ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରି ପାଲଟିଛି ମୁକ୍ତାକାଶ ଶୌଚାଳୟ

ପୁରୀ : ବଦଳୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବର କାୟାକଳ୍ପ। ନିର୍ମିତ ହେଉଛି ପରିକ୍ରମା ପ୍ରକଳ୍ପ। ଭକ୍ତଙ୍କ ସୁବିଧା ଲାଗି ଭିତ୍ତିଭୂମି ସହ ଦୃଷ୍ଟି ଆକର୍ଷଣ ପାଇଁ ସୌନ୍ଦର୍ଯ୍ୟୀକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ମାତ୍ର ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିରର କାନ୍ଥ କଡ଼ରେ କେଉଁଠି ପରିସ୍ରାର ଧାର ଛୁଟିଛି ତ କେଉଁଠି ପାଚେରି କଡ଼ରେ ମୁକ୍ତାକାଶ ଗୁହାଳ ପାଲଟିଯାଇଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରଠୁ ମାତ୍ର କେଇ ହାତ ଦୂ‌ରରେ ଶରଧାବାଲି ଓ ମନ୍ଦିର ପାଚେରି ମଧ୍ୟରେ ଛେଳି ବନ୍ଧା ହେଉଛନ୍ତି। କେବଳ ସେତିକି ନୁହେଁ, ଛେଳି ବନ୍ଧା ହୋଇ ରହିବା ଯୋଗୁ ସେଠାରେ ସେମାନଙ୍କୁ ଦିଆଯାଉଥିବା ପତ୍ର ଓ ପରିବା ଚୋପା ବିଛେଇ ହୋଇ ପଡ଼ି ରହୁଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭଳି ଚିତ୍ର କେବଳ ଏହି ସ୍ଥାନର ଶୋଭା ବିଗାଡ଼ୁ ନାହିଁ, ବରଂ ଏଠାକୁ ଆସୁଥିବା ପର୍ଯ୍ୟଟକ ତଥା ଭକ୍ତଙ୍କ ଦୃଶ୍ୟକଟୂ ହେଉଥିବାରୁ ନକରାତ୍ମକ ପ୍ରଭାବ ପଡ଼ୁଛି ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

ବହୁଦିନ ହେଲା ନାକଚଣା ଦ୍ବାର ଦେଇ ଯାଇଥିବା ପାଚେରି କୋଣରେ ବରଗଛ ତଳେ ଛେଳି ବାନ୍ଧି ରଖୁଛନ୍ତି। ଗୋଟେ ପଟେ ପୁରୀ ସହରକୁ ବିଶ୍ବସ୍ତରୀୟ ରୂପ ଦେବାରେ ପ୍ରଶାସନ ନକ୍ସା ଆଙ୍କିବାରେ ବ୍ୟସ୍ତ, ଏଣେ କିଛି ବ୍ୟକ୍ତି ଏହାର ଶୋଭା ବିଗାଡ଼ିବାରେ ଲାଗିଛନ୍ତି। ବିଡ଼ମ୍ବନା ହେଉଛି, ଯଜ୍ଞ ନୃସିଂହ ମନ୍ଦିର ନିକଟରେ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ପାଚେରିକୁ ‌ଲାଗି ସ୍ଥାନକୁ ଲୋକେ ମୁକ୍ତ ଶୌଚାଳୟ କରିଦେଇଛନ୍ତି। ନିକଟରେ ଏକ ଶୌଚାଳୟ ଖୋଲାଯାଇଛି। କିନ୍ତୁ କେତେକ ଅସାମାଜିକ ଲୋକେ ଗୁଣ୍ଡିଚାମନ୍ଦିରର ପବିତ୍ରତା ନଷ୍ଟ କରୁଛନ୍ତି।

ଗାଈ ଗୋରୁଙ୍କ ସଂଖ୍ୟା ବଡ଼ଦାଣ୍ଡରେ ବଢ଼ିବା ଯୋଗୁଁ ସେମାନଙ୍କୁ ନେଇ ଗୋଶାଳାରେ ବନ୍ଦୀ କରି ଦିଆଗଲା, କିନ୍ତୁ ଗୁଣ୍ଡିଚା ମନ୍ଦିର ପାଚେରି ସଂଲଗ୍ନ ମୁକ୍ତାକାଶ ଛେଳି ଗୁହାଳ ଉପରେ ଅଧିକାରୀ ମାନଙ୍କର ନଜର ପଡ଼ୁନାହିଁ। ଛେଳି ପାଳି ଅର୍ଥ ରୋଜଗାର କରିବାରେ କୌଣସି ସମସ୍ୟା ନାହିଁ, କିନ୍ତୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବା ଗୁଣ୍ଡିଚା ମନ୍ଦିର ଭଳି ଏକ ଐତିହ୍ୟ ମନ୍ଦିର ସମ୍ମୁଖରେ ଛେଳିମାନଙ୍କୁ ବାନ୍ଧି ରଖିବା ଏବଂ ଏହି ସ୍ଥାନକୁ ଅପରିଷ୍କାର ରଖିବା ଦୃଶ୍ୟକଟୂ ହେଉଛି ବୋଲି ପର୍ଯ୍ୟଟକମାନେ କହିଛନ୍ତି।

ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ୭ଟି ବିଶାଳକାୟ ପୁରୁଣା ବର ଓ ଓସ୍ତ ଗଛ ଖରା ବେଳେ ବାଟୋଇଙ୍କ ପାଇଁ ସଞ୍ଜୀବନୀ ପାଲଟୁଛି। ତେଣୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ନେଇ ପର୍ଯ୍ୟଟକମାନେ ଆସିଲେ ବି ବରଗଛ ତଳେ କ୍ଷଣେ ଅଟକି ଯାଇଥା’ନ୍ତି। ତେଣୁ ଏହାର ସମ୍ମୁଖ ଭାଗ ସମେତ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ ଦେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।