଣ୍ଡ ସବୁଠି ସମାନ ସ୍ଥିତି

ରାଉରକେଲା: ବିଶ୍ବ ହକି ପୂର୍ବରୁ ଚକାଚକ୍‌ ହେଲା ସ୍ମାର୍ଟସିଟି। ବିଶ୍ବକପ୍‌ ସମୟରେ ସହର ଚମକିଲା। ଖେଳ ଶେଷ ହେବାର ମାତ୍ର ୫ ମାସ ପରେ ସହରର ଗୋଟିଏ ପରେ ଗୋଟିଏ ସୌନ୍ଦର୍ଯ୍ୟକରଣ କାମ ନଷ୍ଟ ହେଉଛି। ରାସ୍ତା ସୌନ୍ଦର୍ଯ୍ୟକରଣ କାମଠୁ ଆରମ୍ଭ କରି ଆଲୋକୀକରଣ ସବୁଠି ସମାନ ଚିତ୍ର ଦେଖିବାକୁ ମିଳୁଛି। ନିମ୍ନମାନର କାମ ଓ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ରିଂ ରୋଡଠାରୁ କଲୋନି ମୁଖ୍ୟ ରାସ୍ତାର ଶୋଭାବର୍ଦ୍ଧନ କରୁଥିବା ପ୍ରତିକୃତିଗୁଡ଼ିକ ଭାଙ୍ଗିଛି। କେଉଁଠି ବୃହତ୍ତକାୟ ଫୁଲକୁଣ୍ଡ ଭାଙ୍ଗି ମାଟିରେ ମିଶିଗଲାଣି ତ ଅନ୍ୟ କେଉଁଠି ଲୁହା ଗ୍ରୀଲ୍‌ ଚୋରି‌ ହୋଇଗଲାଣି। ଛେଣ୍ଡ କଲୋନି ବିଏସ୍‌ଏନ୍‌ଏଲ୍‌ ଛକରେ ଶୋଭାବର୍ଦ୍ଧନ କରୁଥିବା ଫୁଲଗୁଣ୍ଡ ଦୁଇ ଫାଳ ହୋଇ ପଡ଼ିଛି। କଳିଙ୍ଗବିହାର ବିଜୁ ପଟ୍ଟନାୟକ ଛକ ପଛପାର୍ଶ୍ବ କଳାକୃତି ଭାଙ୍ଗି ଝୁଲୁଛି।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖ ରିଂରୋଡ ପାର୍ଶ୍ବରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସିଂହ, ମାଙ୍କଡ ଓ ହରିଣ ଫାଟି ଆଁ କରିଛି। ହନୁମାନବାଟିକାରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ରିଂରୋଡର ଦୁଇ ପାର୍ଶ୍ବରେ ଅଧିକାଂଶ ସ୍ଥାନରେ ଏଭଳି ଭଙ୍ଗାରୁଜା ପ୍ରତିକୃତି ଦେଖିବାକୁ ମିଳୁଛି। ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭିତିରି ସଲାସୁତୁରାରେ ଏଭଳି ନିମ୍ନମାନର କାମ ହୋଇଥିବାରୁ ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହକି ବିଶ୍ବକପ୍ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଚାରାରୋପଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ ବାବଦରେ ପ୍ରାୟ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଛେଣ୍ଡ ମୁଖ୍ୟ ମାର୍ଗରୁ ଛେଣ୍ଡ ବିପିୟୁଟି ପର୍ଯ୍ୟସ୍ତ ଚାରାରୋପଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମରେ ୪ କୋଟି ୯ ଲକ୍ଷ ଟଙ୍କା, ରାଉରକେଲା-୧ରୁ ଲେବର ଛକ, ପାନପୋଷ ଛକରୁ ଆମ୍ବେଦକର ଛକ ଓ ହାଇଟେକ୍ ହସ୍ପିଟାଲ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣରେ ୩ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେମିତି ମହତାବରୋଡ, କୋଏଲନଗର ମୁଖ୍ୟ ରାସ୍ତା, ମଧୁସୂଦନ ରୋଡରେ ଦାମି ଚାରାରୋପଣ ସହ ଅନ୍ୟାନ୍ୟ ବାବଦରେ ୩ କୋଟି ୮୪ ଲକ୍ଷ, ଏମିତି ମୋଟ୍ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଚାରା ଅତିକମରେ ହକି ବିଶ୍ବକପ୍‌ର ପାଞ୍ଚ ଛଅ ମାସ ଆଗରୁ ଲଗା ଯାଇଥିଲେ ଖେଳ ବେଳକୁ ସୁନ୍ଦର ଦେଖା ଯାଇଥାଆନ୍ତା। କିନ୍ତୁ ଦିନ ଗଡ଼ାଇ ଗଡ଼ାଇ ଶେଷ ବେଳକୁ ତରବରିଆ ଭାବେ ଲଗାଇ ଦିଆଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି, ଏସବୁ କାଣ୍ଡକାରଖାନା ହେଉଥିଲେ ହେଁ ଠିକାସଂସ୍ଥାର ବିରୋଧରେ କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲାନି।

ସେମିତି ବ୍ରାହ୍ମଣୀ ନଦୀ ସମ୍ମୁଖ ବିକାଶ ବାବଦରେ ୪୭ ‌କୋଟି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କାମ ଶେଷ ହୋଇଛି ସତ, ହେଲେ ପର୍ଯ୍ୟଟକ ଓ ସହରବାସୀଙ୍କ କାମରେ ଲାଗୁନି। ୮ କୋଟିର ସ୍ମାର୍ଟ ବସ୍‌ଟର୍ମିନସ୍‌କାମ ପ୍ରସ୍ତାବରେ ଥିଲେ ମଧ୍ୟ ବାତିଲ କରାଯାଇଛି। ବାସନ୍ତୀ ଡିଏଭି ପୋଖରୀର କାୟାକଳ୍ପରେ ୧୧ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଉଦ୍‌ଘାଟନର ୭ ମାସ ପରେ ପୋଖରୀରେ ବୋଟିଂ ବ୍ୟବସ୍ଥା କରାଯାଇଛି। ହେଲେ ସୁରକ୍ଷା ଅଭାବରୁ ଅର୍ଦ୍ଧାଧିକ ଲୁହା ବାଡ଼ ଚୋରି ହୋଇଗଲାଣି। ବେଦବ୍ୟାସ ଟୁରିଜିମ୍ ହବ୍‌ ବାବଦରେ ୧୪ କୋଟି ୯୩ ଲକ୍ଷ ଖର୍ଚ୍ଚ କରାଯାଇଛି। ଯେତିକି ସୌନ୍ଦର୍ଯ୍ୟକରଣ କାମ ହେବା କଥା, ତା’ ଦିଶୁନି। ଏବେଠୁ ଏଥିପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।