ଖେଳ ଦେଶ ବିଦେଶ

ଶ୍ରୀଲଙ୍କା ଶୃଙ୍ଖଳା ଲାଗି ସଜବାଜ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୬-୦ (ଉଭୟ ଶୃଙ୍ଖଳାକୁ ୩-୦ରେ ଜିତିବା ପରେ)ରେ ପୋଛିନେବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଉପରେ ନଜର ପକାଇଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଦୁଇଟି ପର୍ଯ୍ୟାୟରେ ଦୁଇଟି ଶୃଙ୍ଖଳା ଖେଳିବ। ପ୍ରଥମେ ତିନିଟି ଟ୍ବେଣ୍ଟି-୨୦ ଖେଳିବ। ତା’ ପରେ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରେ ମଧ୍ୟ ଅବତ୍ତୀର୍ଣ୍ଣ ହେବ। ପୂର୍ବରୁ ଉଭୟ ଦଳ ପ୍ରଥମେ ଟେଷ୍ଟ୍ ଏବଂ ତା’ ପରେ ଟ୍ବେଣ୍ଟି-୨୦ ଖେଳିବାର ଥିଲା। ହେଲେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ବିଶେଷ ଅନୁରୋଧ ପରେ ଏବେ ଆଗ ଟ୍ବେଣ୍ଟି-୨୦ ଏବଂ ପଛରେ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଖେଳାଯିବ। ପରବର୍ତ୍ତୀ ଦୁଇ ମୁକାବିଲା ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଧର୍ମାଶାଳା (ହିମାଚଳପ୍ରଦେଶ)ରେ ଖେଳାଯିବ। ଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ଅକ୍ଟୋବର ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍ ପୂର୍ବରୁ ଆଉ ଏକ ମୂଳପୋଛ ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଭାରତ ସପକ୍ଷରେ ପରିସଂଖ୍ୟାନ
ପଡ଼ୋଶୀ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଟ୍ବେଣ୍ଟି-୨୦ ମୁକାବିଲାଗୁଡ଼ିକରେ ଭାରତ ଢେର ଆଗରେ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୨୨ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୧୪ ମ୍ୟାଚ୍ ଜିତିଥିଲା ବେଳେ ଶ୍ରୀଲଙ୍କା‌ ତା’ର ଅଧା ଅର୍ଥାତ୍ କେବଳ ୭ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି। ଦୁଇ ଦଳ ୨୦୦୮ରୁ ୨୦୨୧ ମଧ୍ୟରେ ୮ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭେଟା‌ଭେଟି ହୋଇଛନ୍ତି। ୨୦୦୮ର ପ୍ରଥମ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିଥିଲା। ୨୦୨୧ରେ ଖେଳାଯାଇଥିବା ଶେଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଶ୍ରୀଲଙ୍କା ୨-୧ରେ ଜିତି ନେଇଥିଲା। ମୋଟ ଉପରେ କିନ୍ତୁ ଶ୍ରୀଲଙ୍କାଠାରୁ ଢେର ଆଗରେ ରହିଛି ଭାରତ। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ୮ ଶୃଙ୍ଖଳାରୁ ୬ ଶୃଙ୍ଖଳାରେ ବିଜୟୀ ‌ହୋଇଥିଲା ବେଳେ ଶ୍ରୀଲଙ୍କା ମାତ୍ର ଗୋଟିଏ ଶୃଙ୍ଖଳା ଜିତିଛି। ୨୦୦୯/୧୦ରେ ଖେଳାଯାଇଥିବା ଦୁଇ ଟିକିଆ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିଥିଲା।

ଲକ୍ଷ୍ନୌରେ ରୋହିତ ସେନା
ଶ୍ରୀଳଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଭାରତୀୟ ଦଳ ଲକ୍ଷ୍ନୌ ପହଞ୍ଚିଯାଇଛି। ତା’ସହ ଅଭ୍ୟାସ ବି ଆରମ୍ଭ କରିଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ମଙ୍ଗଳବାର ଦଳୀୟ ହୋଟେଲ୍‌ରେ ପହଞ୍ଚିବାର ଭିଡିଓ ବିସିସିଆଇ ନିଜ ସାମାଜିକଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛି। ବିମାନବନ୍ଦରରେ ଓହ୍ଲାଇବା ପରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ପ୍ରଥମେ ବସ୍‌ରେ ବସିଥିଲେ। ଅନ୍ୟପକ୍ଷରେ ହୋଟେଲକୁ ପ୍ରବେଶ କରିବା ପୂର୍ବରୁ ୱିକେଟ୍ ରକ୍ଷକ ଈଶାନ କିଶନ ନିଜ ମୋବାଇଲ୍‌ରେ କ୍ୟାରମ୍ ଖେଳୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଶ୍ରୀଲଙ୍କା ଶୃଙ୍ଖଳାର ଏକ ପ୍ରମୁଖ ଘଟଣା ଭାବେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଦୀର୍ଘ ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରିଛନ୍ତି। କେରଳ ୱିକେଟ୍ ରକ୍ଷକ ସଞ୍ଜୁ ସାମସନ୍ ମଧ୍ୟ ଭାରତୀୟ ଦଳରେ ଯୋଗଦେଇଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ଦଳକୁ ଫେରିଛନ୍ତି। ସେ ଉପଅଧିନାୟକ ପଦରେ ରହିଛନ୍ତି। ଓପନର କେଏଲ୍ ରାହୁଲ ଏବଂ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦର ଆହତ ହୋଇ ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କୁ ବିଶ୍ରାମ ମିଳିଛି।

ଦୀପକ ଚହର ବାଦ୍
ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ବାଦ୍ ପଡ଼ିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ ସେ ଆହତ ହୋଇଥିଲେ। ଆଗାମୀ ଦିନେ ଦୁଇ ଦିନ ପରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ) ଯାଇ ଥଇଥାନ କାର୍ଯ୍ୟକ୍ରମରେ ଯୋଗଦେବେ। ଆହତ ହେବା ପରେ ତାଙ୍କ ଆଇପିଏଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀଲଙ୍କା ଶୃଙ୍ଖଳା ପାଇଁ କିନ୍ତୁ ବିସିସିଆଇ ଚହରଙ୍କ ବଦଳରେ ଆଉ କାହାକୁ ନେଇନି।

-ଯଶ୍‌ପ୍ରୀତ୍‌ ବୁମ୍‌ରା କେବଳ ଭାରତ ନୁହେଁ, ବିଶ୍ବର ଯେକୌଣସି ଟ୍ବେଣ୍ଟି-୨୦ ଦଳକୁ ଯାଇପାରିବେ। ସେ ଜଣେ ଭୟଙ୍କର ସୁଇଙ୍ଗ୍‌ ବୋଲର। ତାଙ୍କ ବୋଲିଂରେ ଅତିରିକ୍ତ ପେସ୍‌ ରହିଛି। ସେ ଏକ୍ସପ୍ରେସ୍‌ ନହେଲେ ବି ବଲ୍‌କୁ ଘୂରାଇବାରେ ମାହିର। ସେ ଉଭୟ ଇନ୍‌ ସୁଇଙ୍ଗ୍‌ ଓ ଆଉଟ୍‌ ସୁଇଙ୍ଗ୍‌ କରିପାରନ୍ତି।
-ସୁନିଲ ଗାଭାସ୍କର, ପୂର୍ବତନ ଭାରତୀୟ ଅଧିନାୟକ
-କୋହଲିଙ୍କ ଅଚାନକ ଇସ୍ତଫା ବିସିସିଆଇକୁ ନିର୍ଦିଷ୍ଟ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ଟେ‌ଷ୍ଟ୍‌ ନେତୃତ୍ବରୁ କୋହଲି ଓହରିଯିବା ପରେ ବିସିସିଆଇ ଅଧିନାୟକ ବଣ୍ଟୁଆରା ଯୋଜନା ବଦଳାଇବା ପାଇଁ ବାଧ୍ୟ ହେଲା। ଫଳରେ ରୋହିତ ଶର୍ମାଙ୍କୁ ତିନି ଫର୍ମାଟ୍‌ର ନେତୃ୍ତ୍ବ ଦେବା ବ୍ୟତୀତ ବିକଳ୍ପ ଯୋଜନା ପାଇନଥିଲା।
-ସବା‌ କରିମ, ପୂର୍ବତନ ଭାରତୀୟ ୱିକେଟ୍‌ରକ୍ଷକ
-ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ପୂରା ଫିଟ୍‌ ହୋଇଯିବା କାରଣରୁ ହିଁ ଶାର୍ଦୁଳ ଠାକୁରଙ୍କୁ ବିଶ୍ରାମ ଦେବାକୁ ପଡ଼ିଲା। ଶାର୍ଦୁଳ ହିଁ ଅଲ୍‌ରାଉଣ୍ଡର ଭାବେ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ଜାଦେଜାଙ୍କ ପ୍ରକୃତ ପ୍ରତିଦ୍ବନ୍ଦ୍ବୀ। ଫଳରେ ଜାଦେଜାଙ୍କ ପ୍ରତ୍ୟାବର୍ତନ ହିଁ ଶାର୍ଦୁଳଙ୍କୁ ଦଳ ବାହାରେ ରହିବାର ପ୍ରମୁଖ କାରଣ।
-ସଞ୍ଜୟ ବାଙ୍ଗର, ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ