ଫୁଲବାଣୀ ୨୮।୦୫: ବାଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଫୁଲବାଣୀ ସହର । ଶେଷ ପର୍ଯ୍ୟାୟରେ ମାସେ ଧରି ଚାଲିଥିଲା ନାରାୟଣୀ ଯାତ୍ରା । ଆଉ ମାତ୍ର ଚାରି ଦିନ ପରେ ମାନେ ଆସନ୍ତା ୧ରେ ସରିଯିବ ଏହି ପ୍ରସିଦ୍ଧ ଯାତ୍ରା । ସୁନ୍ଦର ଓ ଆକର୍ଷଣୀୟ ତୋରଣ ସହ ରଙ୍ଗ ବେରଙ୍ଗ ଆଲୋକମାଳା ଭକ୍ତମାନଙ୍କୁ ଅଧିକ ଆକର୍ଷିତ କରୁଛି ।
ସେହିପରି ମାନସିକ ବେଶଧାରୀଙ୍କୁ ଦେଖିବାକୁ ଅନ୍ୟ ଏକ ଆକର୍ଷଣ । ବାଘବେଶ ଦେଖିବା ସବୁଠୁ ନିଆରା ଅନୁଭୂତି । ତାସାଙ୍ଗକୁ ପ୍ରତିଦିନ ମେଲୋଡି କାର୍ଯ୍ୟକ୍ରମ, ଅପେରା, ମୀନାବଜାର ଲୋକଙ୍କୁ ବେଶ୍ ଆକର୍ଷଣ କରୁଛି । ଏଥିସହ ବିଭିନ୍ନ ପ୍ରକାର ସୁସ୍ୱାଦୁ ଚଟାପଟ ଖାଦ୍ୟର ମଧ୍ୟ ପସରା ଲାଗିଛି । ଠାକୁରଙ୍କୁ ଦେଖିବା ସହ ଯାତ୍ରାର ମଜା ନେଉଛନ୍ତି ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ଭକ୍ତ ।
ଆଉ ସପ୍ତାହେ ଗଲେ ସରିଯିବ ଯାତ୍ରା । ଆଉ ଏହି ସୁଯୋଗ ଆସିବନି । ଫଳରେ ଯାତ୍ରାର ମଜା ଉଠାଇବା ଲାଗି ଲୋକଙ୍କ ଲାଗିଛି ଖଚାଖଚ ଭିଡ଼ । କିଏ ଦୋଳୀରେ ବସିଲାଣି ତ ଆଉ କିଏ ଘରକରଣ ସାମଗ୍ରୀ କିଣିବାରେ ବ୍ୟସ୍ତ । ଏପଟେ ପ୍ରତିଦିନ ମା ନାରାୟଣୀ ଭଉଣୀଙ୍କ ସାଙ୍ଗରେ ନେଇ ବିରାଟ ପଟୁଆରରେ ନଗର ପରିକ୍ରମା କରୁଛନ୍ତି । ଗତ ରବିବାର ସଂଧ୍ୟାରେ ହୋଇଥିବା ମେଲୋଡି କାର୍ଯ୍ୟକ୍ରମ ଥିଲେ ବେଶେ ଆକର୍ଷିତ । ଅଙ୍କିତାଙ୍କ ସୁମଧୁର କଣ୍ଠର ଗୀତ ସହ ଗାୟିକା ଦୀପ୍ତିରେଖା ପାଢିଙ୍କ ଗୀତ ଶୁଣିବାକୁ ପ୍ରବଳ ଭିଡ ଜମିଥିଲା ।
ତେବେ ଯାତ୍ରା ଯେପରି ସୁରୁଖୁରୁରେ ହେବ , ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କେବଳ ସାଧାରଣ ଜନତା ନୁହଁନ୍ତି, ସାଂସଦ , ବିଧାୟକ, ମନ୍ତ୍ରୀଙ୍କ ସମେତ ବହୁ ନେତା ମଧ୍ୟ ଯୋଗେ ଦେଇ ମାଙ୍କ ଆଶିଷ ଲାଭ କରୁଥିବାର ଦେଖିବାକୁ ମିଳିଛି ।

