ରାଜ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍‌ କଟିବା ପ୍ରସଙ୍ଗ: ରାଜ୍ୟପାଳଙ୍କୁ ରିପୋର୍ଟ ଦେଲା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାଲିଥିବା ତଦନ୍ତ ଶେଷ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗଠନ କରିଥିବା ତିନିଜଣିଆ କମିଟି ଆଜି ପୂର୍ବାହ୍ନରେ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟକୁ ତର୍ଜମା କରାଯିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍‌ଙ୍କ ନିକଟକୁ ରିପୋର୍ଟ ପଠାଇ ଦିଆଯାଇଛି।

ବି‌ଶେଷ ସୂତ୍ରରୁ ଜଣାପଡ଼ିଛି ଯେ ବିଶ୍ବବିଦ୍ୟାଳୟ ରିପୋର୍ଟରେ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଲା ବୋଲି ଦର୍ଶାଯାଇଛି। ସ୍ପଷ୍ଟ ଭାବେ କୁହାଯାଇଛି ଯେ ସମାବର୍ତ୍ତନ ଉତ୍ସବ ଦିନ ସକାଳ ୬ଟା ୩୦ରୁ ପ୍ରେକ୍ଷାଳୟକୁ ପ୍ରସ୍ତୁତ କରି ରଖାଯାଇଥିଲା। ପ୍ରେକ୍ଷାଳୟ ସହ ସମସ୍ତ କୋଠରିକୁ ଶୀତତାପ ନିୟନ୍ତ୍ରିତ କରି ରଖିବାକୁ ଲାଇଟ୍‌ ଓ ଏସି ଚାଲୁ ରହିଥିଲା। ପାଖାପାଖି ୫ଘଣ୍ଟା ଧରି ପ୍ରେକ୍ଷାଳୟକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସଂଯୋଗ ଜାରି ରହିଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଏମ୍‌ସିବି କଟି ଯାଇଥିଲା। ଯେଉଁଥିପାଇଁ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ଅନ୍ଧକାର ହୋଇଥିଲା। ତତ୍‌କ୍ଷଣାତ୍‌ ମରାମତି ଲାଗି କୌଣସି କର୍ମଚାରୀ ନ ଥିବାରୁ ପୁନଃ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ହୋଇଥିଲା। ଯେଉଁ କାର୍ଯ୍ୟ ଗୋଟିଏ କିମ୍ବା ଦୁଇ ମିନିଟ୍‌ ଭିତରେ ହୋଇପାରିଥା’ନ୍ତା ତାହା ବିଳମ୍ବିତ ହେଲା। ଡିଜି ସେଟ୍‌ ବି ସଙ୍ଗେ ସଙ୍ଗେ କାର୍ଯ୍ୟ କରି ନ ଥିଲା। ଯେଉଁଥିପାଇଁ ୯ ମିନିଟ୍‌ ଧରି ପ୍ରେକ୍ଷାଳୟ ଅନ୍ଧା‌ରରେ ରହିଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଇଡ୍‌କୋ କିମ୍ବା ଟାଟା ପାୱାରର କୌଣସି ବି କର୍ମଚାରୀ ଏମ୍‌ସିବି କଟିଥିବା ସ୍ଥାନରେ ପହଞ୍ଚି ନ ଥିଲେ। ବିଶ୍ବବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀଜଣକ ୯ ମିନିଟ୍‌ ପରେ ଏମ୍‌ସିବି ନିକଟରେ ପହଞ୍ଚି ସୁଇଜ୍‌ ଟେକିବା ପରେ ପୁଣିଥରେ ପ୍ରେକ୍ଷାଳୟକୁ ବିଦ୍ୟୁତ୍‌ ସରବରାହ ସମ୍ଭବପର ହୋଇଥିଲା। ଏହି ଘଟଣା ଦ୍ବାରା କେବଳ ଯେ ରାଷ୍ଟ୍ରପତିଙ୍କ ନିକଟରେ କେବଳ ଓଡ଼ିଶା ବଦନାମ ହେଲା ତାହା ନୁହେଁ, ବରଂ ସବୁଦିନ ଲାଗି ବିଶ୍ବବିଦ୍ୟାଳୟ ଅପମାନ ସହିଲା। କାର୍ଯ୍ୟରେ ଅବହେଳା ଲାଗି ବିଶ୍ବବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି। ଅନ୍ୟମାନେ ଯେଉଁ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ବିଶ୍ବବିଦ୍ୟାଳୟର ନାହିଁ। ରାଜ୍ୟ ସରକାର ଯାହା କିଛି ନିଷ୍ପତ୍ତି ନେବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜଭବନକୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଇଡ୍‌କୋ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଇଡ୍‌କୋ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଦୈବୀ ଦୁର୍ଘଟଣାକୁ ଦାୟୀ କରାଯାଇଛି। ଏଥିପାଇଁ କେହି ଦାୟୀ ନୁହଁନ୍ତି, ବରଂ ଅଧିକ ଲୋଡ୍‌ ହେବା ଦ୍ବାରା ଏମ୍‌ସିବି କଟିଯାଇଥିଲା। ପ୍ରସ୍ତୁତ ହୋଇ ରହିଥିବା ଦୁଇଟି ଯାକ ଡିଜି ସେଟ୍‌ ଠିକ୍‌ ସମୟରେ ଚାଲି ନ ଥିଲା। ଫଳରେ ଏଭଳି ଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି କୁହାଯାଇଛି। ଶକ୍ତି ବିଭାଗ ଓ ପୁଲିସ ପକ୍ଷରୁ ଜାରି ରହିଥିବା ତଦନ୍ତ ଇତି ମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ରବିବାର ସୁଦ୍ଧା ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ତା’ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାର ତଦନ୍ତ ରିପୋର୍ଟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।