ଅପରାଧ ରାଜ୍ୟ

ସୀମା ଟପିଥିଲା ବିବିସିସି ବ୍ୟାଙ୍କ ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ସୁପାରିସ୍‌କୁ ଚାପିଦେଲେ

ବାଲେଶ୍ବର : ବ୍ୟାପକ ଆର୍ଥିକ ଅନିୟମିତତା ଓ ବେଆଇନ୍‌ କାର୍ଯ୍ୟ ଅଭିଯୋଗରେ ସୁନ୍ଦରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା କମିଟିକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର। ହେଲେ ସମାନ ଅଭିଯୋଗ ଥାଇ ମଧ୍ୟ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ବିବିସିସି)ର ମହାଦୁର୍ନୀତି ଆଜି ସରକାରୀ ଫାଇଲ ତଳେ ଚାପି ହୋଇରହିଛି। ସବୁଠୁ ବଡ଼ କଥା ହେଉଛି, ଏତେ ବଡ଼ ଦୁର୍ନୀତିରେ ଯେଉଁମାନେ ସଂଶ୍ଲିଷ୍ଟ ଥିଲେ, ସେମାନେ ଏବେ ପୁଣି ବିଭିନ୍ନ ପଦପଦବିରେ ଅବସ୍ଥାପିତ ହେବାକୁ ମସୁଧା ଚଳାଇଛନ୍ତି।

୨୦୧୬ରୁ ୨୦୧୯ ମସିହା ମଧ୍ୟରେ ଏହି ବ୍ୟାଙ୍କରେ ବିନା ବିଜ୍ଞପ୍ତିରେ ଏକକାଳୀନ ୩୬ ଜଣଙ୍କୁ ନିଯୁକ୍ତି, ପରିଚାଳନା ପରିଷଦ ସଭାପତି, ଉପସଭାପତି ଓ ଅନ୍ୟ ନିର୍ଦ୍ଦେଶକଙ୍କ ଗସ୍ତ ଖର୍ଚ୍ଚ (ଟିଏ), ଦୈନିକ ଭତ୍ତା (ଡିଏ) ତଥା କାଳିଆ ଯୋଜନାର ପ୍ରଚାରପ୍ରସାର ଆଳରେ ବ୍ୟାପକ ସରକାରୀ ଅର୍ଥ ହେ‌ର୍‌ଫେର କରାଯାଇଥିଲା। ବ୍ୟାଙ୍କକୁ ନିଜର ହସ୍ତମୁଦି ମାହୋଲ ଭଳି ବ୍ୟବହାର କରିଥିଲେ ତତ୍କାଳୀନ ସଭାପତି ରଘୁନାଥ ଲେଙ୍କା ଓ ତାଙ୍କର କିଛି ସହଯୋଗୀ। ନିଜ ସଂପର୍କୀୟଙ୍କୁ ଡ୍ରାଇଭର, ଡାଟାଏଣ୍ଟ୍ରି ଅପରେଟର ଭଳି ପଦବିରେ ନିଯୁକ୍ତି ଦେଇ ବିବାଦୀୟ ହୋଇ ପଡ଼ିଥିଲେ। ଏମିତିକି ବ୍ୟାଙ୍କ ପାଇଁ ନୂଆଗାଡ଼ି କିଣାଯିବାର ୫ ବର୍ଷ ପରେ ମରାମତି ବାବଦରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ସେତେବେଳେ ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ପରିଚାଳନା କମିଟି ଚାଷୀମାନଙ୍କ କଥାକୁ ଭୁଲି ବ୍ୟାଙ୍କକୁ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବ୍ୟବହାର କରିଥିଲେ। ବ୍ୟାଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ ପାଇବା ପରେ ସମବାୟ ବିଭାଗ ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶକ୍ରମେ ଡିଆର୍‌ସିଏସ୍‌ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ ମଧ୍ୟ କରିଥିଲେ। କିଛିଦିନ ପରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା।

ତତ୍କାଳୀନ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଗୃହରେ ବାଲେଶ୍ବର-ଭଦ୍ରକ କୋଅପରେଟିଭ୍‌ ବ୍ୟାଙ୍କକୁ ‘କରପ୍‌ସନ୍‌ ବ୍ୟାଙ୍କ୍‌’ ବୋଲି ଆକ୍ଷେପ କରିଥିଲେ। ସେହିପରି ତତ୍କାଳୀନ ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ ମଧ୍ୟ କାଳିଆ ଯୋଜନାରେ ଫ୍ଲେକ୍ସ ବ୍ୟାନର୍‌ ଓ ପୋଷ୍ଟର ବାବଦରେ ୮୬ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମିଥ୍ୟା ବିଲ୍‌ରେ କିପରି ୨ କୋଟି ଟଙ୍କା ହଡ଼ପ କରାଯାଇଛି, ତାର ପ୍ରମାଣ ଗୃହରେ ଦେଖାଇଥିଲେ। ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାରେ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଅୟସ କରୁଥିଲେ, ସେ ସମ୍ପର୍କରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ମାତ୍ର, ତଦନ୍ତ ପାଇଁ ସୁପାରିସ ସତ୍ତ୍ବେ ଏହାକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।