ରାଜ୍ୟ

ସୁଦାମ ମାରାଣ୍ଡିଙ୍କୁ ରୋକିପାରିବ କି ବିଜେପି?

କୁଳିଅଣା: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ବାଙ୍ଗିରିପୋଷି। କାରଣ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ରାଜ୍ୟ ବିଜେଡିର ହେଭିୱେଟ୍‌ ନେତା ସୁଦାମ ମାରାଣ୍ଡି। ରାଜସ୍ୱ, ବିପର୍ଯ୍ୟୟ ଓ ଗଣଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟ‌ାବିନେଟ୍‌ ମନ୍ତ୍ରୀ ଥିବା ସୁଦାମ ଏହି ବିଧାନସଭା କ୍ଷେତ୍ରରେ ବିଜେଡିର ଅପ୍ରତିଦ୍ବନ୍ଦ୍ବୀ ନେତା। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ହରାଇ‌ ପାରିଲେ ମୟୂରଭଞ୍ଜ ବିଜେପି ପାଇଁ ଏହା ବଡ଼ ସଫଳତା ବୋଲି ଗଣାଯିବ। ତେଣୁ ଏଥର ନିର୍ବାଚନରେ ସୁଦାମଙ୍କ ବାଟ ଓଗାଳିବା ପାଇଁ ଜୋରଦାର କସରତ ଚଳାଇଛି ବିଜେପି। ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ସୁଗଦା ମୁର୍ମୁ ୬୦,୨୦୬ ଭୋଟ୍‌ ପାଇ ସୁଦାମଙ୍କୁ କଡ଼ା ଟକ୍କର୍‌ ଦେଇଥିଲେ। ତେବେ ସୁଦାମ ୭୨,୦୫୦ ଭୋଟ୍‌ ପାଇ ୧୧,୮୪୪ ବ୍ୟବଧ୍ୟାନରେ ବିଜୟୀ ହୋଇଥିଲେ। ସୁଗଦା ଏବେ ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ଅଛନ୍ତି ଏବଂ ଏଥର ବି ବାଙ୍ଗିରିପୋଷିରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ସାଂଗଠନିକ ଦକ୍ଷତା ଦୃଷ୍ଟିରୁ ଟିକେଟ୍‌ ଦୌଡ଼ରେ ସେ ଆଗୁଆ ଥିବା ତାଙ୍କ ସମର୍ଥକ ଦାବି କରୁଛନ୍ତି। ହେଲେ ତାଙ୍କ ବାଟରେ କଣ୍ଟା ହୋଇପାରନ୍ତି ଫାଗୁ ହାଁସଦା। ଗତଥର ଏଠାରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ପାଇଁ ବିଧାୟକ ପ୍ରାର୍ଥୀ ହୋଇ ୧୫,୯୦୮ ଭୋଟ୍‌ ହାତେଇ ଥିବା ଫାଗୁ ଏହାମଧ୍ୟରେ ବିଜେପିରେ ଯୋଗଦେଇ ରାଜ୍ୟ ବିଜେପି ଏସ୍‌ଟି ମୋର୍ଚ୍ଚାର ଉପସଭାପତି ଅଛନ୍ତି। ସେହିପରି ଯୁବନେତା ମକରଧ୍ୱଜ ମୁର୍ମୁ ମଧ୍ୟ ବିଜେପି ଟିକେଟ୍‌ ପାଇଁ ଆଶାୟୀ ଅଛନ୍ତି। ତେବେ ଦଳରେ ଏକାଧିକ ଆଶାୟୀ ଥିବାରୁ କାହାକୁ ଟିକେଟ୍‌ ଦେଲେ ଅନ୍ୟମାନେ ଅସନ୍ତୁଷ୍ଟ ହେବେନି; ସେ ନେଇ ଶୀର୍ଷ ନେତୃତ୍ବ ତର୍ଜମା କରୁଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ ଗତଥର ଜେଏମ୍‌ଏମ୍‌ ସହ ମେଣ୍ଟ କରିଥିବାରୁ ଏଠାରେ ପ୍ରାର୍ଥୀ ଦେଇନଥିଲା। ଏଥର ବି କଂଗ୍ରେସ ମେଣ୍ଟ କରିବ ନା ନିଜସ୍ବ ପ୍ରାର୍ଥୀ ଦେବ, ତାହା ସ୍ପଷ୍ଟ କରୁନି। ନିର୍ବାଚନକୁ ଆଉ ବେଶି ସମୟ ନଥିବାରୁ କଂଗ୍ରେସର ଏହି ଦ୍ବନ୍ଦ୍ବ ଦଳକୁ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି। ଏକଦା ସୁଦାମ ମାରାଣ୍ଡିଙ୍କ ନେତୃତ୍ବରେ ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ଦୃଢ଼ ସଂଗଠନ ରହିଥିଲା। ହେଲେ ସେ ଦଳ ଛାଡ଼ିବା ପରେ ସାରା ଜିଲ୍ଲାରେ ଜେଏମ୍‌ଏମ୍‌ ଦୁର୍ବଳ ହୋଇପଡ଼ିଛି। ତା’ ସତ୍ତ୍ବେ ଗତ ନିର୍ବାଚନରେ ଦଳ ଏଠାରୁ ୧୫ ହଜାରରୁ ଅଧିକ ଭୋଟ୍‌ ପାଇଥିବାରୁ ଏଥର ମଧ୍ୟ ଜେଏମ୍‌ଏମ୍‌ ପ୍ରାର୍ଥୀ ଏଠାରେ ନିର୍ଣ୍ଣାୟକ ଭୂମିକା ‌ନେଇପାରନ୍ତି। ସେହିପରି ଗତଥର ବାଙ୍ଗିରିପୋଷି ଆସନ ପାଇଁ ୮ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଓ ମିଳିତ ଭାବେ ୧୭,୭୨୩ ଭୋଟ୍‌ ହାତେଇ ନେଇଥିଲେ। ଏତେ ସଂଖ୍ୟକ ଭୋଟର କୌଣସି ଦଳର ପ୍ରାର୍ଥୀଙ୍କୁ ପସନ୍ଦ କରିନଥିବାରୁ ସେମାନଙ୍କ ଭୋଟ୍‌ ରାଜନୈତିକ ସମୀକରଣକୁ ବଦଳାଇ ଦେଇପାରେ। ତେବେ ସବୁ ଦଳରେ ଟିକେଟ୍‌ ବଣ୍ଟନକୁ ନେଇ ଉଣା ଅଧିକ ଦ୍ବନ୍ଦ୍ବ ରହିଥିଲେ ବି ବିଜେଡିରେ ସେ ସମସ୍ୟା ନାହିଁ। ସୁଦାମ ହିଁ ଏଠାରେ ବିଜେଡିର ସର୍ବମାନ୍ୟ ନେତା। ତେଣୁ ତାଙ୍କ ଟିକେଟ୍‌ ଏକ ପ୍ରକାର ପକ୍କା। ସେ ମଧ୍ୟ ନିର୍ବାଚନର ଖୁବ୍‌ ଆଗରୁ ସଂଗଠନ ସଜାଡ଼ିବା ପାଇଁ ଗାଁକୁ ଗାଁ ବୁଲିବା ଆରମ୍ଭ କରିଦେଲେଣି। ତେଣୁ ବିରୋଧୀ ଏଥର ସୁଦାମଙ୍କ ବିଜୟ ରଥ ରୋକିପାରିବେ ନା ସେ ତୃତୀୟ ଥର ପାଇଁ ଏଠାରୁ ବିଧାୟକ ହେବେ; ତାହା ଉପରେ ସମସ୍ତଙ୍କର ନଜର ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।