ଅପରାଧ ରାଜ୍ୟ

ରାଜଧାନୀ ବାହାରେ କାମ କରୁନି ପୁଲିସ ରାଡାର୍‌

ଭୁବନେଶ୍ୱର: ରାଜଧାନୀରେ ହତ୍ୟା, ଡକାୟତି ଭଳି ସଂଗିନ୍‌ ଅପରାଧ ଘଟାଇ ବାହାରକୁ ଖସିଯାଉଥିବା ଅଭିଯୁକ୍ତମାନଙ୍କୁ ଠାବ କରିବାରେ କମିସନରେଟ୍‌ ପୁଲିସ ବିଫଳ ହେଉଛି। ଯିଏ ରାଜଧାନୀରେ ଆତ୍ମଗୋପନ କରୁଛନ୍ତି, ପ୍ରାୟତଃ ଧରାପଡ଼ୁଛନ୍ତି। କିନ୍ତୁ ଯିଏ ବାହାରକୁ ଛୁ’ ମାରିଲା, ପୁଲିସ ତା’ର ଟେର୍‌ ପାଉନାହିଁ। ଗତ ମାସକ ମଧ୍ୟରେ ରାଜଧାନୀରେ ଘଟିଥିବା ୪ଟି ବଡ଼ବଡ଼ ମାମଲାରୁ ଏହା ସ୍ପଷ୍ଟ ହୋଇଛି। ମଞ୍ଚେଶ୍ବରରେ ନକଲି କଫ୍‌ ସିରଫ୍‌ କାରବାରର ମାଷ୍ଟରମାଇଣ୍ଡ ହେଉ କି କ୍ୟାପିଟାଲ୍‌ ଥାନା ଜିଇଡି ବସ୍ତି ସୁଶାନ୍ତ ନାୟକ ହତ୍ୟାକାଣ୍ଡ ହେଉ, ଅଭିଯୁକ୍ତମାନେ ରାଜଧାନୀ ବାହାରକୁ ଖସିଯାଇଥିବାରୁ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ କମିସନେରଟ୍‌ ପୁଲିସର ରାଡାର୍‌ ରାଜଧାନୀ ବାହାରେ କାମ କରୁନାହିଁ ବୋଲି ବିଭିନ୍ନ ମହଲରେ କଟାକ୍ଷ କରାଯାଉଛି।

୨୪ ତାରିଖ ଭୋର୍‌ ସମୟରେ କ୍ୟାପିଟାଲ୍‌ ଥାନା ପଛ ପଟେ ଘଟିଗଲା ଭୟଙ୍କର ହତ୍ୟାକାଣ୍ଡ। ଜିଇଡି ବସ୍ତିର ସୁଶାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଗଲା। ସେହି ବସ୍ତିର ବିଶାଲ୍‌, ସୁଜିତ୍‌ ଓ ଅନ୍ୟ ଦୁଇ ଜଣ ଛକି ରହି ସୁଶାନ୍ତଙ୍କୁ ଖଣ୍ଡାରେ ହାଣି ପକାଇଲେ। ଖୋଦ୍‌ ପୁଲିସ କହିବା ଅନୁସାରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ କ୍ୟାପିଟାଲ ଥାନା ପୁଲିସ ସେଠାରେ ପହଞ୍ଚିଥିଲେ ବି ହତ୍ୟାକାରୀମାନେ ଫେରାର୍ ହୋଇଗଲେ। ହୁଏତ ଜିଇଡି ବସ୍ତିରେ ସଙ୍ଗେସଙ୍ଗେ ଚଢ଼ଉ କରାଯାଇଥିଲେ, ହତ୍ୟାକାରୀମାନେ ଧରାପଡ଼ିଯିବା ସମ୍ଭାବନା ଥିଲା। ଏହା ଭିତରେ ସପ୍ତାହଟିଏ ବିତିଗଲାଣି। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ୪ ହତ୍ୟାକାରୀ ମଧ୍ୟରୁ ଜଣକୁ ବି ଠାବ କରିବା ପୁଲିସ ପାଇଁ ସମ୍ଭବ ହୋଇପାରିଲା ନାହିଁ। ହତ୍ୟା ଅଭିଯୁକ୍ତମାନେ ରାଜଧାନୀ ବାହାରକୁ ଖସିଯିବା ପରେ ପୁଲିସର ଅକଲ ଗୁଡ଼ୁମ୍‌ ହୋଇଯାଇଛି।

ପୁଲିସ ବିଶାଲ୍‌ ଓ ସୁଜିତ୍‌ର ମୋବାଇଲ୍‌ ଟ୍ରାକିଂକୁ ଭରସା କରି ବସିଛି। କେବଳ ଏହା ଗୋଟିଏ ଘଟଣା ନୁହେଁ। ଗତ ମାର୍ଚ୍ଚ ୧୨ ତାରିଖ ରାତି ୨ଟା ସମୟରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ପୁଲିସକୁ ଚକ୍‌ମା ଦେଇ ଏକ ଡକାୟତ ଦଳ ଖସିଗଲେ। ପୁଲିସ ଟିମ୍‌ ସେମାନଙ୍କୁ ଧରିବାକୁ ବହୁ କସରତ କଲା। ପ୍ରାୟ ୧ଘଣ୍ଟା କାଳ ଡକାୟତ ଦଳଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଗୋଡ଼ାଇଲା। କିନ୍ତୁ ଡକାୟତ ଦଳ ସରସ୍ବତୀ ବସ୍ତି ନିକଟସ୍ଥ ଜଙ୍ଗଲିଆ ସ୍ଥାନରେ ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିଲେ। ପୁଲିସ ଖାଲି ଗାଡ଼ିକୁ ଜବତ କରି ଫେରିଲା। ଗାଡ଼ିରୁ ଗ୍ୟାସ୍‌ କଟର୍‌ ଓ ଅନ୍ୟାନ୍ୟ ଉପକରଣ ଜବତ ହୋଇଥିଲା। ଉକ୍ତ ଉପକରଣ ସବୁ ଏଟିଏମ୍‌ ଲୁଟ୍‌ରେ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ତେବେ ଡକାୟତ ଦଳ ଏବେ ବି ପୁଲିସ ପାଇଁ ଅପହଞ୍ଚ। ଜବତ ଗାଡ଼ିରୁ ବି ପୁଲିସକୁ ସେମିତି କିଛି ଠୋସ୍ ତଥ୍ୟ ମିଳୁନାହିଁ ବୋଲି କୁହାଯାଉଛି। ସେହିଭଳି ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଜବତ ହୋଇଥିବା ବିଷାକ୍ତ କଫ୍‌ ସିରଫ୍‌ ମାମଲାର ମାଷ୍ଟରମାଇଣ୍ଡ ନୟାଗଡ଼ର ପ୍ରବୀଣ ସାହୁକୁ ବି ପୁଲିସ ଗିରଫ କରିପାରିନାହିଁ। ପୁଲିସ ପ୍ରବୀଣର ଘର ସହ ମଞ୍ଚେଶ୍ବର ଚକେଇସିଆଣିସ୍ଥିତ ତା’ର ଫାର୍ମା କମ୍ପ‌ାନିରେ ଚଢ଼ଉ କରିଥିଲେ ହେଁ ଏତେଦିନ ହେଲା ହାତ ଖାଲି କରିବସିଛି। ‌ବଡ଼ କଥା ହେଉଛି ସରକାରୀ କ୍ବାର୍ଟର୍ସରେ ବାଣ କାରବାର ମାମଲା‌ରେ ବି ପୁଲିସ ହାତ ଖାଲି।

ଏବାବଦରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏବେ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ଅପରାଧୀମାନଙ୍କୁ ଧରିବା ସହଜ ନୁହେଁ। କାରଣ ଅପରାଧ ଘଟାଇବା ପରେ ସେମାନେ ମୋବାଇଲ୍‌ ବଦଳାଇ ଦେଉଛନ୍ତି, କିମ୍ବା ମୋଟେ୍‌ ମୋବାଇଲ୍‌ ବ୍ୟବହାର କରୁନାହାନ୍ତି। ପରିବାର ଓ ସମ୍ପର୍କୀୟଙ୍କ ସହ ଅଲଗା ମାଧ୍ୟମରେ ଯୋଗାଯୋଗରେ ରହୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ସେମାନଙ୍କୁ ଠାବ କରିବା ବିଳମ୍ବିତ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।