ରାଜ୍ୟ

ରାଜ୍ୟରେ ପୁଣି ଚିଟ୍‌ଫଣ୍ଡ ଭଳି ଘରୋଇ ଫାଇନାନ୍ସ କମ୍ପାନି ମହାଜନୀ ଚଳାଇଛନ୍ତି: ବିଜେପି

ଭୁବନେଶ୍ୱର: ସାରା ରାଜ୍ୟରେ ବେସରକାରୀ ଫାଇନାନ୍ସ କମ୍ପାନି ମାତିଛନ୍ତି। ଆଜି ବି ରାଜ୍ୟରେ ମହାଜନୀ କାରବାର ଚାଲିଛି ଯାହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଘରୋଇ ଫାଇନାନ୍ସ କମ୍ପାନିଗୁଡ଼ିକ ଗାଁରେ ମହିଳାଙ୍କୁ ଏକାଠି କରି ବୈଠକ କରିବା ସହ ଜବରଦସ୍ତ ଋଣ ଦେଉଛନ୍ତି। ଏହି ମହିଳାମାନେ ଋଣ ପରିଶୋଧ ନକରିପାରିବା ପରେ ସେମାନେ ତାଙ୍କୁ ମାନସିକ ନିର୍ଯାତନା, ଅପମାନ ଦେବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି। ରାଜ୍ୟରେ ପୁଣି ଚିଟଫଣ୍ଡ ଭଳି ଘରୋଇ ଫାଇନାନ୍ସ କମ୍ପାନି ରାହାଜାନି ଚଳାଇଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ ଆଣିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ‌ଯେ ଘରୋଇ ଫାଇନାନ୍ସ କମ୍ପାନି ପାଇଁ ଜୁଲାଇ ୧ରେ ବଲାଙ୍ଗୀର ଜିଲ୍ଲାର ଓଡ଼ିଆପଲ୍ଲୀ ଗାଁରେ ଡ୍ରାଇଭର ତାରାକାନ୍ତ ସାହୁ ଋଣଭାର ସହିନପାରି ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଥିଲେ। ସେହିପରି ଜୁଲାଇ ୨ରେ ପୁରୀ ଜିଲ୍ଲା କଣାସ ବ୍ଳକ ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଓ ବନିତା ବେହେରା ଋଣ କରିଥିଲେ ଓ ଏସ୍‌କେଏସ୍‌ କମ୍ପାନିର କର୍ମଚାରୀ ବର୍ଷାରାଣୀ ସାହୁ ତାଙ୍କୁ ଗାଳି ଗୁଲଜ କରି ଅପମାନିତ କରିବାରୁ ସେମାନେ ଆତ୍ମହତ୍ୟା କଲେ। ଜୁଲାଇ ୪ତାରିଖ ଦିନ ଭଦ୍ରକ ଜିଲ୍ଲାର ତିହିଡି ଥାନା କାମପଡ଼ା ପଞ୍ଚାୟତ ବରଣାକୂଳ ଗାଁର ଉପେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ମିନତି ଦେବୀ ଋଣଭାର ସହି ନପାରି ଆତ୍ମହତ୍ୟା କରିଛନ୍ତି। ଚାନ୍ଦବାଲିଠାରେ ବନ୍ଧନ ବ୍ୟାଙ୍କ ଏସ୍‌ଏଚ୍‌ଜି ମାଧ୍ୟମରେ ମହିଳାଙ୍କୁ ଋଣ ଦେଇଥିଲା। ଋଣ ସୁଝି ନପାରିବାରୁ ତାଙ୍କ ସ୍ୱାମୀଙ୍କୁ ବନ୍ଧା ଯାଇଥିଲା। ଘରୋଇ ଫାଇନାନ୍ସ କମ୍ପାନିଗୁଡ଼ିକ ପାଇଁ ଓଡ଼ିଶାରେ ଚଳିତ ସପ୍ତାହରେ ୫ଜଣଙ୍କ ମୃତ୍ୟୁ ହେବା ସହ ଲକ୍ଷାଧିକ ଠକେଇ ହେଉଛି। ତେଣୁ ରାଜ୍ୟ ସରକାର ମୃତକଙ୍କ ପରିବାକୁ ୨୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଅପରପକ୍ଷେ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଋଣକାରୀଙ୍କ ଉପରେ କୌଣସି କମ୍ପାନି ଚାପ ପକାଇ ପାରିବେ ନାହିଁ। ହେଲେ ବିଜେପି ପ୍ରତିନିଧି ଦଳ ଅଁଳାଯୋଡ଼ି ଗ୍ରାମ ପରିଦର୍ଶନ ସମୟରେ ଜାଣିବାକୁ ପାଇଛି ଯେ ଋଣ ଆଦାୟ ପାଇଁ ଘରୋଇ ସଂସ୍ଥାର ପ୍ରତିନିଧି ବର୍ଷାରାଣୀ ସାହୁ ବନିତା ବେହେରା ଓ ବାନାମ୍ବର ବେହେରାଙ୍କ ଘରେ ଦିନ୧୨ରୁ ରାତି ୩ଟା ପର୍ଯ୍ୟନ୍ତ ବସିଥିଲେ। ବର୍ଷାରାଣୀ ସେ ନିୟମ ଉଲ୍ଲଂଘନ କରିବା ସହ ରାତି ୧.୩୦ରେ ମଧ୍ୟ କିସ୍ତି ଟଙ୍କା ନେଇଛନ୍ତି ଓ ବନିତାଙ୍କୁ ବିଭିନ୍ନ ଧମକ ଦେବା ସହିତ ‘ଭିକ ମାଗି ଋଣ ଟଙ୍କା ସୁଝ ନଚେତ ମଲେ ସୁଝିବାକୁ ପଡ଼ିବନି’ ବୋଲି କହିଥିଲେ। ଅର୍ଥଲଗାଣକାରୀ ସଂସ୍ଥାର ପ୍ରତିନିଧି ବର୍ଷାର ବାରମ୍ବାର ଏଭଳି କଟୁ ମନ୍ତବ୍ୟ ସହି ନପାରି ଶେଷରେ ବନିତା ବେହେରା ଭୋର ୫ଟାରେ ଆତ୍ମହତ୍ୟା କରିଥିବା ଲେଖାଶ୍ରୀ କହିଛନ୍ତି।

ଏହାସହ ବିଜେପି ପ୍ରଶ୍ନ କରିଛି ଯେ ଘରୋଇ ଫାଇନାନ୍ସ ସଂସ୍ଥା ମହିଳା ଏସ୍‌ଏଚ୍‌ଜିଙ୍କୁ ଋଣ ଦେବାରେ କାହାର ଭୂମିକା ରହିଛି? ଫାଇନାନ୍ସ କମ୍ପାନିଗୁଡ଼ିକୁ ଓଡ଼ିଶାରେ କିଏ ପ୍ରଶୟ ଦେଉଛି? ରାଜ୍ୟରେ କେତେ ଘରୋଇ ଫାଇନାନ୍ସ କମ୍ପାନି ଅଛି ତାହାର ହିସାବ ଅଛି କି? ଘରୋଇ ଫାଇନାନ୍ସ କମ୍ପାନିକୁ କିଏ ନିୟନ୍ତ୍ରଣ କରୁଛି? ଘରୋଇ ଫାଇନାନ୍ସ କମ୍ପାନି ୩୦%ରୁ ଅଧିକ ସୁଧ ନେଉଛନ୍ତି ତାହା ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ରେ ଅଛି ତ? ଏସ୍‌ଏଚ୍‌ଜି, ଘରୋଇ ଫାଇନାନ୍ସ କମ୍ପାନି ଓ ରାଜ୍ୟ ସରକାରଙ୍କ ଭିତରେ କ’ଣ ମଧୁ ଚନ୍ଦ୍ରିକା ଅଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ ପ୍ରକାଶ ମିଶ୍ର, ଲିଗାଲ୍ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।