କଳା ଓ ସଂସ୍କୃତି ଧର୍ମ

ଶାମ୍ବଦଶମୀର ସୂର୍ଯ୍ୟରଥ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରି, ସୂର୍ଯ୍ୟଦେବଙ୍କ ରଥଯାତ୍ରା ମଧ୍ୟ ଓଡ଼ିଶାର ଏକ ପ୍ରାଚୀନ ପର୍ବ। କୋଣାର୍କ ମନ୍ଦିରର ପତନ ଫଳରେ ତାହାର ଆଦୃତି କ୍ରମେ ହ୍ରାସପାଇ ଏକ ସ୍ଥାନୀୟ ଉତ୍ସବରେ ସୀମିତ ହୋଇଯାଇଛି। କିନ୍ତୁ ଏହାର ଏକ ଗୌରବମୟ ଐତିହ୍ୟ ରହିଛି।

‘ପଦ୍ମକେଶର ଦେଉଳ କର୍ମାଙ୍ଗୀ’ରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ସଂପର୍କରେ ବର୍ଣ୍ଣନା ଅଛି। ତାହା ଅନୁସାରେ, ଅତୀତରେ ଏହି ରଥଯାତ୍ରା ତିନିଦିନ ଧରି ପାଳିତ ହେଉଥିଲା। ମାଘ ପଞ୍ଚମୀରୁ ଆରମ୍ଭ ହୋଇ ଏହା ଶେଷ ହେଉଥିଲା ମାଘ ସପ୍ତମୀରେ।

କିନ୍ତୁ ବର୍ତ୍ତମାନର ଧାରା ଭିନ୍ନ। ଏବେ କୋଣାର୍କର ଅବଧୂତ ମଠଠାରୁ ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ବା ଶାମ୍ବଦଶମୀରୁ ଏହି ରଥଯାତ୍ରା ଆରମ୍ଭ ହେଉଛି। ଏଥିରେ ସୂର୍ଯ୍ୟଦେବଙ୍କର ଚଳନ୍ତି ପ୍ରତିମା, ସେହି ମଠର ଏକ ଶାଖା- ଛୋଟା ରାମଦାସ ମଠକୁ ଯାଇ ସେଠାରେ ୨୭ ଦିନ ଅବସ୍ଥାନ କରନ୍ତି। ସେହି ୨୭ ଦିନର ଅବସ୍ଥାନ କାଳରେ ଚନ୍ଦ୍ରଭାଗା ନଦୀର ଜଳରେ ୨୭ଟି ନକ୍ଷତ୍ର ଅନୁସାରେ ତାଙ୍କର ପୂଜାର୍ଚ୍ଚନା କରାଯାଏ। ବାହୁଡ଼ାଯାତ୍ରା ପାଳିତ ହୁଏ ମାଘ ସପ୍ତମୀରେ।

ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଏବେ ଭାଙ୍ଗିଯାଇଥିବା କୋଣାର୍କ ମନ୍ଦିରର ମୁଖ୍ୟ ଉପାସ୍ୟ ଥିଲେ ସୂର୍ଯ୍ୟଦେବଙ୍କର ଏକ ବିଶାଳ ମୂର୍ତ୍ତି- ‘ମହାଭାସ୍କର’। ସେ ସଦାସର୍ବଦା ଗର୍ଭଗୃହର ଅନ୍ଧକାର ମଧ୍ୟରେ ବିରାଜମାନ କରୁଥିଲେ। ବ୍ରୋଞ୍ଜ ନିର୍ମିତ ଦୁଇଟି ଦଣ୍ଡାୟମାନ ଉତ୍ସବମୂର୍ତ୍ତି ସମସ୍ତ ରୀତିନୀତି ସଂପାଦନ କରୁଥିଲେ। ଏହି ଦୁଇ ଉତ୍ସବମୂର୍ତ୍ତି ନଭମଣ୍ଡଳରେ ବିଭାସିତ ଓ ଗର୍ଭଗୃହରେ ବିରାଜିତ ‘ମହାଭାସ୍କର’ଙ୍କର ପ୍ରତିନିଧି। ‘କର୍ମାଙ୍ଗୀ’ ଅନୁସାରେ, ଏହି ଦୁଇ ମୂର୍ତ୍ତିଙ୍କ ମଧ୍ୟରୁ ସାନମୂର୍ତ୍ତିଙ୍କ ଠାରେ ଦୈନନ୍ଦିନ ନୀତି ସଂପାଦିତ ହେଉଥିଲା ଏବଂ ବଡ଼ମୂର୍ତ୍ତି ବାର୍ଷିକ ରଥଯାତ୍ରାରେ ଯାଉଥିଲେ।
କିନ୍ତୁ କୋଣାର୍କ ଅବଧୂତ ମଠର ମଠାଧୀଶ ଆଦିତ୍ୟ ଅନନ୍ତ ଅବଧୂତଙ୍କ ସୂଚନା ଅନୁସାରେ, ସେଠାରେ ବିରାଜମାନ ଦୁଇ ଉତ୍ସବ ପ୍ରତିମା ବା ବିଜେ ପ୍ରତିମା ହେଉଛନ୍ତି ସୂର୍ଯ୍ୟଦେବଙ୍କର ‘ଉତ୍ତରାୟଣ’ ଓ ‘ଦକ୍ଷିଣାୟନ’ ମୂର୍ତ୍ତି। ଉତ୍ତରାୟଣ ପ୍ରତିମା ଛୋଟ ଓ ଦକ୍ଷିଣାୟନ ପ୍ରତିମା ବଡ଼।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀମନ୍ଦିରର ସୂର୍ଯ୍ୟନାରାୟଣ ମନ୍ଦିରରେ ଓ ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିରରେ ମଧ୍ୟ ଏହିପରି ଦୁଇ ଉତ୍ସବ ପ୍ରତିମା ବିରାଜିତ। କିନ୍ତୁ ପୁରୀ ମନ୍ଦିରରେ ଓ ବୁଗୁଡ଼ାରେ ଏହି ରଥଯାତ୍ରା ଭିନ୍ନ ଭାବେ ପାଳିତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ