ଅପରାଧ ଦେଶ ବିଦେଶ ରାଜନୀତି

ସିଦ୍ଧୁଙ୍କ ପୂର୍ବରୁ ଜେଲ୍ ଯାଇଥିବା ୭ ହାଇ ପ୍ରୋଫାଇଲ ନେତା

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ପୂର୍ବେ ସୁପ୍ରିମକୋର୍ଟ କେବଳ ୧୦୦୦ ଟଙ୍କା ଜରିମାନା ଲାଗୁ କରି ଛାଡ଼ିଦେଇଥିଲେ। ଏବେ ସେ ଜେଲ ଦଣ୍ଡାଦେଶ ପାଇବା ପରେ ଗତକାଲିଠାରୁ ପଟିଆଲା ସେଣ୍ଟ୍ରାଲ ଲେଜ୍‌ରେ କଏଦୀ ଜୀବନ ଆରମ୍ଭ କରିଛନ୍ତି। ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍‌ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ମଧ୍ୟ ରହିଛନ୍ତି।

ଜେ ଜୟଲଳିତା
ଦୁର୍ନୀତି ମାମଲାରେ ଜୟଲଳିତା ୨୦୧୪ ସେପ୍ଟେମ୍ବରରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ୪ ବର୍ଷର ଜେଲ ଦଣ୍ଡାଦେଶ ‌ପାଇଥିଲେ। ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ସେତେବେଳେ ଏହି ୬୬ ବର୍ଷୀୟ ଏଆଇଏଡିଏମକେ ନେତ୍ରୀଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଜେଲ୍‌ଦଣ୍ଡ ସହିତ ତାଙ୍କୁ ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ହୋଇଥିଲା। ଏହି ରାୟ ଆସିବା ପରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯେ କି ପଦବି ହରାଇଥିଲେ ଏବଂ ଜେଲ୍‌ ଯାଇଥିଲେ। କିନ୍ତୁ ୨୦୧୫ ମେ ୧୧ ତାରିଖରେ ସେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ସବୁ ଅଭିଯୋଗରୁ ମୁକ୍ତ ହୋଇଥିଲେ।

ଶିବୁ ସୋରେନ୍‌
ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ତଥା ଜେଏମଏମ ନେତା ଶିବୁ ସୋରେନଙ୍କୁ ଦିଲ୍ଲୀର ଏକ ଅଦାଲତ ୨୦୦୬ ସେପ୍ଟେମ୍ବର ୫ ତାରିଖରେ ଆଜୀବନ କାରାଦଣ୍ଡାଦେଶ ହୋଇଥିଲେ। ଏଥିସହିତ ୫ ଲକ୍ଷ ଟଙ୍କାର ଜରିମାନା ରାଶି ମଧ୍ୟ ତାଙ୍କ ଠାରୁ ଆଦାୟ କରି ପୀଡ଼ିତଙ୍କ ପରିବାରକୁ ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ। ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବ ଶଶି ନାଥ ଝାଙ୍କୁ ଅପରହଣ ଓ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଦେଇଥିଲେ। କିନ୍ତୁ ୨୦୦୭ ଅଗଷ୍ଟ ୨୨ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋ‌ଷମୁକ୍ତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବାରେ ସିବିଆଇ ବିଫଳ ହୋଇଥିବା ଦର୍ଶାଇ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ପରେ ଏହି ରାୟ ମଧ୍ୟ ୨୦୧୬ ଏପ୍ରିଲରେ ସୁପ୍ରିମ କୋର୍ଟରେ କାଏମ ରହିଥିଲା।

ବଙ୍ଗାରୁ ଲକ୍ଷ୍ମଣ
ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବଙ୍ଗାରୁ ଲକ୍ଷ୍ମଣଙ୍କୁ ସିବିଆଇ ଅଦାଲତ ୨୦୧୨ ଏପ୍ରିଲରେ ୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଦଳର ମୁଖ୍ୟାଳୟରେ ଜଣେ ଛଦ୍ମବେଶୀ ସାମ୍ବାଦିକଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଡିଲର ଭାବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ବଙ୍ଗାରୁ ପ୍ରଥମ ରାଜ‌ନେତା ଯେ କି ଷ୍ଟିଙ୍ଗ ଅପରେସନରେ ଧରାପଡ଼ି ଦଣ୍ଡିତ ହୋଇଥିଲେ। ଏପରିକି ସେ ହେଉଛନ୍ତି କୌଣସି ଦଳର ପ୍ରଥମ ସଭାପତି ଯେ କି ଦୁର୍ନୀତି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି।

୨ଜି ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ତଥା ଡି‌ଏମକେ ନେତା ଏ ରାଜାଙ୍କୁ ୧୫ ମାସ ଜେଲ୍ ଯିବାକୁ ପଡ଼ିଥିଲା। ୨୦୧୧ ଫେବ୍ରୁଆରି ୨ରେ ସେ ଜେଲ ଯାଇଥିବାବେଳେ ୨୦୧୨ ମେ ୧୨ରେ ତାଙ୍କୁ ଜାମିନ ମିଳିଥିଲା। ୨ଜି ଦୁର୍ନୀତି ମାମଲାରେ ଏ ରାଜା ସବୁଠୁ ଦୀର୍ଘ ଦିନ ଧରି ଜେଲ୍‌ରେ ରହିଛନ୍ତି। ତାଙ୍କ ଦଳୀୟ ସହକର୍ମୀ ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧୀଙ୍କ ଝିଅ କାନିମୋଝି ଏହି ମାମଲାରେ ୬ ମାସ ଜେଲ୍‌ରେ ଥିଲେ।

ସୁରେଶ କାଲମାଡ଼ି
ପୂର୍ବତନ କଂଗ୍ରେସ ନେତା ସୁରେଶ କାଲମାଡ଼ି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କମିଟିର ଅଧ୍ୟକ୍ଷ ଥିଲେ। କିନ୍ତୁ ଏଥିରେ ଦୁର୍ନୀତି ମାଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୧ ଏପ୍ରିଲ ୨୫ରେ ଗିରଫ କରିଥିଲେ। ସେ ୯ ମାସ ଜେଲ୍‌ରେ ରହିବା ପରେ ଜାମିନରେ ମୁକୁଳିଥିଲେ।


ପି ଚିଦମ୍ବରମ
ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲ୍‌ରେ ରହିବାକୁ ପଡ଼ିଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ୨୦୧୯ ସେପ୍ଟେମ୍ବର ୫ରେ ଚିଦମ୍ବରମଙ୍କୁ ୧୪ ଦିନ ପାଇଁ ତିହାର ଜେଲ୍‌ ପଠାଇଥିଲେ। ୪ ଡିସେମ୍ବରରେ ସୁପ୍ରିମକୋର୍ଟ ଚିଦମ୍ବରମଙ୍କୁ ଜାମିନ ମଂଜୁର କରିଥିଲେ।

ଲାଲୁ ପ୍ରସାଦ ଯାଦବ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗିଛନ୍ତି। ଝାଡ଼ଖଣ୍ଡର ଦେଓଘର, ଡୁମ୍‌କା ଏବଂ ଚାଇବାସା ଟ୍ରେଜରିରୁ ବେଆଇନ ଅର୍ଥ ଉଠାଣ ନେଇ ଲାଲୁ ୪ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଚାଇବାସା ଟ୍ରେଜରିରୁ ୨ଟି ବେଆଇନ ଉଠାଣ ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ। ଦୋରନ୍ଦା ଟ୍ରେଜରିରୁ ବେଆଇନ ଉଠାଣ ନେଇ ଲାଲୁ ଏବେ ପଞ୍ଚମ ଦୁର୍ନୀତି ମାମଲାର ସମ୍ମୁଖୀନ ହେଉଛନ୍ତି। ୨୦୧୭ ଡିସେମ୍ବରରୁ ଲାଲୁ ଜେଲ୍‌ରେ ଥିବା ବେଳେ ଗତମାସରେ ମୁକୁଳିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର