ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଚମକୁଛି ଶ୍ରୀସେତୁ ଓ ଶ୍ରୀଦାଣ୍ଡ, ପ୍ରତୀକ୍ଷାର ଅନ୍ତ

ପୁରୀ: ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ। ଏହା ପୂର୍ବରୁ ପ୍ରସ୍ତୁତ ହୋଇଛି ଶ୍ରୀସେତୁ ଓ ଶ୍ରୀଦାଣ୍ଡ। ଶ୍ରୀସେତୁ ରାସ୍ତା ମଝି ଓ ପାର୍ଶ୍ବରେ ସୃଷ୍ଟି ହୋଇଛି ସବୁଜ ବଳୟ। ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣରେ ଭରି ଦିଆଯାଇଛି ଏହି ନବନିର୍ମିତ ସେତୁ। ତୂରୀ ଆକୃତିର ଏହି ସେତୁ ଶ୍ରୀକ୍ଷେତ୍ରର ଟ୍ରାଫିକ୍‌ ସମସ୍ୟା ଦୂର କରିବ। ଯେଉଁଭଳି ଏହି ସେତୁକୁ ପରଷାଯାଉଛି, ଆଗାମୀ ଦିନରେ ଏହା ପର୍ଯ୍ୟଟକଙ୍କର ପ୍ରମୁଖ ଆକର୍ଷଣ ପାଲଟିବ। ସେପଟେ ବଡ଼ଦାଣ୍ଡର ଚାପ କମାଇବା ପାଇଁ ପ୍ରସ୍ତୁତ ହୋଇସାରିଛି ‘ଶ୍ରୀଦାଣ୍ଡ’। ଶ୍ରୀଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଦୋଳବେଦି କୋଣକୁ ସଂଯୋଗ କରୁଥିବା ଏହି ନୂଆ ଚଉଡ଼ା ରାସ୍ତାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପେଭର୍‌ ବ୍ଲକ୍‌ ବିଛାଯାଇଛି। ରାସ୍ତାର ଦୁଇପାର୍ଶ୍ବ ବଡ଼ଦାଣ୍ଡ ଭଳି ଫିକା ଗୋଲାପି ରଙ୍ଗରେ ରଙ୍ଗାୟିତ ହୋଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ରାସ୍ତାର ଦୁଇପାର୍ଶ୍ବରେ ନାନାଦି ଗଛ ରଖାଯାଇଛି। ଏହା ସାଙ୍ଗକୁ ରାସ୍ତାର ଦୁଇପାର୍ଶ୍ବରେ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ମୂର୍ତ୍ତି ଏହି ରାସ୍ତାର ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି। ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତାରେ ଭରି ଦିଆଯାଇଛି ‘ଶ୍ରୀଦାଣ୍ଡ’। କେଉଁଠି ସନାତନ ସଂସ୍କୃତିର ଝଲକ ପାଇଁ ଆଦି ଶଙ୍କରାଚାର୍ଯ୍ୟ ଓ ଶିଷ୍ୟଗଣଙ୍କ ପ୍ରତିମୂର୍ତ୍ତି, ଶ୍ରୀଚେତୖନ୍ୟଙ୍କ ପ୍ରତିମୂର୍ତ୍ତି, ଆଉ କେଉଁଠି ପ୍ରଭୁ ଶଙ୍କର ଓ ବୃଷଭଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ହୋଇଛି। ଫୁଲ ଗଛ ସ୍ପର୍ଶ ଦେଇ ସମ୍ପୂର୍ଣ୍ଣ ପରିବେଶକୁ ଆଖିଝଲସା ରୂପ ଦିଆଯାଇଛି। ସମଭଳି ରୂପ ପାଇଁ ଶ୍ରୀସେତୁ। ଶ୍ରୀସେତୁର ଉଭୟ ପାର୍ଶ୍ବରେ ମହାପ୍ରସାଦ କୁଡ଼ୁଆଠାରୁ ଆରମ୍ଭ କରି ଅନ୍ୟାନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ରାସ୍ତାର ଶୋଭାବର୍ଦ୍ଧନ କରୁଛି। ଯେଉଁ ଭକ୍ତ ଅବା ପର୍ଯ୍ୟଟକ ଶ୍ରୀସେତୁ ଦେଇ ଆସି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ପାର୍କିଂ କରି ଶ୍ରୀମନ୍ଦିର ଯିବେ, ସେମାନେ ଭିନ୍ନ ଅନୁଭୂତି ସାଉଁଣ୍ଟିବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ଦୋଳବେଦି କୋଣ ସଭାସ୍ଥଳରେ ପହଞ୍ଚିବେ। ଏଥିପାଇଁ ଶ୍ରୀସେତୁ ଆରମ୍ଭରୁ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ୍‌ ରାସ୍ତା କଡ଼ରେ ଅସ୍ଥାୟୀ ହେଲିପ୍ୟାଡ୍‌ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଏଠାରେ ଅବତରଣ ପରେ କାର୍‌କେଡ୍‌ରେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବେ। ସେଠାରୁ ବ୍ୟାଟେରି ଚାଳିତ ଅଟୋରେ ଶ୍ରୀଦାଣ୍ଡ ଦେଇ ଦୋଳବେଦି କୋଣରେ ପହଞ୍ଚି ଲୋକାର୍ପଣ ସ୍ଥଳକୁ ଯିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ରିହର୍ସଲ୍‌ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଏସ୍‌ପି ଡା. କେ. ବିଶାଳ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି କାରକେଡ୍‌ରେ ଅସ୍ଥାୟୀ ହେଲିପ୍ୟାଡ୍‌ରୁ ଶ୍ରୀସେତୁରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ୩ଟି ବ୍ୟାଟେରି ଚାଳିତ ଅଟୋରେ ଲୋକାର୍ପଣ ସଭାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପୁରୀ: ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରିତ ଅତିଥି ଓ ଭକ୍ତଙ୍କୁ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ହୋଇସାରିଛି ସମଙ୍ଗ ପାର୍କିଂ। ଏହି ପାର୍କିଂର ସଂପୂର୍ଣ୍ଣ ନାମ ‘ସମଙ୍ଗ ପାର୍କିଂ ଓ ଏକ୍‌ଜିବିସନ୍‌ ଏରେନା’ ରଖାଯାଇଛି। ବସ୍‌ ପାର୍କିଂ ସହ ଅନ୍ୟ ସମୟରେ ଏଠାରେ ବିଭିନ୍ନ ପ୍ରଦର୍ଶନୀ ଆୟୋଜନର ବି ବ୍ୟବସ୍ଥା କରାଯାଇଛି। ପାର୍କିଂରେ ବିସ୍ତୃତ ଜାଗା ବାହାର କରାଯାଇଛି। ଯେଉଁଠି ବସ, କାର, ଅଟୋ, ଦୁଇଚକିଆ ଆଦିକୁ ମିଶାଇ ୨ହଜାର ୨୯୦ ଗାଡ଼ି ପାର୍କିଂ ହୋଇପାରିବ। ପାର୍କିଂ ଭିତରେ ପ୍ରାୟ ଦେଢ଼ କିଲୋମିଟରର ପିଚୁ ରାସ୍ତା ବି ପ୍ରସ୍ତୁତ ହୋଇଛି। ଏହାସହ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଦୁଇ ଜର୍ମାନ୍‌ ହ୍ୟାଙ୍ଗର(ସେଡ୍‌)ର ବ୍ୟବସ୍ଥା କରାଯାଇଛି। ୧୦ହଜାରରୁ ଅଧିକ ଲୋକ ଏକକାଳୀନ ବସି ପାରିବାର ଏଠାରେ ବ୍ୟବସ୍ଥା ହୋଇଛି। ଅତିଥିମାନେ ଏଠାରେ ବିଶ୍ରାମ କରିପାରିବେ। ସେପଟେ ଲୋକାର୍ପଣ ଉତ୍ସବ ଦିନ ଯେଉଁ ଅତିଥିମାନେ ଆସି ପହଞ୍ଚିବେ, ଏଠାରେ ସେମାନଙ୍କ ଗାଡ଼ି ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବ୍ୟାଟେରି ଚାଳିତ ବସ(ବିଓଭି)ର ବ୍ୟବସ୍ଥା ହୋଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ଯିବା ପାଇଁ ବ୍ୟାଟେରି ଚାଳିତ ଅଟୋର ବ୍ୟବସ୍ଥା ହୋଇଛି। ଏଥିପାଇଁ ସମଙ୍ଗ ପାର୍କିଂରେ ବସ୍‌ ପାଇଁ ସ୍ବତନ୍ତ୍ର ବ୍ୟାଟେରି ଚାର୍ଜିଂ ଷ୍ଟେସନ୍‌ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ବସ୍‌ ଚାର୍ଜିଂ(ଡିସି ପ୍ଲଗ୍‌) ପାଇଁ ଦୁଇଟି ମେସିନ୍‌(ଡିସ୍‌ପେନ୍ସର) ବସାଯାଇଛି। ଏଭଳି ୭ଟି ଚାର୍ଜିଂ ମେସିନ୍‌ ବସାଇବାର ଯୋଜନା କରାଯାଇଛି। ଇତିମଧ୍ୟରେ ଚାର୍ଜିଂ ଷ୍ଟେସନ୍‌ ବି କାର୍ଯ୍ୟକ୍ଷମ ହୋଇସାରିଛି।

ପ୍ରଦର୍ଶିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ତିନି ରଥର ପ୍ରତିକୃତି, ରଥ ଚକ ସହ ୨୫ ବେଶ

ଆଜିଠୁ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରଦର୍ଶନୀ
ପୁରୀ: ଲୋକାର୍ପଣ ଉତ୍ସବ ସହ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ। ଭକ୍ତିରସରେ ଭିଜିବେ ନିମନ୍ତ୍ରିତ ଅତିଥିଙ୍କ ସହ ଭକ୍ତ। ଶ୍ରୀଜଗନ୍ନାଥ ବଲ୍ଲଭରେ ଅନୁଷ୍ଠିତ ହେଉଥିବା ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରସଂକ୍ଷିପ୍ତ ସ୍ବରୂପ(କଳାକୃତି)। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ, ନାଗାର୍ଜୁନ ବେଶଠାରୁ ଆରମ୍ଭ ଅନ୍ୟାନ୍ୟ ୨୫ ବେଶ ଏଠାରେ ପ୍ରଦର୍ଶିତ ହେବ। ଏଥିସହ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ାଣର ସଂକ୍ଷିପ୍ତ ସ୍ବରୁପ ମଧ୍ୟ ପ୍ରଦର୍ଶିତ ହେବ।। ଅବିକଳ ତିନିର ରଥର ଏହି କଳାକୃତିକୁ ପୂର୍ଣ୍ଣରୂପ ଦେଇଛନ୍ତି ରୂପକାର ସେବକ ରାଜେନ୍ଦ୍ର କୁମାର ମହାପାତ୍ର। ଅଦିନ ରଥଯାତ୍ରାର ଭ୍ରମ ସୃଷ୍ଟି କରୁଥିବା ଏହି ତିନି ରଥର ଉଚ୍ଚତା ୮.୩ ଫୁଟ। ନନ୍ଦିଘୋଷ ରଥର ଓସାର ୫.୨ ଫୁଟ, ତାଳଧ୍ବଜ ରଥର ଓସାର ୫ ଫୁଟ ଓ ଦର୍ପଦଳନ ରଥର ଓସାର ୪.୧୦ ଫୁଟ। ରଥର ବିଭିନ୍ନ ଅଂଶ ବି ଅବିକଳ ପ୍ରସ୍ତୁତ ହୋଇଛି। ରଥ ଦଉଡ଼ି ସହ ଅନ୍ୟାନ୍ୟ ପ୍ରସ୍ତୁତି ବି ରଥଯାତ୍ରାର ଅବତାରଣ ଦେଉଛି। ମାସେ ଧରି ପ୍ରତିଦିନ ୨୫ଜଣ କାରିଗର ଏହି କାରିଗରୀକୁ ପୂର୍ଣ୍ଣରୂପ ଦେଇଛନ୍ତି। ଏଥିସହ ପ୍ରଦର୍ଶନୀରେ ରଥର ତିନି ଚକ, କୋଣଗୁଜ, ସିଂହାସନ ସହ ରଥର ବିଭିନ୍ନ ଅଂଶ ପ୍ରଦର୍ଶିତ ହେବ। ମହାପ୍ରସାଦ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର କୁଡ଼ୁଆ, ମହାପ୍ରଭୁଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହେଉଥିବା ଦର୍ପଣ, ଗଡ଼ୁ, ଥାଳି, ପାଟବସ୍ତ୍ର, ଘୋଡ଼ ଆଦି ବି ପ୍ରଦର୍ଶିତ ହେବ। ମହାପ୍ରଭୁଙ୍କ ଉପରେ ପ୍ରସ୍ତୁତ ବୃତ୍ତଚିତ୍ର ପ୍ରଦର୍ଶନ ପାଇଁ ଏକ ବଡ଼ ଏଲ୍‌ଇଡି ସ୍କ୍ରିନ୍‌ ବି ଲଗାଯାଇଛି। ପ୍ରତିଦିନ ନୀତିକାନ୍ତିର ଫଟୋ ପ୍ରଦର୍ଶିତ ହେବ। ମାର୍କେଟ୍‌ ଛକରେ ବି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କାଞ୍ଚି ଅଭିଯାନ ଉପରେ ଲେଜର ଓ ସାଉଣ୍ଡ ସୋ’ର ବ୍ୟବସ୍ଥା କରାଯାଇଛି। ବୁଧବାରଠାରୁ ଏହା ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପରୀକ୍ଷାମୂଳକ ପ୍ରଦର୍ଶନ ଶେଷ ହୋଇଛି।

କାନ୍‌ଭାସ୍‌ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: କାନ୍‌ଭାସ ବଖାଣିବ ଶ୍ରୀମନ୍ଦିର ଚୌହଦୀ ସୌନ୍ଦର୍ଯ୍ୟର କଥା। ଶ୍ରୀମନ୍ଦିର ପରିକ୍ରମାକୁ ରଙ୍ଗର ସୃଜନୀରେ ଭରୁଛନ୍ତି ଚିତ୍ରଶିଳ୍ପୀ। ଚିତ୍ରରେ ଭକ୍ତ-ଭକ୍ତି-ଉନ୍ନତିର ପ୍ରତିଫଳନ ଦେଖିବେ ଭକ୍ତ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷିଣ ମାର୍ଗରେ ଚିତ୍ରର ସୃଜନୀ ଛିଟା ଭେଟି ଦେଇଛନ୍ତି ଶିଳ୍ପୀବୃନ୍ଦ। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ୨୦ ଜଣ ଚିତ୍ରଶିଳ୍ପୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପେଣ୍ଟିଂ ପ୍ରସ୍ତୁତ କରିଛନ୍ତି। ୨୦ଟି ଚିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ପ୍ରଦର୍ଶିତ ହେବ। ଶ୍ରୀମନ୍ଦିରର ଚାରିଦ୍ବାରରେ ଭକ୍ତଙ୍କ ଆବେଗର ପରିପ୍ରକାଶ ସାଙ୍ଗକୁ ବଦଳିଥିବା ଚୌହଦୀର ବାସ୍ତବତାକୁ କାନ୍‌ଭାସରେ ଉତାରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମି ଏବଂ ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ପରିକ୍ରମା ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଛି। ୨୦ ଜଣ ଚିତ୍ରଶିଳ୍ପୀ ଚିତ୍ର ପ୍ରସ୍ତୁତ କରୁଛନ୍ତି। ଏକାଡେମି ସଚିବ ପଞ୍ଚାନନ ସାମଲଙ୍କ ନେତୃତ୍ବରେ ଚନ୍ଦ୍ରଶେଖର ମହାରଣା, ଦେବେନ୍ଦ୍ର ଦାସ, ରାଜୀବ କୁମାର ଦେ, ରାଜକୁମାର ବେହେରା, ପ୍ରଦୀପ୍ତ କୁମାର ଷେଣ୍ଢ, ପ୍ରବାଳ ମଲ୍ଲିକ, ସନ୍ତୋଷ କୁମାର ମହାରଣା, ନମିତା ପଟ୍ଟନାୟକ, ନିତ୍ୟାନନ୍ଦ ସାହୁ, ତପନ କୁମାର ମହାରଣା, ଲକ୍ଷ୍ମଣ କୁମାର ନାୟକ, ଶୁଭେନ୍ଦୁ ମିଶ୍ର, ପ୍ରିୟଦର୍ଶିନୀ ମହାନ୍ତି, ବିଦ୍ୟୁତଲତା ପାଟ୍ଟଶାଣୀ, ପ୍ରଦୀପ କୁମାର ପାଣ୍ଡେ, ଜନାର୍ଦ୍ଦନ ପରମଗୁରୁ, ପ୍ରଶାନ୍ତ କୁମାର ସାହୁ, ନିରୋଦ ନଳିନୀ ବେହେରା ଓ ରଘୁନାଥ ସାହୁ ପ୍ରମୁଖ ଚିତ୍ରଶିଳ୍ପୀ ପେଣ୍ଟିଂରେ ପ୍ରକଳ୍ପର କଥା ବ୍ୟକ୍ତ କରିଛନ୍ତି। ଏକାଡେମି ସଚିବ ଶ୍ରୀ ସାମଲଙ୍କ କହିବା ଅନୁଯାୟୀ, ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ନେଇ ଚିତ୍ର ଆଙ୍କିବା କୌଣସି ସୌଭାଗ୍ୟଠୁ କମ୍‌ ନୁହେଁ। ଶିବିରରେ ପ୍ରସ୍ତୁତ ହୋଇଥିବା ୨୦ଟି ଚିତ୍ର ବୁଧବାର ପରିକ୍ରମା ମାର୍ଗରେ ପ୍ରଦର୍ଶିତ ହେବ। ସମ୍ଭବତଃ ଶହେ ବର୍ଷ ପରେ ଏହା ଆହୁରି ପ୍ରସାରିତ ହୋଇପାରେ, କିନ୍ତୁ ଏବେ ଝଟକୁଥିବା ଏ ଦୃଶ୍ୟର ଇତିବୃତ୍ତକୁ କାନଭାସରେ ସାଇତା ଯିବ। ଏହି ମାଧୁର୍ଯ୍ୟକୁ କାନଭାସରେ ଅକ୍ଷତ ରଖାଯିବ ବୋଲି ସେ କହିଛନ୍ତି। ତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁଙ୍କ କହିବା ଅନୁଯାୟୀ, ଜଗନ୍ନାଥ ଧାମର ପ୍ରଦକ୍ଷିଣ କେବେ କରିନଥିଲି। ଏହି ପ୍ରକଳ୍ପ ହେବାରୁ ଏବେ ଚାରିପଟ ବେଢ଼ା ବୁଲି ହେବା ଦେଖି ମୁଁ ବିଭୋର ହେଲି। ବଡ଼ଦାଣ୍ଡରେ ଛିଡ଼ା ହୋଇ ମହାପ୍ରଭୁଙ୍କ ପେଣ୍ଟିଂ କରିବାର ସ୍ମୃତି ସର୍ବଦା ସ୍ମରଣୀୟ ରହିବ। ପୁରୀ ଲଳିତ କଳା ଗ୍ୟାଲେରି ତତ୍ତ୍ବାବଧାରକ ସତ୍ୟ ପାଢ଼ୀ ଏହାକୁ ପରିଚାଳନା କରିଛନ୍ତି।

ସଶକ୍ତ ହେଉଛି ସୁରକ୍ଷା ବ୍ୟବସ୍ଥା: ରହିବେ ୧୧୯୦ ସୁରକ୍ଷାକର୍ମୀ, ରହିବ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ୍‌

ପୁରୀ: ଇତିହାସ କହେ କୋଟି କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର ପୀଠ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଛି। ଏହି ସମୟରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କୁ ରତ୍ନସିଂହାସନ ଛାଡ଼ିବାକୁ ପଡ଼ିଛି। ଆକ୍ରମଣକାରୀଙ୍କ କବଳରୁ ରକ୍ଷା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଠାକୁରଙ୍କୁ ଲୁଚାଇ ରଖାଯାଇଛି। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ ଆନ୍ଦୋଳିତ ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ଶ୍ରୀମନ୍ଦିର ନିକଟରେ ଛିଡ଼ା ହୋଇଥିବା ବେଳେ ବଡ଼ଦେଉଳର ସୁରକ୍ଷାକୁ ନେଇ ମନରେ ଆଶଙ୍କା ଭରିଥିଲା। ସେହିଠାରେ ମନରେ ଅଙ୍କା ହୋଇଥିବା ନକ୍ସା ଆଜି ବାସ୍ତବତାର ରୂପ ନେଇଛି। ପରିକ୍ରମା ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିରର ସୁରକ୍ଷା ଆହୁରି ସଶକ୍ତ ହୋଇଛି। କଳାପାହାଡ଼, ତକୀ ଖାଁ, ରକ୍ତବାହୁ, ହୁସେନ୍ ଶାହା, ମିର୍ଜା ଖୁରୁମ୍‌, କଲ୍ୟାଣ ମଲ୍ଲ, ମକରମ୍ ଖାଁ, ଅହମ୍ମଦ ବେଗ୍ ଖାଁ, ଏକରାମ୍ ଖାଁ, ମସ୍ତରାମ ଖାଁ ଭଳି ଅନେକ ବିଧର୍ମୀ ଓଡ଼ିଆ ଜାତିର ବିଶ୍ୱାସ ଓ ଅସ୍ମିତାର ପୀଠ ଉପରେ ବାରମ୍ବାର ଆକ୍ରମଣ କରିଛନ୍ତି। ହେଲେ ଆକ୍ରମଣ ପୂର୍ବରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେଇଛନ୍ତି ସେବାୟତ, ମଠାଧୀଶ, ରାଜ କର୍ମଚାରୀଙ୍କ ସମେତ ଶ୍ରୀକ୍ଷେତ୍ରବାସୀ। ଅନେକଙ୍କୁ ଜୀବନ ଉତ୍ସର୍ଗ କରିବାକୁ ପଡ଼ିଛି। ଆକ୍ରମଣ ସମୟରେ ଦାରୁବିଗ୍ରହଙ୍କୁ ରତ୍ନସିଂହାସନରୁ ବାହାରକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ଏପରିକି ଚିଲିକାରେ ଯାଇ ଲୀଳା କରିଛନ୍ତି ଲୀଳାମୟ। ଚିଲିକାର ଗୁରୁବାଈଗଡ଼, ବାଣପୁରର ନଈରୀ ଭଳି ସ୍ଥାନରେ ନେଇ ଠାକୁରଙ୍କୁ ଲୁଚାଇ ରଖାଯାଇଛି। ପୁରୁଣା ପୃଷ୍ଠାକୁ ଘାଣ୍ଟିବାର ଉଦ୍ଦେଶ୍ୟ ହେଉଛି କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ସ୍ୱାଭିମାନର ପ୍ରତୀକ ‘ବଡ଼ଦେଉଳ’ ଉପରେ ସର୍ବଦା ଆକ୍ରମଣର ଭୟ ରହି ଆସିଛି। ସେ ରାଜାରାଜୁଡ଼ା ଶାସନ ସମୟର କଥା ହେଉ ବା ଏବେର; ଶ୍ରୀମନ୍ଦିରକୁ ସୁରକ୍ଷାକୁ ନେଇ ବିପଦ ଥିବା ଗୁଇନ୍ଦା ବିଭାଗ ବି ବିଗତ କିଛିବର୍ଷ ହେବ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛି। ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି ଶ୍ରୀମନ୍ଦିର। ଏଥିପାଇଁ ଗତ ୮/୧୦ ବର୍ଷ ହେବ ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ଶ୍ରୀମନ୍ଦିରକୁ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଏନ୍‌ଏସ୍‌ଜି ମଧ୍ୟ ବିଭିନ୍ନ ସମୟରେ ସରକାରଙ୍କୁ ସୂଚାଇ ଆସୁଛି। ପୁରୀ ସହର ସମୁଦ୍ର କୂଳରେ ଅବସ୍ଥିତ। ତେଣୁ ଜଳପଥରେ ବି ଭୟ ରହିଛି, ଯେଉଁଥିପାଇଁ ତଟ ସୁରକ୍ଷାକୁ ବି ବଢ଼ାଯାଇଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୮/୧୦ ବର୍ଷ ପୂର୍ବରୁ ଶ୍ରୀମନ୍ଦିରକୁ ଯେତେ ସଂଖ୍ୟାରେ ଭକ୍ତ ଆସୁଥିଲେ, ଏବେ କାହିଁ କେତେଗୁଣା ବଢ଼ିଯାଇଛି। ୫/୭ ବର୍ଷ ପୂର୍ବର ରେକର୍ଡ ଦେଖିଲେ ପ୍ରତିଦିନ ସାଧାରଣ ଦିନରେ ୩୦/୪୦ ହଜାର ଶ୍ରଦ୍ଧାଳୁ ମନ୍ଦିର ଆସୁଥିଲେ । ହେଲେ କିଛିବର୍ଷ ହେବ ସାଧାରଣ ଦିନରେ ଭକ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଯାଉଛି । ପର୍ବପର୍ବାଣି ଦିନ କଥା ଛାଡ଼ନ୍ତୁ, ବଡ଼ଦାଣ୍ଡରେ ଦିନେ ଦିନେ ଗୋଡ଼ ପକାଇବାକୁ ବି ଜାଗା ମିଳୁନି । ତେଣୁ ଗୋଟିଏ ପଟେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ଓ ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷା ପରିକ୍ରମା ପ୍ରକଳ୍ପ ପରିକଳ୍ପନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକପ୍ରକାର ବାଧ୍ୟ କରିଥିଲା । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯେ, ଆହୁରି ସୁଦୃଢ଼ ଓ ସଶକ୍ତ ହୋଇପାରିଛି ଯେ କେହି ପରିକ୍ରମା ପ୍ରକଳ୍ପ ଦେଖିବେ ସେ ନିଃସନ୍ଦେହରେ ଏହା କହିପାରିବେ।
ପୂର୍ବରୁ ସ୍ଥିତି ଏମିତି ଥିଲା ଯେ ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରେ ଚାଲିଚାଲି ଯିବା କଷ୍ଟକର ହୋଇପଡ଼ୁଥିଲା। ପରିକ୍ରମା ପ୍ରକଳ୍ପ ଫଳରେ ଏବେ ଆଉ ସେଭଳି ସ୍ଥିତି ନାହିଁ। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ଏବେ ସୁରକ୍ଷା କରିଡର୍‌ ଭଳି ଛିଡ଼ା ହୋଇଛି। ୫୫ମିଟର ୨୪ଘଣ୍ଟିଆ ସୁରକ୍ଷାବଳୟରେ ରହୁଛି। ପ୍ରକଳ୍ପ ଭିତରେ ୯ଟି ସ୍ଲାଇଡିଂ ଡୋର୍‌ ଲଗାଯାଇଛି। ଏଠାରେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଏତଦ୍‌ବ୍ୟତୀତ ରାଜ୍ୟ ସରକାର ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀକୁ ଅନୁମୋଦନ କରିଛନ୍ତି। ଏଥିରେ ୧,୧୯୦ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଆହୁରି ସୁଦୃଢ଼ ହେବ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା। ଶୃଙ୍ଖଳିତ ଭାବେ ଦାରୁଦିଅଁଙ୍କୁ ଦର୍ଶନ କରିପାରିବେ ଭକ୍ତ। ଏହି ସୁରକ୍ଷାବାହିନୀ ମନ୍ଦିର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଦାୟିତ୍ୱ ସମ୍ଭାଳିବେ। ସମସ୍ତଙ୍କ ସହ ଆଲୋଚନା ପରେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଇଥିବା ମତାମତକୁ ଭିତ୍ତି କରି ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତିୀ। ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ। ଏହି ସ୍ୱତନ୍ତ୍ର ବାଟାଲିୟନ୍‌ ପୁରୀ ଏସ୍‌ପିଙ୍କ ଅଧୀନରେ କାମ କରିବେ। ତେଣୁ ପରିକ୍ରମା ପ୍ରକଳ୍ପକୁ ବାସ୍ତବତାର ରୂପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଛନ୍ତି।

୩୫ ଜାଗା ଘରେ ପ୍ରତିଷ୍ଠା ହେବ ଜିମ୍‌
ପୁରୀ: ଜାଗା ଆଖଡ଼ାରେ କସରତ ପାଇଁ ବଦଳିବ ଭିତ୍ତିଭୂମି। ଆଖଡ଼ାରେ ପ୍ରତିଷ୍ଠା ହେବ ହେବ ଜିମ୍‌ ହଲ୍। କୁସ୍ତି ପାଇଁ ଜାଗା ଘରକୁ ଯୋଗାଇ ଦିଆଯିବ ରେସ୍‌ଲିଂ ମ୍ୟାଟ୍‌। ପୁରୀର ଜାଗା ଆଖଡ଼ା ସଂସ୍କୃତିକୁ ବଳିଷ୍ଠ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ମୋଟ୍‌ ୩୫ଟି ଜାଗା ଆଖଡ଼ାରେ ଜିମ୍‌ ହଲ୍‌ ପ୍ରତିଷ୍ଠା କରାଯିବ। ଜିମ୍‌ ପ୍ରତିଷ୍ଠା ଲାଗି ୮କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଜିମ୍‌ ମଧ୍ୟରେ ଆଧୁନିକ ସରଞ୍ଜାମ ଯୋଗାଇ ଦିଆଯିବ। ଜାଗା ଆଖଡ଼ା ଶ୍ରୀକ୍ଷେତ୍ର ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ଜାଗାଘରଗୁଡ଼ିକ ବହୁ ପ୍ରାଚୀନ ହୋଇଥିବାରୁ ସେଗୁଡ଼ିକର ମରାମତି ନିତାନ୍ତ ପ୍ରୟୋଜନ ଥିଲା। ତେଣୁ କିଛି ଜାଗା ଆଖଡ଼ାର ଭିତ୍ତିଭୂମି ସହ ପରିପାର୍ଶ୍ବକୁ ନୂଆ ରୂପ ଦିଆଯାଇଛି। ଏବେ ବି ପାରମ୍ପରିକ ସରଞ୍ଜାମରେ ଯୁବକମାନେ ବ୍ୟାୟାମ କରୁଛନ୍ତି। ଅନ୍ୟ ଜିମ୍‌ଗୁଡ଼ିକରେ ଆଧୁନିକ ସରଞ୍ଜାମ ରହିଥିବାରୁ ବହୁ ଯୁବକ ଜାଗା ଆଖଡ଼ା ଛାଡ଼ି ଜିମ୍‌ ମୁହାଁ ହେଉଥିବାରୁ ଜିମ୍‌ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜିମ୍‌ ନିର୍ମିତ ହେବାକୁ ଥିବା ଜାଗା ଘରଗୁଡ଼ିକ ହେଲା, ମକରଧ୍ବଜ, ମାଜଣା, ହିଞ୍ଜଳ, ପଞ୍ଚାୟତ, ଗୁରୁଜଙ୍ଗ, ଦୁବେଇ, ଖୁଣ୍ଟିଆ, ଦୀକ୍ଷିତ ବଡ଼ପୋଖରୀ, ମଲ୍ଲୀଗଡ଼, ବଡ଼ୁମହାପାତ୍ର, ଚମ୍ପାଗଡ଼, ନୂଆତୋଟା, ଜଗୁ ତିଆଡ଼ି, ଅଡ଼ଗ ତିଆଡ଼ି, ଯମନଗଡ଼, ଖାସ, କୁସନ ଖୁଣ୍ଟିଆ, ମୁଦୁଲି, ଧ୍ବଜଗଡ଼, ଜମିଖୁଣ୍ଟିଆ, ବାରବାଟୀ, ନୃସିଂହବଲ୍ଲଭ, ଶଙ୍ଖକୋଟ, ତାପଙ୍ଗ, ସୁନ୍ଦରା, ଗଡ଼ମଲ୍ଲ, ରାଜବଲ୍ଲଭ, ବଡ଼ଆଖଡ଼ା, ପାଣ୍ଡ, ସାତବଖରା, ଭଟ୍ଟ, ରାହାସ ମହାନ୍ତି, ବିଶୁନି ଓ ଗୋପାଳବଲ୍ଲଭ ଜାଗା। କିଂବଦନ୍ତି ମୁତାବକ, ରାମଚନ୍ଦ୍ର ଦେବଙ୍କ ସମୟରେ ଏହି ଜାଗା ଆଖଡ଼ା ଘର ସଂସ୍କୃତିର ବିରାଟ ବିଦ୍ୟାଳୟ ଭାବେ ପ୍ରତିଷ୍ଠିତ ହୋଇଥିଲା। ଗୀତ, ବାଦ୍ୟ, କୁସ୍ତି, ସଂସ୍କୃତ ଶ୍ଳୋକ ପାଠର ସ୍ଥଳ ଥିଲା ଜାଗା ଘର। ଦୂରଦୃଷ୍ଟି ସମ୍ପନ୍ନ ଗଙ୍ଗବଂଶୀୟ ରାଜାମାନଙ୍କ ଶାସନ କାଳରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ସୁରକ୍ଷା ଓ ନୀତି ପରିଚାଳନା ପାଇଁ କୋଟ, ଆଖଡ଼ା, ଜାଗା, ଗଡ଼ମାନ ପ୍ରତିଷ୍ଠା ହୋଇଥିଲା। ସେଠାରେ ଶରୀର ଚର୍ଚ୍ଚା ସହ ଗାନ୍ଧର୍ବ କଳାର ଅଭ୍ୟାସ ହେଉଥିଲା। ପ୍ରତ୍ୟେକ ଜାଗା ଘର ପାଇଁ ପ୍ରାୟ ୨୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ଜିମ୍‌ ଗୃହ ନିର୍ମାଣ ପାଇଁ ପାଖାପାଖି ୧୦ଲକ୍ଷ, ଜିମ୍‌ ସରଞ୍ଜାମ ଯୋଗାଇ ଦେବା ଲାଗି ୧୦ଲକ୍ଷ ଟଙ୍କା ଓ ରେସ୍‌ଲିଂ ମ୍ୟାଟ୍‌ ଓ ଅନ୍ୟ ସରଞ୍ଜାମ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ଜିମ୍‌ ଘରର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।