ରାଜ୍ୟ

ରୋଚକ ହେଲାଣି ରଘୁନାଥପଲ୍ଲୀ ରାଜନୀତି

ରାଉରକେଲା : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହି ବିଧାନସଭା ଆସନରୁ ତିନି ତିନିଥର ଜିତିଥିବା ବିଧାୟକ ସୁବ୍ରତ ତରାଇଙ୍କ ଲଗାତାର ଅନୁପସ୍ଥିତି, ପ୍ରକାରାନ୍ତରେ ଆଶାୟୀ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ସେପଟେ ବିଜେପି ଓ କଂଗ୍ରେସ ବିକଳ୍ପ ଖୋଜିବାରେ ବ୍ୟସ୍ତ ଅଛନ୍ତି।

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀକୁ ବିଜେଡି ଓ କଂଗ୍ରେସ ସର୍ବାଧିକ ତିନି ଥର ଲେଖାଏ ଦଖଲ କରିଛନ୍ତି। ବିଜେଡି ଲଗାତାର ତିନିଥର(୨୦୦୯, ୨୦୧୪ ଓ ୨୦୧୯) ଏବଂ କଂଗ୍ରେସ (୧୯୭୪, ୧୯୮୦ ଓ ୧୯୮୫) ଏଠାରୁ ବିଜୟ ଲାଭ କରିଛି। ଏତଦ୍‌ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଦୁଇଥର (୧୯୯୫ ଓ ୨୦୦୪) ଜିତିଥିବାବେଳେ ବିଜେପି(୨୦୦୪), ଜନତା ଦଳ(୧୯୯୦) ଜନତା ପାର୍ଟି (୧୯୭୭) ଗୋଟିଏ ଥର ଲେଖାଏ ଜିତିଛନ୍ତି।

ସୁବ୍ରତଙ୍କ ନିୟମିତ ଅନୁପସ୍ଥିତିରେ ଅନ୍ୟ ଆଶାୟୀଙ୍କ ମନୋବଳ ବୃଦ୍ଧି
ବିଜେଡି ଟିକେଟ୍‌ ପାଇଁ ଚର୍ଚ୍ଚାରେ ୨ କଂଗ୍ରେସ ନେତା, ୨ ଅବସରପ୍ରାପ୍ତ ଅଧିକାରୀ
ବିଜେପି ବି ଖୋଜିପାରେ ନୂଆ ଚେହେରା

ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସୁବ୍ରତ ମାସାଧିକ କାଳ ନିର୍ବାଚନ ମଣ୍ଡଳୀଠାରୁ ଦୂରେଇ ରହିବା ତଥା ସ୍ଥାନୀୟ ଦଳୀୟ କାର୍ଯ୍ୟକ୍ରମରେ ନିୟମିତ ଅନୁପସ୍ଥିତି ବିଜେଡି ପାଇଁ ଚିନ୍ତାର କାରଣ। ୨୦୨୧ ମସିହା ଡିସେମ୍ବରରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୬ ହିଲ୍‌ଟପ୍‌ ବସ୍ତିରେ ବିଧାୟକ ସୁବ୍ରତ ନିଖୋଜ ଥିବା ପୋଷ୍ଟର୍‌ ଲାଗିଥିଲା। ପୋଷ୍ଟର୍‌ ଲାଗିବାର ପରଦିନ ରଘୁନାଥପଲ୍ଲୀ ବିଜେଡିର ପ୍ରତିନିଧି ଦଳ ଉକ୍ତ ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ ସୁବ୍ରତ। ହେଲେ ସ୍ଥାନୀୟ ବସ୍ତିବାସିନ୍ଦା ତାଙ୍କୁ ଘଉଡ଼ାଇଦେବା ସ୍ପଷ୍ଟ କରିଥିଲା ଯେ ଲୋକେ ବିଧାୟକଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ଇତିମଧ୍ୟରେ ପାଖାପାଖି ଦେଢ଼ ବର୍ଷ ବିତିଥିଲେ ହେଁ ଏ ଚିତ୍ରରେ ବିଶେଷ ସୁଧାର ଆସିନାହିଁ। ଅନ୍ୟପଟେ ପରିସ୍ଥିତି ଦେଖି ଏହି ଆସନରୁ ବିଜେଡି ଟିକେଟ୍‌ ହାତେଇବାକୁ ଦୁଇ ଜଣ କଂଗ୍ରେସ ନେତା ପ୍ରୟାସ ଆରମ୍ଭ କରିଦେଲେଣି।

ଜଣେ ଆଶାୟୀ ରଘୁନାଥପଲ୍ଲୀ ବାସିନ୍ଦା ହୋଇଥିବାବେଳେ ଅନ୍ୟ ଜଣେ ହେଉଛନ୍ତି ସୁନ୍ଦରଗଡ଼ ସହରର। ଜଣେ ଆଶାୟୀ ୨୦୦୯ ମସିହାରେ କଂଗ୍ରେସ ଟିକେଟ୍‌ରୁ ଲଢ଼ି ସୁବ୍ରତଙ୍କଠାରୁ ୧୮ ହଜାର ୧୭୧ ଭୋଟ୍‌ରେ ପରାସ୍ତ ହୋଇଥିଲେ। ପରାଜୟ ଭୋଗିବାପରେ ସେ ନିର୍ବାଚନମଣ୍ଡଳୀକୁ ମୁହଁ ମୋ଼ଡ଼ି ଦେଇଥିଲେ ହେଁ, ଗତ କିଛି ମାସ ହେଲା ପୁଣି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ମୁହାଁ ହୋଇଛନ୍ତି। ଏବେ ଆଉ ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀ ଆଶାୟୀ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ଅନ୍ୟ ଦୁଇ ପ୍ରମୁଖ ଦାବିଦାର୍‌ଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଡିଆଇଜି ଓ ଜଣେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ। ଏହି ଦୁଇ ଦାବିଦାରଙ୍କ ମଧ୍ୟରୁ ଜଣେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ନିୟମିତ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀଙ୍କ କଥା କେବଳ ଚର୍ଚ୍ଚାର ପରିସର ଭିତରେ ସୀମିତ।

ବିଜେଡି ଟିକେଟ୍‌ ପାଇଁ ଏକାଧିକ ଆଶାୟୀ ଲବି ଆରମ୍ଭ କରିଦେଇଥିବାବେଳେ ବିଜେପି ଓ କଂଗ୍ରେସରେ ସେତେଟା କସରତ ଦେଖିବାକୁ ମିଳୁନି। ଗତ ୨୦୧୯ ଓ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବରିଷ୍ଠ ନେତା ଜଗବନ୍ଧୁ ବେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଉଭୟଥର ପରାଜୟ ଭୋଗିଥିଲେ। ଶ୍ରୀ ବେହେରା ୨୦୧୪ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କଠାରୁ ୧୬,୦୪୧ ଖଣ୍ଡ କମ୍‌ ଭୋଟପାଇ ପରାସ୍ତ ହୋଇଥିବାବେଳେ ୨୦୧୯ରେ କିନ୍ତୁ ବ୍ୟବଧାନ ହ୍ରାସ ପାଇ ମାତ୍ର ୪୬୮୪ ଖଣ୍ଡ ଭୋଟ୍‌ରେ ପହଞ୍ଚିଥିଲା। ଗତ ନିର୍ବାଚନରେ କଡ଼ା ଟକ୍କର ଦେଇଥିବା ଜଗବନ୍ଧୁଙ୍କ ଉପରେ ଦଳ ଭରସା କରିବ ନା ନୂଆ ମୁହଁ ଖୋଜିବ, ସେନେଇ ଭିନ୍ନ ଭିନ୍ନ ମତ ପାଉଛି।

କଂଗ୍ରେସ କିନ୍ତୁ ଏଥର ମଧ୍ୟ ଉଧେଇପାରିବା ସ୍ଥିତିରେ ନାହିଁ। ଯେଉଁ ଦୁଇ କଂଗ୍ରେସ ନେତା ଦଳୀୟ ଟିକେଟ୍‌ରୁ ଲଢ଼ିବାର ଦକ୍ଷତା ରଖିଛନ୍ତି, ସେମାନେ ଏବେ ବିଜେଡି ଟିକେଟ୍‌ ପାଇଁ ଧାଁଧପଡ଼ କରୁଥିବା ଦେଖିବାକୁ ମିଳୁଛି। ଯଦି ବିଜେଡି ସୁପ୍ରିମୋ ପୁନର୍ବାର ସୁବ୍ରତଙ୍କ ଉପରେ ଭରସା କରନ୍ତି; ତାହେଲେ ଏହି ଦୁଇ ଆଶାୟୀଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ଟିକେଟ୍‌ ମିଳିବା ଆଶା ରହିଛି। ଗତ ୨୦୧୯ ନିର୍ବାଚନରେ ମଧ୍ୟ ଠିକ୍‌ ଏଭଳି ଦେଖିବାକୁ ମିଳିଥିଲା। ପୂର୍ବରୁ ବିଜେଡିରେ ଥିବା ଜଣେ ନେତା ଦଳୀୟ ଟିକେଟ୍‌ ପାଇଁ ଜୋର୍‌ଦାର ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ଟିକେଟ୍‌ ନ ମିଳିବାରୁ ସେ ଦଳ ପରିତ୍ୟାଗକରି କଂଗ୍ରେସ ଟିକେଟରେ ଲଢ଼ିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।