ଅପରାଧ ରାଜ୍ୟ

ରାଜ୍ୟରେ ଅବକାରୀ ଥାନାର ବିକଳ ଚିତ୍ର: ସରକାରଙ୍କ ଭଣ୍ଡାର ଭରୁଛନ୍ତି, ନିଜ ପାଇଁ ଖଣ୍ଡେ ଗାଡ଼ି ନାହିଁ

ଭୁବନେଶ୍ବର : ରାଜ୍ୟରେ ଏବେ ୧୯୨ଟି ଅବକାରୀ ଥାନା। ରାଜ୍ୟ ସରକାର ଆଉ ୯ଟି ଅବକାରୀ ଥାନା ପ୍ରତିଷ୍ଠା ପାଇଁ ଦୁଇ ଦିନ ତଳେ ମଞ୍ଜୁରି ଦେଇଛନ୍ତି। ଅବକାରୀ ଥାନା ସଂଖ୍ୟା ବଢ଼ି ୨୦୧ରେ ହେବ। କିନ୍ତୁ ଅବକାରୀ ବିଭାଗର ଯେଉଁ ବିକଳ ଚିତ୍ର ତାହା ଜଣେ ଗ୍ରାଉଣ୍ଡ ଜିରୋକୁ ନ ଗଲେ ବିଶ୍ବାସ କରିପାରିବ ନାହିଁ। ଥାନା ପାଖରେ ଖଣ୍ଡେ ଗାଡ଼ି (ଜିପ୍ ବା ଭ୍ୟାନ୍) ନାହିଁ; ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ; ଅଫିସ୍ କାମ ପାଇଁ। ରାଜ୍ୟରେ ଏମିତି ରହିଛି ଅବକାରୀ ବିଭାଗର ଅବସ୍ଥା।

ଅବକାରୀ ଥାନାଗୁଡ଼ିକର ନିଜସ୍ବ ଗାଡ଼ି ନ ଥିବାରୁ ସେମାନେ କୌଣସି ସ୍ଥାନକୁ ଚଢ଼ଉ କରିବାକୁ ଯିବା ସହଜ ହେଉନାହିଁ। କୌଣସି ଥାନା ଯଦି ନିଶା ବେପାରୀଙ୍କୁ ଗିରଫ କରିବାକୁ ଯିବା ପାଇଁ ଗାଡ଼ି ଆବଶ୍ୟକ କରନ୍ତି, ତେବେ‌ ପୂର୍ବରୁ ଅବକାରୀ ରେଞ୍ଜକୁ ଚିଠି କରିଥା’ନ୍ତି। ପରେ ସେମାନଙ୍କୁ ଚଢ଼ଉରେ ଯିବା ପାଇଁ ଗାଡ଼ି ମିଳିଥାଏ। ଏହି ସମୟରେ ଯଦି ଅନ୍ୟ କୌଣସି ଅବକାରୀ ଥାନା ହଠାତ୍ ନିଶା ବେପାରୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇଥାଏ ଏବଂ ଚଢ଼ଉରେ ଯିବାକୁ ଚାହେ, ତା’ ହେଲେ ଏହା ସମ୍ଭବ ନୁହେଁ। କାରଣ ଅବକାରୀ ଥାନାଗୁଡ଼ିକ ପାଳି କରି ଅବକାରୀ ରେଞ୍ଜ କାର୍ଯ୍ୟାଳୟରୁ ଗାଡ଼ି ନେଇଥା’ନ୍ତି। ଏତେ ସବୁ କାମ କଲା ବେଳକୁ ନିଶା ବେପାରୀ ଚମ୍ପଟ ମାରି ସାରିଥାଏ। ଏସବୁ କାରଣରୁ ଅବକାରୀ କର୍ମଚାରୀଙ୍କ ମରେଧ୍ୟ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ମାସକୁ ଗୋଟିଏ ଗୋଟିଏ ଥାନାରେ ୧୨ରୁ ୧୮ଟି ମାମଲା ରୁଜୁ କରିବାକୁ ରାଜ୍ୟ ସରକାର ନିୟମ କରିଛନ୍ତି। କିନ୍ତୁ ଏତେ ମାମଲା ରୁଜୁ ହେବ କେମିତି?। ସେ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ, ବିନା ଗାଡ଼ିରେ ବୁଲି ବୁଲି ନିଶା ବେପାରୀଙ୍କୁ କେମିତି ଗିରଫ କରାଯିବ? ଏମିତିରେ ବି ରାଜ୍ୟ ସରକାର ଛତୁ ଫୁଟିଲା ଭଳି ସାରା ରାଜ୍ୟରେ ମଦ ଦୋକାନ ଖୋଲିଦେଲେ। ସେଗୁଡ଼ିକୁ ରୀତିମତ ଯାଞ୍ଚ କରିବାକୁ ଯିବା ପାଇଁ ଗାଡ଼ି ଆବଶ୍ୟକ। ସେହିଭଳି କରୋନା ମହାମାରୀ ପରେ ରାଜ୍ୟରେ ଚୋରା ଓ ଦେଶୀ ମଦ କାରବାର ବହୁଳ ଭାବେ ବଢ଼ି ଯାଇଛି। ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଚୋରା ଓ ଦେଶୀ ମଦ ମିଳୁଥିବା ବେଳେ ଏବେ ଭୁବନେଶ୍ବର ଓ କଟକ ଭଳି ସହରର ସମ୍ଭ୍ରାନ୍ତ ଅଞ୍ଚଳରେ ଚାଉଳି, ହାଣ୍ଡିଆ, ମହୁଲି ଭଳି ଦେଶୀ ମଦ ମଧ୍ୟ ବିକ୍ରି ହେଲାଣି। ଏସବୁ ଅବକାରୀ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଏପଟେ ଅବକାରୀ ବିଭାଗଠାରୁ ଯାହା ସୂଚନା ମିଳିଛି, ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ଅବକାରୀ ଜନିତ ମାମଲା ୨୫ହଜାର ୪୬୮ଟି ରୁଜୁ ହୋଇଥିଲା। ୨୦୨୧-୨୨ ଅଗଷ୍ଟ ସୁଦ୍ଧା ୫୧ ହଜାର ୫୬୮ଟି ମାମଲା ରୁଜୁ ହୋଇ ସାରିଲାଣି। ଆର୍ଥିକ ବର୍ଷ ଶେଷକୁ ଏହି ମାମଲା ସଂଖ୍ୟା ଆହୁରି ବଢ଼ିବ। ଫଳରେ ଚାପରେ ରହୁଛନ୍ତି ଅବକାରୀ ବିଭାଗର ଅଧିକାରୀ।

ଆହୁରି ଆଶ୍ଚର୍ଯ୍ୟର କଥା, କେବଳ ଅବକାରୀ ଥାନା କାହିଁକି, ନୟାଗଡ଼ ସମେତ ଏମିତି କେତୋଟି ଜିଲ୍ଲା ଅଛି, ଯେଉଁ ଜିଲ୍ଲାରେ ଏସ୍‌ପିମାନଙ୍କର ମଧ୍ୟ ଅଫିସ୍ କାର୍ଯ୍ୟ ପାଇଁ ଜିପ୍ ବା ଭ୍ୟାନ୍‌ଟିଏ ନାହିଁ। ଏ ସମ୍ପର୍କରେ ଅବକାରୀ ଡେପୁଟି କମିସନର୍‌ ରାମଚନ୍ଦ୍ର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସ‌େ ତା’ର କୌଣସି ଉତ୍ତର ଦେଇନଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।