ଭୁବନେଶ୍ବର : ଗତ ୪ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଧ କୋଟିଏରୁ ଊର୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇସାରିଲାଣି। ଯାହାକି ରାଜ୍ୟର ଜାଲ୍ ନୋଟ୍ କାରବାରର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ବଜାର, ହାଟ, ମଲ୍ ଏମିତିକି ଏଟିଏମ୍ରୁ ବି ମିଳୁଛି ନକଲି ନୋଟ୍। ବେଳେବେଳେ ବ୍ୟାଙ୍କରୁ ବି ଧରାପଡ଼ୁଛି ଜାଲ ନୋଟ୍।
ଦେଶରୁ କଳାଟଙ୍କା ଓ ଜାଲ୍ ନୋଟ୍ କାରବାର ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ ତାରିଖରେ ରାତିଅଧିଆ ନୋଟ ବନ୍ଦୀ ଭଳି ଏକ ବଡ଼ ଘୋଷଣା କରିଥିଲେ। ସେହି ରାତିରୁ ୫ଶହ ଟଙ୍କିଆ ଓ ହଜାର ଟଙ୍କିଆକୁ ନୋଟ୍କୁ ଅବୈଧ ଘୋଷଣା କରାଗଲା। ନୂଆ ନୋଟ୍ ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଇଥିଲା। ଏମିତି ବି କୁହାଯାଇଥିଲା କି ନୂଆ ନୋଟ୍ ଆସିବା ପରେ ଆଉ ଏହାର ନକଲ ତିଆରି କରିହେବନାହିଁ, କି ଆଉ ବଜାରରେ ନକଲି ନୋଟ୍ ପଶିପାରିବ ନାହିଁ। ୨୦୧୬ ନଭେମ୍ବର ୧୦ ତାରିଖରେ ଲୋକେ ନୂଆ ୨ହଜାର ଟଙ୍କିଆ ଠାରୁ ଆରମ୍ଭ କରି ୫ଶହ, ୨ଶହ, ୫୦ ଓ ୧୦ ଟଙ୍କିଆ ନୋଟ୍ ଦେଖିଲେ। ୨୦୧୮ ସେପ୍ଟେମ୍ବର ପହିଲାରେ ନୂଆ ଶହେ ଟଙ୍କିଆ ନୋଟ୍ ବି ବଜାରକୁ ଆସିଲା।

ହେଲେ ଜାଲ୍ ନୋଟ୍ କାରବାର ବନ୍ଦ ହେଲାନାହିଁ। ବରଂ ଏବେ ସବୁଠି ପୂର୍ବଭଳି ପୁଳାପୁଳା ଜାଲ୍ ନୋଟ୍ ଦେଖିବାକୁ ମିଳୁଛି। ଏବେ ସାଧାରଣ ଦୋକାନ ବଜାରଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍, ପେଟ୍ରୋଲ୍ ପମ୍ପ ସବୁଠି ଜାଲ୍ ନୋଟ୍ ପଶିସାରିଛି। ଏମିତି କି ଏଟିଏମ୍, ବ୍ୟାଙ୍କରୁ ବି ଜାଲ୍ ନୋଟ୍ ବାହାରୁଛି। ଜାଲ୍ ନୋଟ୍ ତିଆରି କରୁଥିବା ଲୋକମାନେ ଏତେ ଚତୁରତାର ସହ ନୋଟ୍ ପ୍ରସ୍ତୁତ କରୁଛନ୍ତି ଯେ ଟଙ୍କା ଗଣା ମେସିନ୍ ବି ଧରିପାରୁନାହିଁ। ବ୍ୟାଙ୍କ କର୍ମଚାରୀ ବି ସହଜରେ ନକଲି ନୋଟ୍କୁ ପରଖିପାରୁନାହାନ୍ତି। କାହିଁକି ଫେଲ୍ ମାରିଲା ଯୋଜନା? କିପରି ତିଆରି ହୋଇପାରୁଛି ନକଲି ନୋଟ୍? କିଏ ଯୋଗାଉଛି କଞ୍ଚାମାଲ୍? ଏହାପଛରେ କେଉଁ ରୢାକେଟ୍ କାମ କରୁଛି? ଏମିତି ମାଳମାଳ ପ୍ରଶ୍ନ ମୁଣ୍ଡ ଟେକିଛି।
ନିକଟରେ ଏସ୍ଟିଏଫ୍ ଓ ପୁଲିସ ନକଲି ନୋଟ୍ ଜବତ କରିଥିବା କେତେକ ଘଟଣା
୨/୩: ଖାରବେଳନଗର ଥାନା ଅଞ୍ଚଳରୁ କମିସନରେଟ୍ ପୁଲିସ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ସତ୍ୟନାରାୟଣ ଓ ଭୁନା ନାମକ ଦୁଇ ବ୍ୟକ୍ତିଙ୍କୁ ଖାରବେଳଗନଗର ଥାନା ପୁଲିସ ଗିରଫ କରିଥିଲା। ତେବେ ଭୁନା ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ବୁଲି ଟଙ୍କା ଛାପିବା କୌଶଳ ଶିଖିଥିବା ଜେରା ସମୟରେ ମାନିଥିଲା। ଏହାଛଡ଼ା ସେ ୟୁଟ୍ୟୁବ୍ ଦେଖି ତାଲିମ୍ ମଧ୍ୟ ନେଇଥିଲା।
୨୯/୪: ବାପୁଜୀନଗରସ୍ଥିତ ଏକ ଘରୋଇ ବ୍ୟାଙ୍କରୁ ପାଖାପାଖି ୮ ହଜାର ଟଙ୍କାର ଜାଲ୍ ନୋଟ୍ ମିଳିଥିଲା। ଯେଉଁଥିରେ ୧୬ଟି ୫ଶହ ଟଙ୍କିଆ ନୋଟ୍ଥିଲା। ଏନେଇ ବ୍ୟାଙ୍କ ଅଧିକାରୀ ମାନସ ରଞ୍ଜନ ମହାପାତ୍ର କ୍ୟାପିଟଲ୍ ଥାନାରେ ଅଭିଯୋଗ କରିଥିଲେ।
୭/୭: ବରଗଡ଼ ଜିଲ୍ଲାରେ ନକଲି ନୋଟ୍ କାରବାର ବଢ଼ୁଥିବା ଜଣାପଡ଼ିବା ପରେ ଏସ୍ଟିଏଫ୍ର ଏକ ଟିମ୍ ଅଚାନକ ବରପାଲି ଅଞ୍ଚଳରେ ଚଢ଼ଉ କରି ୧୪ ଲକ୍ଷ ସାଢ଼େ ୨୯ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ପଟୁ ଯାଦବ ଓ ବଳରାମ ମେହେରକୁ ଗିରଫ କରିବା ସହ ଜାଲ୍ ନୋଟ୍ ତିଆରି ପାଇଁ ବ୍ୟବହୃତ କେତେକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା।
୧୨/୭: ସମ୍ବଲପୁର ଜିଲ୍ଲା ଜୁଜୁମରା ଅଞ୍ଚଳରେ ଏସ୍ଟିଏଫ୍ ଚଢ଼ଉ କରି ୧୫ଲକ୍ଷରୁ ଊର୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ କରିଥିଲା। ଜାଲ୍ ନୋଟ୍ ରୢାକେଟ୍ ଚଳାଉଥିବା ପୋଦାର ପ୍ରସାଦ ସାହୁ ଓ ଜନ୍ମେଞ୍ଜୟ ବାଗକୁ ଗିରଫ କରି ସେମାନଙ୍କଠାରୁ ଦୁଇଟି ଲ୍ୟାପ୍ଟପ ଓ ଗୋଟିଏ କଲର ପ୍ରିଣ୍ଟର ଜବତ କରିଥିଲା।
୧୦/୯: ଏସ୍ଟିଏଫ୍ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଚଢ଼ଉ କରି ୧୬ଲକ୍ଷରୁ ଊର୍ଧ୍ବ ଟଙ୍କାର ନକଲି ନୋଟ୍ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ସେକ୍ ଅହମ୍ମଦ ନାମକ ଅଭିଯୁକ୍ତକୁ ଗିରଫ କରିବା ସହ ତା’ଠାରୁ ଗୋଟିଏ ଲ୍ୟାପ୍ଟପ ଓ କଲ୍ର ପ୍ରିଣ୍ଟର ଜବତ କରିଥିଲା।