ନୂଆଦିଲ୍ଲୀ ୨୦/୧୨: କ୍ରିକେଟର ସବୁଠାରୁ ପୁରୁଣା ଫର୍ମାଟ ହେଲା ଟେଷ୍ଟ୍ କ୍ରିକେଟ୍ । କିନ୍ତୁ ଦିନିକିଆ ଓ ଟି୨୦ ତୁଳନାରେ ଏହାର ରୋମାଞ୍ଚ ପୂର୍ବାପେକ୍ଷା କମିବାରେ ଲାଗିଛି । କିନ୍ତୁ ଆଜିକୁ ୭୩ ବର୍ଷ ତଳେ ୧୯୪୮ରେ ଟେଷ୍ଟ କ୍ରିକେଟର କ୍ରେଜ୍ ଅଧିକ ଥିଲା । କାରଣ ଏପରି ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଯାହା ଶେଷ ବଲ୍ ଯାଏଁ ଯାଇଥିଲା । ୧୪୪ ବର୍ଷର ଉତିହାସରେ ଏପରି ଥରଟିଏ ମାତ୍ର ହୋଇଛି । ଯେଉଁଥିରେ ଜିତିବା ଓ ହାରିବାର ନିଷ୍ପତ୍ତି ଶେଷ ବଲରେ ଆସିଥିଲା ।
ଏହି ଟେଷ୍ଟ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡରବାନ ଖେଳାଯାଇଥିଲା । ଯାହାର ଫଳାଫଳ ଡିସେମ୍ବର ୨୦ରେ ସାମ୍ନାକୁ ଆସିଥିଲା । ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ୧୬୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୩ ରନ୍ କରିଥିଲା । ଅର୍ଥାତ ତଳ ୯୨ ରନରେ ଆଗୁଆ ଥିଲା । ଦ୍ୱିତୀୟ ପାଳିରେ ମଧ୍ୟ ଦକ୍ଷିଣ ଆଫ୍ରିକା ଖେଳାଳି ବଡ ସ୍କୋର କରିପାରି ନଥିଲେ । ସେମାନେ ମାତ୍ର ୨୧୯ ରନରେ ଅଲଆଉଟ୍ ହୋଇଯାଇଥିଲେ ।
ଇଂଲଣ୍ଡଙ୍କୁ ବିଜୟ ପାଇଁ ୧୨୮ ରନ୍ ଦରକାର ଥିଲା । ୧୧୬ ରନରେ ଇଂଲଣ୍ଡର ୮ଟି ଓ୍ୱିକେଟ୍ ପଡି ସାରିଥିଲା । ଦଳକୁ ଜିତିବା ପାଇଁ ଦରକାର ଥିଲା ୧୨ ରନ୍ । ଆଲେକ୍ ବାଡସର୍ ଓ କ୍ଲିଫ୍ ଗ୍ଲେଡବିନ୍ କ୍ରିଜରେ ଥିଲେ । ସେମାନଙ୍କୁ ୮ ବଲରେ ୮ ରନ୍ ଦରକାର ଥିଲା । ଦକ୍ଷିଣ ଆଫ୍ରିକା ମାତ୍ର ୨ ଓ୍ୱିକେଟ୍ ଦୂରରେ ଥିଲା । ସେତେବେଳେ ଓଭରରେ ୮ଟି ବଲ୍ ରହୁଥିଲା ।
ବାଡସର୍ ଷଷ୍ଠ ବଲରେ ୧ ରନ୍ ନେଇ ସ୍କୋର ବରାବର କରିଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ଲିଣ୍ଡସେ ଶେଷ ଓଭରରେ ବୋଲିଂ କରୁଥିଲେ । ମ୍ୟାଚ୍ ଟାଇ ହେବାର ସମ୍ଭାବନା ଅଧିକ ଥିଲା । ତେବେ ଶେଷ ବଲ ପୂର୍ବରୁ ଇଂଲଣ୍ଡର ଦୁଇ ବ୍ୟାଟସମ୍ୟାନ୍ କିଛି ସମୟ ପାଇଁ କଥା ହୋଇଥିଲେ । ଶେଷ ବଲ୍ ଗ୍ଲେଡବିନଙ୍କ ଗୋଡରେ ବାଜିଥିଲେ ବି ସେ ରନ୍ ନେଇଥିଲେ । ଏହାସହ ଇଂଲଣ୍ଡ ମ୍ୟାଚ୍ ଜିତିନେଇଥିଲା । ଯାହା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ।