ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ: ବିଶ୍ବବିଦ୍ୟାଳୟକୁ ନା, ମହାବିଦ୍ୟାଳୟକୁ ହଁ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲାଗିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍‌ର ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ଗତ ଏପ୍ରିଲ ୧୨ରେ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦ‌କ୍ଷେପ ନେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା ଓ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସିଟ୍‌ ହ୍ରାସ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି ୮ଟି ପାଠ୍ୟକ୍ରମରେ ତାଲା ପକାଇଥିବା ବେଳେ କିଛି ସେଲ୍ଫ ଫାଇନାନ୍ସିଂ ବିଭାଗର ସିଟ୍‌ ସଂଖ୍ୟା ହ୍ରାସ କରିଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟ ଅନୁରୂପ ଭାବେ ସମୁଦାୟ ସିଟ୍‌ର ୨୦% ହିସାବରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସିଟ୍‌ ହ୍ରାସ କରିଛନ୍ତି। ଏପଟେ କିନ୍ତୁ ମହାବିଦ୍ୟାଳୟଗୁଡ଼ିକରେ ସାହାଣମେଲା। ଆବଶ୍ୟକ ଭିତ୍ତିଭୂମି ନଥାଇ ମଧ୍ୟ ରାଜ୍ୟର ଅନେକ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକରେ ଏହି ପାଠ୍ୟକ୍ରମ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇଛି। କେତେକ କଲେଜରେ ଏହି ପାଠ୍ୟକ୍ରମ ସଂଖ୍ୟା ୧୦ ଡେଇଁଗଲାଣି। କିଛି କଲେଜ ମଧ୍ୟ ବିଶ୍ବବିଦ୍ୟାଳୟ ସହ ସମକକ୍ଷ ଅବସ୍ଥାକୁ ଆସିଗଲାଣି। ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ କି ନାହିଁ, କାହାକୁ ଜଣାନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗୋଟିଏ ବିଭାଗ ଅଧୀନରେ ଉଭୟ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଥିଲେ ମଧ୍ୟ ଏ କ୍ଷେତ୍ରରେ ଅଲଗା ଅଲଗା ନିୟମକୁ ନେଇ ପ୍ରଶ୍ନ ଉଠିଲାଣି। କଟକଣା ଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟ ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଏଠାରେ କିଛି ପାଠ୍ୟକ୍ରମ ବନ୍ଦ ହୋଇଥିବା ବେଳେ ଚଣ୍ଡିଖୋଲସ୍ଥିତ ଗ୍ରାମାଞ୍ଚଳ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମ ବନ୍ଦ ହୋଇ ତାଲା ପଡ଼ିଛି। ଏହି କ୍ୟାମ୍ପସ ଆଉ କାର୍ଯ୍ୟକ୍ଷମ ହେବ କି ନାହିଁ, ତା’ ବି ଅନିଶ୍ଚିତତା ଭିତରେ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ନ ଥିବା ନେଇ ଗତ ବିଧାନସଭା‌ ଅଧିବେଶନ ସମୟ‌ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉତ୍ତର ରଖିଥିଲେ। ସେଠାରେ ବି ଏହି ପାଠ୍ୟକ୍ରମ ଖୋଲିବା ନେଇ କୌଣସି ବିଜ୍ଞପ୍ତି ଜାରି ହୋଇନାହିଁ। ରାଜ୍ୟ ସରକାର ବିଶ୍ବବିଦ୍ୟାଳୟଗୁଡ଼ିକରେ ନିୟମିତ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେଉନାହାନ୍ତି। ତେଣୁ କିଛି ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ପାଠ୍ୟକ୍ରମ ଖୋଲିବାକୁ ଚାହୁଥିଲେ ମଧ୍ୟ ରାଜଭବନ କଟକଣା ବାଧକ ସାଜିଛି।

ବିଶ୍ବବିଦ୍ୟାଳୟରେ ଖୋଲିବା ଉପରେ ରାଜଭବନ କଟକଣା
ମହାବିଦ୍ୟାଳୟ ପାଇଁ ହାତ ଖୋଲିଦେଇଛନ୍ତି ରାଜ୍ୟ ସରକାର
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ନେଇ ଆଶଙ୍କା

ସେପଟେ ମହାବିଦ୍ୟାଳୟଗୁଡ଼ିକ ଲାଗି ଏଥିପାଇଁ ହାତ ‌ଖୋଲିଦେଇଛି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ ଶୈଳବାଳା ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ଡିଗ୍ରି କଲେଜ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରେ ନୂଆ ନୂଆ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେଇଛନ୍ତି। କେତେକ କଲେଜରେ ପିଜି(ସ୍ନାତକୋତ୍ତର) ସେଲ୍ଫ ଫାଇନାନ୍ସିଂ ମହଙ୍ଗା ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୨-୨୩ରେ ପାଠ୍ୟକ୍ରମ ଫି’ ବୃଦ୍ଧି କରାଯାଇଛି। କେତେକ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ମଧ୍ୟ ବଢ଼ିଛି। ଫଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ମାତ୍ର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛନ୍ତି। ଛାତ୍ରଛାତ୍ରୀ କଲେଜରେ ପିଜି ପଢ଼ିବାକୁ ଆଗ୍ରହ ଦେଖାଉଥିବାରୁ ବିଶ୍ବବିଦ୍ୟାଳୟର ବହୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ସିଟ୍‌ ଖାଲି ପଡ଼ିଥିବା ନଜରକୁ ଆସିଛି।

କିଛି କୁଳପତିଙ୍କ କହିବା କଥା, ବିଶ୍ବବିଦ୍ୟାଳୟ ପ୍ରଫେସରମାନେ ପିପିପି ମୋଡ୍‌ରେ ଚାଲିଥିବା ସେଲ୍ଫ ଫାଇନ‌ାନ୍ସିଂରେ ପଢ଼ାଉଥିବାରୁ ନିୟମିତ ପାଠ୍ୟକ୍ରମ ପ୍ରଭାବିତ ହେଉଥିବା ଦର୍ଶାଇ ରାଜଭବନ ପକ୍ଷରୁ କଟକଣା ଲଗାଯାଇଥିଲା। ତେବେ ବର୍ତ୍ତମାନ କଲେଜରେ ପଢ଼ାଇବ କିଏ? କେଉଁ ପାଠ୍ୟକ୍ରମରେ କେତେଜଣ ନୂଆ ନିଯୁକ୍ତ ହୋଇଛନ୍ତି, ରାଜ୍ୟ ସରକାର ତାହାର ସମୀକ୍ଷା କରିବେ କି? ପିପିପି ମୋଡ୍‌ ପାଠ୍ୟକ୍ରମରେ ଅଧ୍ୟାପକ ନାହାନ୍ତି। ଯେଉଁମାନେ ବି ଅଛନ୍ତି, ସେମାନେ ଅଧା ଦରମାରେ କାମ କରୁଛନ୍ତି। ପିଜି ପିଲାଙ୍କୁ ପଢ଼ାଇବା ଲାଗି ପିଏଚ୍‌ଡି ଯୋଗ୍ୟତା ଥିବା ଆବଶ୍ୟକ। ପିପିପି ମୋଡ୍‌ରେ ଖୋଲିଥିବା ପାଠ୍ୟକ୍ରମର ଘରୋଇ ମାଲିକମାନେ ନିୟମ ନମାନି ଅଧ୍ୟାପକ ନିଯୁକ୍ତି ଦେଉଛନ୍ତି। ସରକାରଙ୍କ କୌଣସି ଲଗାମ ନାହିଁ। ଏଣେ ପିପିପି ମୋଡ୍‌ରେ ଭଲ ଚାଲିଥିବା ପାଠ୍ୟକ୍ରମକୁ ନିୟମିତ କରିବାର ନିୟମ ରହିଥିଲେ ମଧ୍ୟ ୧୯୯୮-୧୯୯୯ରୁ ଆରମ୍ଭ ହୋଇଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରୁ କୌଣସି ଗୋଟିଏ ବି ନିୟମିତ ହୋଇନାହିଁ। ତେଣୁ ବିଶ୍ବବିଦ୍ୟାଳୟରେ ଲାଗିଥିବା ଅଙ୍କୁଶ ଉପରେ ସମୀକ୍ଷା କରିବାକୁ ସେମା‌ନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି