ରାଜ୍ୟ ସ୍ପେଶାଲ ରିପୋର୍ଟ

ସବୁ ଜିଲ୍ଲାର ବିକାଶ ହେଲେ ଓଡ଼ିଶାର ବିକାଶ ହେବ: ରାଜ୍ୟପାଳ

ଭୁବନେଶ୍ବର: ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଇତିମଧ୍ୟରେ ଭୁବନେଶ୍ବର ପୂର୍ବ ଭାରତର ଶିକ୍ଷା ହବ୍ ପାଲଟିଛି। ଏବେ ଆହ୍ବାନ ହେଉଛି- ନୂଆ ଶିକ୍ଷା ନୀତି ଆଧାରରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ନିର୍ଦ୍ଦିଷ୍ଟ ନୀତି ଆଣିବାକୁ ହେବ। ଓଡ଼ିଶାର ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ‌ରେ ପରିଣତ କରିବାକୁ ହେବ। ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ୮ମ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶା ସାମ୍ନାରେ ଏଭଳି ଗୋଟିଏ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ସ୍ପଷ୍ଟ ଭାବେ କହିଛନ୍ତି ଯେ ଏବେ ସନ୍ତୁଳିତ ବିକାଶକୁ ଆଗକୁ ନେବାକୁ ହେବ। କେବଳ ଗୋଟିଏ ଜିଲ୍ଲାର ବିକାଶ ହେଲେ ଓଡ଼ିଶା ଆଗକୁ ବଢ଼ିପାରିବନି। ଏଣୁ ସବୁ ଜିଲ୍ଲାର ବିକାଶ ହେଲେ ଯାଇ ଓଡ଼ିଶାର ବିକାଶ ହେବ।

ସବୁ ବର୍ଗର ବିକାଶ ପ୍ରସଙ୍ଗରେ ମତ ରଖି ରାଜ୍ୟପାଳ କହିଥିଲେ, ଗ୍ରାମୋଦ୍ୟୋଗ ଜରିଆରେ ଗାଁରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଗଲେ, ସେଠାରେ ବସବାସ କରୁଥିବା ଲୋକେ ରୋଜଗାର ପାଇଁ ଆଉ ବାହାରକୁ ଯିବେନାହିଁ। ମତ୍ସ୍ୟଜୀବୀ, ସହରରେ ବସବାସ କରୁଥିବା ଗରିବ ଓ ଆଦିବାସୀଙ୍କ ବିକାଶକୁ ମଧ୍ୟ ସମଭାବରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେହିଭଳି ନାରୀ ଶକ୍ତି ବିକାଶ ଅର୍ଥାତ୍ ଅଧା ଜନସଂଖ୍ୟାକୁ ଯଦି ତାଙ୍କର ହକ୍ ନ ମିଳେ, ତେବେ ସମାଜ ଆଗକୁ ବଢ଼ିପାରିବ ନାହିଁ। ନୂଆ ଭାରତରେ ପଞ୍ଚାୟତ ଭବନରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ନାରୀ ଶକ୍ତିକୁ ଦେଖିବାକୁ ମିଳୁଛି। ଏହାଭିନ୍ନ ଯୁବଶକ୍ତି ରାଷ୍ଟ୍ର ନିର୍ମାଣରେ ମଧ୍ୟ ବଡ଼ ଭୂମିକା ନିର୍ବାହ କରିଥାନ୍ତି। ଏସବୁକୁ ପ୍ରାଥମିକତା ଦେଇ ଆଗକୁ ବଢ଼ିବାକୁ ହେବ। ରାଜ୍ୟପାଳ ଆହୁରି କହିଥିଲେ ଯେ ଉତ୍କଳର କଳା, ସଂସ୍କୃତି ଓ ପରମ୍ପରାର ଭିନ୍ନ ପରିଚୟ ରହିଛି। ଏକଦା କୃଷି, ନୌବାଣିଜ୍ୟ, କୁଟୀର ଶିଳ୍ପ, ହସ୍ତକଳା ଓ ସାମରିକ ଶକ୍ତି ଉତ୍କଳକୁ ବିକାଶର ଶୀର୍ଷରେ ପହଞ୍ଚାଇଥିଲା। ଏହା ସହିତ ପ୍ରାକୃତିକ ସଂପଦର ଠିକ୍ ଉପଯୋଗ କରାଗଲେ, ଓଡ଼ିଶା ସମୃଦ୍ଧି ପଥରେ ଆଗକୁ ବଢ଼ିପାରିବ। ଅନ୍ୟପଟରେ ରାଜ୍ୟର ବିକାଶ ପ୍ରକ୍ରିୟାରେ କୃଷି ସହ ଉଦ୍ୟୋଗର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଯେଉଁଠାରେ ଠିକ୍ ଆଇନ ବ୍ୟବସ୍ଥା, ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା ସହ ପାରଦର୍ଶୀ ସରକାର ରହିଥିବେ ସେଠାରେ ଜଣେ ନିବେଶକ ନିବେଶ କରିବା ପାଇଁ ଆଗେଇ ଆସିଥାଏ। ଏହି କ୍ରମରେ ଓଡ଼ିଶାକୁ ଉଦ୍ୟୋଗ ସହ କୃଷି, ନିର୍ମାଣ, ଆଇଟି, ପର୍ଯ୍ୟଟନ କ୍ଷେତ୍ରକୁ ଧ୍ୟାନ ଦେବାକୁ ହେବ।

ଦେଶରେ ପରବର୍ତ୍ତୀ ଶିଳ୍ପାୟନର ହବ୍ ଓଡ଼ିଶା : ଶିଳ୍ପ ମନ୍ତ୍ରୀ
ଭୂଇଁ ତଳେ ଯେତିକି ସମ୍ପତ୍ତି, ଉପରେ ବି ସେତିକି : ‘ସମ୍ବାଦ’ ସଂପାଦକ

ଓଡ଼ିଶା ନିର୍ମାଣ ସଂପର୍କରେ ମତ ରଖି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ନିର୍ମାଣ ଅର୍ଥ କେବଳ ଉଦ୍ୟୋଗ କିମ୍ବା ଉଦ୍ୟୋଗପତି ନୁହନ୍ତି। ଜାତିର ନିର୍ମାଣ, ଓଡ଼ିଶାର ନିର୍ମାଣ। ଓଡ଼ିଆ ଜାତି ସମୁଦ୍ର ବାଟ ଦେଇ ଅନ୍ତର୍ଜାତୀୟସ୍ତରରେ ବ୍ୟବସାୟ କରୁଥିଲେ। ତେଣୁ ଓଡ଼ିଶାରେ ଶିଳ୍ପର ଭିତ୍ତିଭୂମି ଦେଢ଼ ହଜାର ବର୍ଷ ତଳର। ଦେଢ଼ ହଜାର ବର୍ଷ ତଳେ ଓଡ଼ିଆମାନେ ନୌବାଣିଜ୍ୟ ଜରିଆରେ ବ୍ୟବସାୟ କରୁଥିବା ବେଳେ ଆଜିର ଯୁବକ ଚାକିରି ଖୋଜୁଛନ୍ତି। ଏବେ ରାଜ୍ୟ ସରକାର ଶିଳ୍ପାୟନ ଓ ଶିଳ୍ପାୟନ ନୀତିକୁ ମିସନ ମୋଡ୍‌ରେ ନେଇଛନ୍ତି। ସତୁରି ଓ ଅଶୀ ଦଶକରେ ମଧ୍ୟ ସରକାର ଏଥିପାଇଁ ପ୍ରଚେଷ୍ଟା କରିଥିଲେ। ହେଲେ ପାରିପାର୍ଶ୍ବିକ ଅବସ୍ଥା‌ ଶିଳ୍ପାୟନରେ ପ୍ରତିରୋଧ ସୃଷ୍ଟି କରିଥିଲା। ଭିତ୍ତିଭୂମିର ଅଭାବ, ଶିକ୍ଷିତ ମାନବ ସମ୍ବଳ, କଞ୍ଚା ମାଲ ଓ ବିଦ୍ୟୁତ୍‌ ଅଭାବ ଇତ୍ୟାଦି ପାଇଁ ସେତେବେଳେ ସରକାର ଚାହିଁଥିଲେ ବି ଆଗେଇ ପାରି ନ ଥିଲେ। ୨୦୦୦ ମସିହାରୁ ଓଡ଼ିଶାରେ ଶିଳ୍ପ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶା କ୍ଷୁଧାମୁକ୍ତ ଓ ଶସ୍ୟଶାମଳା ବୋଲି ଗର୍ବର ସହ କହିପାରୁଛୁ। ସ୍କିଲ୍‌ ଇନ୍‌ ଇଣ୍ଡିଆରେ, ସ୍କିଲ୍‌ ଇନ୍‌ ଓଡ଼ିଶା ପିଲା ସବୁବେଳେ ନାଁ କରି ଆସୁଛନ୍ତି। ବିଦ୍ୟୁତ୍‌ ଉତ୍ପାଦନରେ ଓଡ଼ିଶା ଏବେ ଅଗ୍ରଣୀ। ଆଗକୁ ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପାୟନର ହବ୍ ପାଲଟିବ। ଓଡ଼ିଶାବାସୀଙ୍କୁ ହିଁ ଓଡ଼ିଶା ଗଠନ ପାଇଁ ଏକାଠି ହେବାକୁ ପଡ଼ିବ ବୋଲି ଶ୍ରୀ ଦେବ କହିଥିଲେ।

‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ସ୍ବାଗତ ଅଭିଭାଷଣରେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି। ଭୂଇଁ ତଳେ ଯେତିକି ସମ୍ପତ୍ତି ଓ ଉପରେ ବି ସେତିକି ସମ୍ପତ୍ତି। ହେଲେ ରାଜ୍ୟ ଗଠନର ୮୮ବର୍ଷ ପରେ ଯେଉଁ ସଫଳତା ପାଇବା କଥା ଆମେ ସେହି ସ୍ଥାନରେ କାହିଁକି ପହଞ୍ଚି ପାରିନାହୁଁ ଓ କେଉଁଠି ଅଭାବ ରହିଯାଇଛି? ତା’ର ଅନାସକ୍ତ ଆଲୋଚନା ଜରୁରୀ। ଓଡ଼ିଶା ବିକାଶ ପ୍ରକ୍ରିୟାରେ ରାଜ୍ୟବାସୀଙ୍କୁ ଯୋଡ଼ିବା ପାଇଁ ‘ନିର୍ମାଣ କନ୍‌କ୍ଲେଭ୍‌’ ଗୋଟିଏ ପ୍ରୟାସ ବୋଲି ଶ୍ରୀମତୀ ପଟ୍ଟନାୟକ ଏହି ଅବସରରେ ସୂଚନା ଦେଇଥିଲେ। ଉଲ୍ଲେଖଥାଉକି, ପ୍ରଥମ ଅଧିବେଶନରେ ଓଡ଼ିଶା: ପର୍ଯ୍ୟଟନଙ୍କ ପ୍ରଥମ ପସନ୍ଦ ହେବ କେମିତି ? ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅତିଥିଭାବେ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦେଶକ ସଚିନ ଯାଦବ, ହାରୋ ସଭାପତି ଜେ.କେ ମହାନ୍ତି ଓ ବିଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଥିଲେ। ଦ୍ବିତୀୟ ଅଧିବେଶର ବିଷୟବସ୍ତୁ ରହିଥିଲା ଚାଷୀଙ୍କୁ ମିଳୁଛି କି ବଜାର? ଏଥିରେ ରାଜ୍ୟ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଶିକ୍ଷାବିତ୍ ପ୍ରଫେସର ତପନ ପଣ୍ଡା, ଚାଷୀ ନେତା ରମେଶ ମହାପାତ୍ର ସାମିଲ ହୋଇଥିଲେ। ତୃତୀୟ ଅଧିବେଶନରେ ଆଲୋଚନାର ଶୀର୍ଷକ ଥିଲା ‘ଓଡ଼ିଶା : ଖେଳ ଦେଇଛି ନୂଆ ପରିଚୟ’।

ଏଥିରେ ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ଅତିଥି ରହିଥିଲେ। ଚୁତର୍ଥ ଅଧିବେଶନର ବିଷୟବସ୍ତୁ ଥିଲା ରାଜନୀତି : ଭିନ୍ନ ମତର ସ୍ଥାନ ନାହିଁ କି ? ଏଥିରେ ବିଜେଡିର ପ୍ରବକ୍ତା ଲେନିନ ମହାନ୍ତି, ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ନେତା ବିଶ୍ବରଂଜନ ମହାନ୍ତି ଆଲୋଚନା କରିଥିଲେ। ଶେଷ ଅଧିବେଶନର ଶୀର୍ଷକ ଥିଲା ଓଡ଼ିଆ ସିନେମା ବାଟରେ କଣ୍ଟା କିଏ ? ଏହି ଆଲୋଚନାରେ ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନାୟକ, ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମ ରାୟ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।