ନୂଆଦିଲ୍ଲୀ ୨୧।୦୨: ମାର୍ଚ୍ଚରେ ପାକିସ୍ତାନ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ସିରିଜ୍ ଖେଳିବ । ଏହି ସିରିଜ୍ ପାଇଁ ପାକିସ୍ତାନ ୧୬ ଜଣିଆ ଟିମ୍ ଘୋଷଣା କରିଛି । ଦଳରେ ଅଫ ସ୍ପିନର ସାଜିଦ ଖାନ ସ୍ଥାନ ପାଇଛନ୍ତି । ସେ ଟେଷ୍ଟ୍ କ୍ରିକେଟରେ ଗତବର୍ଷ ପଦାର୍ପଣ କରିଥିଲେ ।
୨୮ ବର୍ଷୀୟ ସାଜିଦ ଖାନ୍ ଭାରତୀୟ ଓପନର ଶିଖର ଧାଓ୍ୱନଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ସେ ମ୍ୟାଚରେ ଯେତେବେଳେ ଓ୍ୱିକେଟ ନିଅନ୍ତି ଧାଓ୍ୱନଙ୍କ ଭଳି ଖୁସି ମନାନ୍ତି ବୋଲି ସେ କହିଥିଲେ । ଏପରି ଭାବେ ଖୁସି ମନାଇବା କାରଣରୁ ତାଙ୍କ ଉପରେ ଦୁଇଥର ଜରିମନା ହୋଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ସାଜିଦ କହିଛନ୍ତି ଯେ, ଖୁସି ମନାଇବା ପାଇଁ ସମସ୍ତଙ୍କ ନିଜର ଏକ ସ୍ୱତନ୍ତ୍ର ଅନ୍ଦାଜ ରହିଛି । ଲୋକେ ତାଙ୍କୁ ଶିଖର ଧାଓ୍ୱନଙ୍କୁ ନକଲ କରୁଥିବା କହୁଛନ୍ତି । କିନ୍ତୁ ସେ ପିଲାଦିନୁ ଏପରି ଖୁସି ମନାଇଥାନ୍ତି । ଏହା ତାଙ୍କର ପିଲାଦିନର ଷ୍ଟାଇଲ୍ । ସେତେବେଳେ ଲୋକେ ଏହା ଉପରେ ଧ୍ୟାନ ଦେଉନଥିଲେ କିନ୍ତୁ ଏବେ ଦେଉଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏପରି ଭାବେ ଖୁସି ମନାଇବା କାରଣରୁ ତାଙ୍କ ଉପରେ ଦୁଇଥର ଜରିମନା ଲାଗିଛି । ଏବେ ଲୋକେ ଏହାକୁ ପସନ୍ଦ କରୁଛନ୍ତି ।
ଅଷ୍ଟ୍ରେଲିଆ ଟିମ୍କୁ ନେଇ ସାଜିଦ କହିଛନ୍ତି ଯେ, କଙ୍ଗାରୁ ଦଳ ଏକ ଶକ୍ତିଶାଳୀ ଟିମ୍ । ଉସମାନ ଖ୍ୱାଜା, ଡେଭିଡ ଓ୍ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ, ମାର୍ନସ ଲାବୁସେନଙ୍କ ଭଲି ବ୍ୟାଟର ଅଛନ୍ତି । ସେ ସମସ୍ତଙ୍କୁ ଆଉଟ କରିବାକୁ ଚାହିଁବେ ବୋଲି କହିଛନ୍ତି ।