ହାଇଦ୍ରାବାଦ୍ ୦୨।୦୮: ପୋଲିସ କବ୍ଜାରେ ପ୍ରତାରକ ସ୍ୱାମୀ । ଗୋଟିଏ କି ଦୁଇଟା ନୁହେଁ, କି ତିନୋଟି ବି ନୁହେଁ, ଏକାଥରକେ ୬ଟି ବିବାହ କରି ଏବେ ପୋଲିସ ହେପାଜତରେ ଶିବ ଶଙ୍କର ବାବୁ । ଆନ୍ଧ୍ରପ୍ରଦେଶର ମଙ୍ଗଳାଗିରି ଅଞ୍ଚଳରେ ଏହି ଘଟଣା ପୁରା ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ।
ଖବର ଅନୁଯାୟୀ, ୩୩ ବର୍ଷୀୟ ଶିବ ଶଙ୍କର ଆଉ କାହାକୁ ବିବାହ କରିଥିବା ନେଇ ଜଣେ ମହିଳାଙ୍କୁ ସନ୍ଦେହ ହୋଇଥିଲା । ପରେ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ମାମଲା ଆଧାରରେ ଖୋଲତାଡ ଆରମ୍ଭ କରିଥିଲା । ତେବେ ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରତାରକ ବ୍ୟକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଶିବ ଶଙ୍କର ବାବୁ, ସେ ଜଣେ ସଫ୍ଟଓ୍ୱେର ଇଞ୍ଜିନିୟର। ଶଙ୍କର ବାବୁ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରନ୍ତି । ମାଟ୍ରିମନି ଓ୍ୱେବସାଇଟ୍ରେ ଆକାଉଣ୍ଟ ଖୋଲି ବିବାହ ବିଚ୍ଛେଦ ହୋଇଥିବା ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ । ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ବିବାହ କରୁଥିଲେ ଶଙ୍କର । ଏମିତି କରି ଶଙ୍କର ୬ ଜଣ ମହିଳାଙ୍କୁ ବିବାହ କରିଥିଲେ । କୌଣସି ବି ମହିଳାଙ୍କ ନିଜର ପୂର୍ବ ବିବାହ ସଂପର୍କରେ କିଛି କହିନଥିଲେ । ବିବାହ ପରେ ମହିଳାମାନଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିବାର ଅଭିଯୋଗ ହୋଇଛି ।
ସେପଟେ ଅଭିଯୋଗ ପରେ ପୋଲିସ ପ୍ରତାରକ ସ୍ୱାମୀକୁ ଗିରଫ କରିଛି । ଶିବଶଙ୍କର ବିବାହ କରିଥିବା ସମସ୍ତ ୬ଜଣ ମହିଳାଙ୍କୁ ପୋଲିସ ଥାନାକୁ ଡାକିଛି । ସମସ୍ତଙ୍କଠାରୁ ତଥ୍ୟ ଯୋଗାଡ କରୁଛି ପୋଲିସ । ଏପିରିକି କେବଳ ଯେ, ଏହି ୬ ଜଣ ଥିଲେ ନାଁ କାହାକୁ ବିବାହ କରିଥିଲେ । ସେନେଇ ମଧ୍ୟ ତନାଘନା କରୁଛି ପୋଲିସ ।