ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ଏଥର ମହାଲଢ଼େଇ: ଧର୍ମେନ୍ଦ୍ରଙ୍କ ପରେ ମଇଦାନକୁ ଓହ୍ଲାଇଲେ ପ୍ରଣବ

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ଉଭୟ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କିଛିମାସ ତଳୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ନିଜ‌ସ୍ବ ଟିମ୍ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ସକ୍ରିୟ ରହିଥିଲେ। ଧର୍ମେନ୍ଦ୍ରଙ୍କ ପ୍ରସ୍ତୁତି ଜଣାପଡ଼ିବା ପରେ ବିଜେଡି ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇପାରୁଥିବା ଭଳି ଜଣେ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଥିଲା। ଗତ ଜାନୁଆରି ମାସରେ ମଧ୍ୟ ଏହାର ଆଭାସ ମିଳିଯାଇଥିଲା ଏବଂ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ନିଜେ ପ୍ରଣବ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଶେଷରେ, ବିଜେଡିର ସେହି ଯୋଜନା କାର୍ଯ୍ୟକାରୀ ହେବାସହିତ ପ୍ରଣବ ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ଫଳରେ, ଦୁଳ ଦଳର ଆଗଧାଡ଼ିର ନେତୃତ୍ବ ଏଠାରୁ ପ୍ରାର୍ଥୀହେବା ପରେ ଏଠାକାର ନିର୍ବାଚନ ମହାଲଢ଼େଇର ରୂପନେବ ବୋଲି ଏବେଠାରୁ କୁହାଯାଉଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଉଭୟ ଧର୍ମେନ୍ଦ୍ର ଓ ପ୍ରଣବ ସମ୍ବଲପୁର ଲୋକସଭା କ୍ଷେତ୍ର ବାହାରର ବାସିନ୍ଦା। ଧର୍ମେନ୍ଦ୍ର ଅନୁଗୁଳ ଜିଲ୍ଲାର ବାସିନ୍ଦା ଏବଂ ଏହି ଜିଲ୍ଲାର ଦୁଇଟି ବିଧାନସଭା କ୍ଷେତ୍ର ଛେଣ୍ଡିପଦା ଓ ଆଠମଲ୍ଲିକ ସମ୍ବଲପୁର ଲୋକସଭା କ୍ଷେତ୍ରରେ ରହିଛି। ଅପରପକ୍ଷରେ ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩ଟି ବିଧାନସଭା ଆସନ ସମ୍ବଲପୁର, ଦେବଗଡ଼ ଓ ରେଂଗାଲି ବର୍ତ୍ତମାନ ବିଜେପି ଅକ୍ତିଆରରେ ଥିବା ବେଳେ କୁଚିଣ୍ଡା, ରେଢ଼ାଖୋଲ, ଛେଣ୍ଡିପଦା କ୍ଷେତ୍ରରେ ଦଳୀୟ ସଂଗଠନ ସୁଦୃଢ଼ ହୋଇଛି। ଚଷାଜାତି ବହୁଳ ଆଠମଲ୍ଲିକ, ଛେଣ୍ଡିପଦା, ଦେବଗଡ଼, ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଧର୍ମେନ୍ଦ୍ରଙ୍କ ପାଇଁ ସହଜ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅପରପକ୍ଷରେ ରାଜନୈତିକ ଗୋଟିଚାଳନାରେ ବେଶ୍‌ ସିଦ୍ଧହସ୍ତ ହେଉଛନ୍ତି ପ୍ରଣବ। ତାଙ୍କର ମଧ୍ୟ ଦୃଢ଼ ସାଙ୍ଗଠନିକ ଦକ୍ଷତା ରହିଛି। ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକଭାବେ ଅଂଚଳର ଛୋଟବଡ଼ ଦଳୀୟ କର୍ମୀମାନଙ୍କ ସହିତ ତାଙ୍କର ବେଶ୍‌ ସମ୍ପର୍କ ରହିଛି। ଫଳରେ, ଦଳୀୟ ପ୍ରଭାବ ସହିତ ଅଂଚଳବାସୀଙ୍କ ମନ ଜିଣିବା ପାଇଁ ସେ ନିଶ୍ଚିତଭାବେ ଶତ ପ୍ରତିଶତ ଉଦ୍ୟମ କରିବେ ବୋଲି କୁହାଯାଉଛି। ଆଗାମୀଦିନରେ ଏହି ହାଇପ୍ରୋଫାଇଲ୍‌ ବା ମହାଲଢ଼େଇ କିଭଳି ରୂପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।