ରାଜ୍ୟ

ରାଷ୍ଟ୍ରର ବିକାଶ ପାଇଁ ଆଣବିକ ଶକ୍ତିର ବିନିଯୋଗ ଅପରିହାର୍ଯ୍ୟ : ଡ.ଅଜିତ କୁମାର ମହାନ୍ତି

ଭାରତର ବିଶିଷ୍ଟ ପରମାଣୁ ବୈଜ୍ଞାନିକ ତଥା ମୟୂରଭଞ୍ଜ ମାଟିର ପୁଅ ଡ.ଅଜିତ କୁମାର ମହାନ୍ତି। ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଆସନରୁ ଏବେ ଆଣବିକ ଶକ୍ତି କମିସନ୍‌ର ଅଧ୍ୟକ୍ଷ ଓ ସଚିବ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଶାହ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ଫିଜିକ୍ସ‌ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ‌ପଦରେ କାମ କରି ବିଶ୍ବସ୍ତରରେ ପ୍ରସିଦ୍ଧି ହାସଲ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଖିରିପଦା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ.ମହାନ୍ତି କୁଆମରା ହାଇସ୍କୁଲରୁ ମାଟ୍ରିକ୍‌, ବାରିପଦା ଏମ୍‌ପିସି କଲେଜରୁ ସ୍ନାତକ ଓ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରି ୧୯୮୨ରେ ଭାବା ଆଣବିକ କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଜାନୁଆରି ୨୧ ତାରିଖରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ଆସିଥିବା ବେଳେ ଭାରତର ଏହି ବିଶିଷ୍ଟ ବୈଜ୍ଞାନିକଙ୍କୁ ଭେଟିଥିଲେ ‘ସମ୍ବାଦ’ ବାଲେଶ୍ବର ସହର ପ୍ରତିନିଧି କବିତା ପାତ୍ର।

ଆଣବିକ ଶକ୍ତିକୁ ଅନେକ ଜୀବସତ୍ତାର ବଡ଼ ଶତ୍ରୁ ବୋଲି କହନ୍ତି। ଆପଣଙ୍କ ମତ କଣ?
ଆଣବିକ ଉତ୍ସ ଜୀବସତ୍ତାର ଶତ୍ରୁ ନୁହେଁ। ଏବେ ତ ବିନା ଆଣବିକ ଶକ୍ତିରେ ଚଳିବା କଷ୍ଟକର। ଆଣବିକ ପ୍ରକ୍ରିୟାରୁ ଯେଉଁ ବିକିରଣ (ରାଡିଏସନ୍‌) ହୁଏ, ତାହା କ୍ଷତିକାରକ ଜାଣି ‌ଲୋକେ ଭୟ କରନ୍ତି। ବର୍ତ୍ତମାନ ଏହି ଆଣବିକ ଶକ୍ତିକୁ ବ୍ୟବହାର କରି କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା କରାଯାଉଛି। ଏହାକୁ ଉଚିତ ମାର୍ଗରେ ବ୍ୟବହାର କରାଗଲେ କିଛି ଅସୁବିଧା ନାହିଁ। ଏହା ରାଷ୍ଟ୍ରର ବିକାଶ ପାଇଁ ଆବଶ୍ୟକ ହେଉଥିବା ସାଧନଗୁଡ଼ିକର ବିକଳ୍ପ।

ଆଗାମୀ ଦିନରେ ବିଦ୍ୟୁତ ପାଇଁ ଆମକୁ କ’ଣ ଆଣବିକ ଶକ୍ତି ଉପରେ ନିର୍ଭର କରିବାକୁ ପଡ଼ିବ?
ନିଶ୍ଚିତ। ୨୦୭୦ ଭିତରେ ଆମେ କାର୍ବନମୁକ୍ତ ଭାରତ ଦେଖିବାକୁ ଚାହୁଁଛୁ। ଅଙ୍ଗାରକାମ୍ଳ ନିର୍ଗମନକୁ କିପରି ନିୟନ୍ତ୍ରଣ କରାଯିବ, ତା’ ଉପରେ ଗୁରୁତ୍ବ ଦିଆଯାଉଛି। ଖାଲି ବିଦ୍ୟୁତ୍‌ ପାଇଁ ନୁହେଁ, ମାନବ କଲ୍ୟାଣ କ୍ଷେତ୍ରରେ ଆଣବିକ ଶକ୍ତିର ସୁବିନିଯୋଗ ଓ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବା ଉଚିତ।

ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଣବିକ ଶକ୍ତିକୁ ବ୍ୟବହାର କରାଯାଇପାରିବ। ହେଲେ ଏହା ବେଶ ବ୍ୟୟବହୁଳ। ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଏହା କଣ ସମ୍ଭବ?
ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବେ ବିଶ୍ବରେ ୧ ନମ୍ବର। ଆଣବିକ ଶକ୍ତିକୁ ଅନ୍ୟ ସାଧନରେ ବିନିଯୋଗ କରିବା ଖର୍ଚ୍ଚବହୁଳ। କିନ୍ତୁ ଏହା ଥରେ ଆରମ୍ଭଗ ହେଲେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ। ଆଣବିକ ଶକ୍ତିରୁ ଆଜି ବିଜୁଳି, ବିହନ ପ୍ରକ୍ରିୟାକରଣ, ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଉପଯୋଗ କରାଯାଇପାରୁଛି।

ଯେକୌଣସି ରାଷ୍ଟ୍ର ତାର ସାମରିକ ଶକ୍ତି ପ୍ରଦର୍ଶନ ପାଇଁ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବା ନିହାତି ଆବଶ୍ୟକ କି?
ନିଶ୍ଚିତ ଆବଶ୍ୟକ। ନିଜର ସୁରକ୍ଷା ପାଇଁ ଏହା ପ୍ରସ୍ତୁତ କରିବା ଦରକାର।

ଆଣବିକ ଆକ୍ରମଣ କେତେ ଭୟଙ୍କର, ତାର ଦୃଷ୍ଟାନ୍ତ ଦ୍ବିତୀୟ ବିଶ୍ବଯୁଦ୍ଧ। ଦେଶର ଜଣେ ପ୍ରତିଷ୍ଠିତ ପରମାଣୁ ବୈଜ୍ଞାନିକ ଭାବେ ଆପଣ ଚାହିଁବେ କି ବିଶ୍ୱରେ ସେମିତି ଘଟଣାର ପୁନରାବୃତ୍ତି ହେଉ?
ଜମା ବି ନୁହେଁ। ଜାପାନ୍‌ରେ ଯେଉଁ ଘଟଣା ଘଟିଥିଲା ବିଶ୍ବ ମାନବଜାତି ପାଇଁ ଏହା କଳଙ୍କ। ଆଣବିକ ଶକ୍ତି ‌ମାନବ ଜାତିର ସାମୂହିକ ସ୍ବାର୍ଥ ପାଇଁ ବ୍ୟବହାର ହେଉ, ଧ୍ବଂସ ପାଇଁ ନୁହେଁ।

ବାଲେଶ୍ୱର ଆସିଛନ୍ତି, ନିଜ ଘର ମୟୂରଭଞ୍ଜ ଯିବେ?
ମୋର ଜନ୍ମ, ପାଠପଢ଼ା ସବୁ କିଛି ଏଇଠି। ଜନ୍ମମାଟିକୁ ଯିବିନି କେମିତି? ମୁମ୍ବାଇରେ ମୋର ପରିବାର ରହୁଥିବାବେଳେ ମା’ ଓ ଭାଇଭଉଣୀ ସମସ୍ତେ ଗାଁରେ ରହୁଛନ୍ତି। ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ଗାଁକୁ ଯାଇ ସମସ୍ତଙ୍କୁ ଭେଟିଛି। ଗାଁ’ ଓ ଜନ୍ମମାଟିର ସ୍ମୃତି ଅପାସୋରା।

ଆପଣଙ୍କ ମତ​ରେ ଖଣିଜ ସମ୍ପଦରେ ଓଡ଼ିଶା ପରିପୂର୍ଣ୍ଣ, ସବୁ ଜିଲ୍ଲାର ବିକାଶ କେମିତି ହେବ?
ଓଡ଼ିଶାରେ ସବୁକିଛି ରହିଛି। ଶିକ୍ଷାର ବ୍ୟାପକତା ଆହୁରି ଅଧିକ ହେବା ଜରୁରୀ। ଶିକ୍ଷା ସବୁ କ୍ଷେତ୍ରକୁ ଉଚିତ ମାର୍ଗ ଦେଖାଇଥାଏ। ଆମ ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ହେବ, ଓଡ଼ିଶା ସବୁକ୍ଷେତ୍ରରେ ଆଗକୁ ଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।