ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ୪୦ ବର୍ଷ ହେଲା ପାଳନ ହୋଇନି ଶମ୍ଭୁ ଏକାଦଶୀ

ସେୟାର
ପୁରୀ : ଶ୍ରୀମନ୍ଦିରର ଏକ ଅନନ୍ୟ ପରମ୍ପରା ହେଉଛି ଶମ୍ଭୁ ଏକାଦଶୀ ନୀତି। ଏହିଦିନ ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ‌ମୋହନଙ୍କ ସହ ପ୍ରଭୁ ଲୋକନାଥଙ୍କ ଭେଟ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଗୋଟିଏ ପାଲିଙ୍କିରେ ବସି ପୂଜା ପାଆନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୪୦ ବର୍ଷ ‌ଧରି ଏହି ବିରଳ ପରମ୍ପରା ଅଟକି ରହିଛି। ସୋମବାର ଦିନ ବି ‌ଶମ୍ଭୁ ଏକାଦଶୀରେ ଏହି ନୀତି ସମ୍ପନ୍ନ ହୋଇପାରିନି।
ଏ ସଂପର୍କରେ ଲୋକନାଥ ମନ୍ଦିର ସେବକ ନିଯୋଗ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ ସହ ବାରମ୍ବାର ଆଲୋଚନା କରି ସାରିଲାଣି। ବାରମ୍ବାର ଚିଠି ବି ଲେଖି ଏହି ବିରଳ ନୀତିକୁ କରିବାକୁ ନିବେଦନ କରି ଆସୁଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ଏହାକୁ ଶ୍ରୀମନ୍ଦିର ପ୍ରଶାସନ କି ଲୋକନାଥ ମନ୍ଦିର ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ବି ଦେଖାଦେଇଛି। କେବଳ ‌ଏହି ନୀତି ନୁହେଁ, ରଥରେ ମହାପ୍ରଭୁଙ୍କ ନିକଟରେ ସଂକୁଡ଼ି ଭୋଗ ହେବାର ପରମ୍ପରା ରହିଛି। ଶ୍ରୀମନ୍ଦିର ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୬୦ ବର୍ଷ ହେଲାଣି ଏହି ନୀତି ବି ବନ୍ଦ ପଡ଼ିଛି।

ଲୋକନାଥ ସେବକଙ୍କ ଚିଠି ସତ୍ତ୍ବେ ଶୁଣୁନି ଶୀମନ୍ଦିର ପ୍ରଶାସନ

ଯେଉଁ ଶୁକ୍ଳପକ୍ଷ ସୋମବାରରେ ଏକାଦଶୀ ପଡ଼େ, ସେହିଦିନ ଶମ୍ଭୁ ଏକାଦଶୀ ଭାବେ ପାଳନ କରାଯାଏ। ପ୍ରଥା ଓ ପରମ୍ପରା ଅନୁଯାୟୀ, ଏହି ଦିନ ଦ୍ବିପ୍ରହର ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ପାଲିଙ୍କିରେ ବିଜେ ହୋଇ ଲୋକନାଥଙ୍କ ମନ୍ଦିରକୁ ଯାତ୍ରା କରନ୍ତି। ମଦନମୋହନ ପହଞ୍ଚିବା ଆଗରୁ ପ୍ରଭୁ ଲୋକନାଥ ସ୍ବାଗତ ପାଇଁ ତାଙ୍କ ମନ୍ଦିରରେ ଥିବା ବୈକୁଣ୍ଠ କୂଅ ନିକଟରେ ଅପେକ୍ଷା କରି ରହିଥାନ୍ତି। ମଦନମୋହନ ଲୋକନାଥ ମନ୍ଦିରରେ ପହଞ୍ଚିବା ପରେ ବନ୍ଦାପନା ପୂର୍ବକ ତାଙ୍କୁ ‌ପାଛୋଟି ନିଆଯାଏ। ପରେ ନାଥଘର ଭିତରେ ହରିହର ଭେଟ ନୀତି ସଂପନ୍ନ ହୋଇଥାଏ। ଏହାପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଗୋଟିଏ ପାଲିଙ୍କିରେ ବିଜେ ହୋଇ ପୂଜାସ୍ଥାନକୁ ଯାଆନ୍ତି। ଏହି ସମୟରେ କେବଳ ଶ୍ରୀମନ୍ଦିର ସେବାୟତମାନେ ସମସ୍ତ ସେବାନୀତି ସମ୍ପନ୍ନ କରିଥାନ୍ତି। କେବଳ ଶୁଖିଲା ଭୋଗ ଠାକୁରଙ୍କ ନିକଟରେ ପୂଜା ହୋଇଥାଏ। ଶମ୍ଭୁ ଏକାଦଶୀ ହେଉଛି ଗୋଟିଏ ଦିନ ଯେଉଁଦିନ କି ଲୋକନାଥ ମନ୍ଦିରରେ କେବଳ ଶ୍ରୀମନ୍ଦିର‌ ସେବାୟତଙ୍କ ଅଧିକାର ଥାଏ। ପୂଜାପଣ୍ଡା, ଗରାବଡ଼ୁ, ଛତରିଆ, କାହାଳିଆ ପ୍ରମୁଖ ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି।

ଶେଷ ଥର ପାଇଁ ଏହି ନୀତି ୧୯୮୨ ମସିହାରେ ହୋଇଥିଲା। ସେବେଠୁ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ମନ୍ଦିର ପ୍ରଶାସନ ଏହି ବିରଳ ନୀତିକୁ ବନ୍ଦ କରିଦେଇଛି। ମଦନମୋହନଙ୍କୁ ଲୋକନାଥ ମନ୍ଦିର ନେବା ବଦଳରେ ଦୋଷ ଲୁଚାଇବା ପାଇଁ କେବଳ ଶ୍ରୀମନ୍ଦିର କଳାହାଟ ଦ୍ବାର ନିକଟରେ ଏହି ନୀତି ସାରି ଦିଆଯାଉଛି। ଏ ସମ୍ପର୍କରେ ଲୋକନାଥ ସେବାୟତ ନିଯୋଗ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ସାରିଲାଣି। ପୂର୍ବ ପ୍ରଥା ପରମ୍ପରାକୁ ବଜାୟ ରଖିବାକୁ ଲିଖିତ ଓ ମୌଖିକ ଭାବେ ଜଣାଇ ଆସିଲାଣି। ଲୋକନାଥ ମନ୍ଦିର ପ୍ରଶାସନକୁ ବି ନିଯୋଗ ବାରମ୍ବାର କହି ଆସୁଛି। ତିନି ବର୍ଷ ତଳେ ଏ ସମ୍ପର୍କରେ ଏକ ବୈଠକ ବସିଥିଲା। ପୁନର୍ବାର ଏହି ନୀତି ଆରମ୍ଭ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। କିନ୍ତୁ ଲୋକନାଥ ମନ୍ଦିର ପ୍ରଶାସନର ଆନ୍ତରିକତା ଅଭାବରୁ ଏଥିରେ କୌଣସି ଅଗ୍ରଗତି ଦେଖାଦେଇନି।‌

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ