ରାଜ୍ୟ ସ୍ପେଶାଲ ରିପୋର୍ଟ

ରୋଚକ ସ୍ଥିତିରେ ବଲାଙ୍ଗୀର ରାଜନୀତି: ମହାପ୍ରସାଦ ଧରି ନରସିଂହଙ୍କ ଘରେ କଳିକେଶ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦୁଇ ଦିନର ଘଟଣାବଳୀ ରାଜନୈତିକ ଉଷ୍ଣତା ଓ ଚର୍ଚ୍ଚାକୁ ବେଗ ଦେଲାଣି। ଏଠାରେ ରାଜପରିବାର ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ପରିବାର ମଧ୍ୟରେ ବର୍ଷତମାମ ଟକ୍କର୍‌ ଗୋଟିଏ ନିୟମିତ ଘଟଣା। ମଞ୍ଚ ଉପରେ ଉଭୟ ପରସ୍ପର ବିରୋଧରେ ଖୋଲାଖୋଲି ଆକ୍ଷେପ କରନ୍ତି। ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ବିଧାୟକ ନରସିଂହ ମିଶ୍ର ପ୍ରତି ସଭାରେ ନିଜ ନିଜ କାର୍ଯ୍ୟକାଳର ହିସାବ ଦେବାର ନଜିର ବି ରହିଛି। ଦାବି କରନ୍ତି, ବଲାଙ୍ଗୀର ବିକାଶରେ କାହାର ଅବଦାନ କେତେ?

ନିର୍ବାଚନ ପାଖେଇ ଆସୁଥିବା କାରଣରୁ ଏଥର ମଧ୍ୟ ଏସବୁ ଆରମ୍ଭ ହୋଇଯାଇଥିଲା। ଠିକ୍ ଏମିତି ସମୟରେ ଦୁଇଟି ଘଟଣା ରାଜ୍ୟ ରାଜନୀତିକୁ ଭିନ୍ନ ସଙ୍କେତ ଦେଲାଣି। ଶନିବାର ବିଧାୟକ ଶ୍ରୀ ମିଶ୍ର ‘ଜନମତ ଓ ବିଧାୟକ’ ନାମକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପ୍ରତି ବିଧାନସଭା ଅଧିବେଶନରେ ଯୋଗଦେବା ପୂର୍ବରୁ ସେ ଏଭଳି କାର୍ଯ୍ୟକ୍ରମ କରିଥାନ୍ତି। ଯେଉଁଥିରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀଙ୍କୁ ନିମନ୍ତ୍ରଣ କରି ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରନ୍ତି। ଏସବୁ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥାନ୍ତି। ଏଥର ବିଧାୟକ ଶ୍ରୀ ମିଶ୍ର ଆଗାମୀ ବିଧାନସଭା ଅଧିବେଶନ ତାଙ୍କର ଶେଷ ଅଧିବେଶନ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ଲୋକେ ଚାହୁଥିଲେ ହେଁ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ରାଜନୀତିରେ ସକ୍ରିୟ ରହିବେ। ପୂର୍ବରୁ ଶ୍ରୀ ମିଶ୍ର ନିଜ ପୁଅ ସମରେନ୍ଦ୍ରଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଗୋଟିଏ ସମୟରେ ସମରେନ୍ଦ୍ରଙ୍କ ପାଇଁ ବିଜେଡି ଟିକଟ ଲବି କରୁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ଲୋକାର୍ପଣ ବେଳେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶାସକ ଦଳକୁ ଯେଭଳି ଭର୍ତ୍ସନା କଲେ, ତାହା ପରେ ଏହାର ଅବସାନ ଘଟିଥିଲା। ସେହି ଦିନରୁ ସମରେନ୍ଦ୍ରଙ୍କ ପାଇଁ ବିଜେଡିର ଟିକଟ ବାଟ ବନ୍ଦ ହେଲା ବୋଲି କହାଯାଉଛି। ଗତଥର ଶ୍ରୀ ମିଶ୍ର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ହେଲେ ଶେଷ ମୁହୂର୍ତରେ ଲୋକଙ୍କ ଦାବିକୁ ଗ୍ରହଣ କରି ମଇଦାନକୁ ଓହ୍ଲାଇଥିଲେ।

ଏହି ଖବରକୁ ନେଇ ଆଜି ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଥିଲା। ଠିକ୍ ଏମିତି ସମୟରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ପୁରୀ ମହାପ୍ରସାଦ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରେ ପହଞ୍ଚିବା ଆଲୋଚନାକୁ ବଳ ଦେଇଛି। ସମସ୍ତେ ଜାଣିଛନ୍ତି ଯେ ନରସିଂହ ଏବଂ କଳିକେଶ, କେହି କାହାରି ଛାଇ ମାଡ଼ନ୍ତି ନାହିଁ। ହେଲେ କଳିକେଶ ପୁରୀ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ନେଇ ନରସିଂହଙ୍କ ବାସଭବନରେ ପହଞ୍ଚିଥିଲେ। ନରସିଂହ ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ଭୁବନେଶ୍ବର ବାହାରି ଯାଇଥିବାରୁ ଘରେ ଅନୁପସ୍ଥିତ ଥିଲେ। କଳିକେଶ କିନ୍ତୁ ନରସିଂହଙ୍କ ପତ୍ନୀଙ୍କୁ ମହାପ୍ରସାଦ ଦେଇଥିଲେ। କେବଳ ସେତିକି ନୁହଁ, କଳିକେଶ ପାଦଛୁଇଁ ହସହସ ମୁହଁରେ ଆଶୀର୍ବାଦ ବି ନେଇଥିଲେ। କଳିକେଶଙ୍କ ଏହି ଗୋଟିଚାଳନା ପଛର ରହସ୍ୟ ଉନ୍ମୋଚନ ହୋଇନାହିଁ। କିନ୍ତୁ ଉଭୟ ଘଟଣା ରାଜନୈତିକ ମହଲକୁ ସରଗରମ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।