ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ଶୁଭେଚ୍ଛା ରାଜନୀତି: କାନ୍ଥରେ ‘ଏଥର ପୁଣି ଅପରାଜିତା’ ବନାମ ‘ଶଙ୍ଖ ବିକାଶର ଚିହ୍ନ’

ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ହାତରେ ଆଉ ୬ ମାସରୁ କମ୍‌ ସମୟ ରହିଛି। ତା’ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀମାନେ କେଉଁଭଳି ଭାବେ ରାଜଧାନୀବାସୀଙ୍କ ନିକଟତର ହେବେ ସେଥିପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି। ଦୁଇ ମାସ ଆଗରୁ ଭୁବନେଶ୍ବର ସାଂସଦଙ୍କ ସମର୍ଥକମାନେ କାନ୍ଥ ବାଡ଼ରେ ‘ଏଥର ପୁଣି ଅପରାଜିତା’ ଲେଖି ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଇଥି‌ଲେ। ଆଉ ଏବେ ଶାସକ ବିଜେଡି ଦଳ ମଧ୍ୟ କାନ୍ଥ ରାଜନୀତିକୁ ଓହ୍ଲାଇଛି। ସହରର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମା‌ନେ ‘ଶଙ୍ଖ’ ବିକାଶର ଚିହ୍ନ ଓ ଆମ ଚିହ୍ନ ‘ଶଙ୍ଖ’ ଚିହ୍ନ ଆଦି ସ୍ଲୋଗାନ ଲେଖିଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜେଡିର ମନ୍ତ୍ରୀ, ବିଧାୟକ, ସାଂସଦ ଭୋଟରଙ୍କ ନିକଟତର ହେଉଥିବା ବେଳେ ଅନ୍ୟପଟେ କର୍ମୀମାନଙ୍କ ଏଭଳି ବାର୍ତ୍ତା ସହରର ରାଜନୀତିକୁ ଉଷ୍ମ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭୋଟରଙ୍କ ନିକଟତର ହେବାକୁ ବିଜେଡି, ବିଜେପି, କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀମାନେ ଲାଗିପଡ଼ିଛନ୍ତି। ଶାସକ ଦଳର ତିନି ବିଧାୟକ ଯଥା ଭୁବନେଶ୍ବର ଏକାମ୍ରର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେଡି ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବେ ମଣ୍ଡପ ବୁଲିବା ଆରମ୍ଭ କରି ଦେଇଛନ୍ତି। ନିର୍ବାଚନମଣ୍ଡଳୀରେ ହୋଇଥିବା ପୂଜା ମଣ୍ଡପ ଗସ୍ତ କରିବା ସହ ଲୋକଙ୍କୁ ଭେଟୁଛନ୍ତି। ସେମାନଙ୍କ ସହ ସ୍ଥାନୀୟ କର୍ପୋରେଟର ଓ ୱାର୍ଡର ପ୍ରମୁଖ ନେତାମାନଙ୍କୁ ଦେଖିବାକୁ ମିଳୁଛି। ବିଜେଡିର କିଛି ଆଶାୟୀ ପ୍ରାର୍ଥୀ ମଧ୍ୟ ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ମଣ୍ଡପରେ ମା’ଙ୍କ ଦର୍ଶନ କରୁଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଦେଶ ଗସ୍ତରେ ଥିବାରୁ ମଣ୍ଡପରେ ତାଙ୍କ ଅନୁପସ୍ଥିତି ବାରି ହୋଇପଡ଼ୁଛି। ‌ତଥାପି ବିଜେପିର କର୍ପୋରେଟର ଓ ଅନ୍ୟାନ୍ୟ ନେତାମାନେ ମଣ୍ଡପ ବୁଲିବା ସହ ଶ୍ରଦ୍ଧାଳୁଙ୍କ ସହ ମିଶୁଥିବା ନଜରକୁ ଆସିଛି। ସହରରେ କଂଗ୍ରେସର ସେଭଳି ଆଖିଦୃଶିଆ ନେତୃତ୍ବ ଦେଖିବାକୁ ମିଳୁନି। ଏକାମ୍ରରେ ଆଶାୟୀ ରହିଥିବା ଜଣେ ଦୁଇଜଣ କଂଗ୍ରେସ ନେତା ବିଭିନ୍ନ ମଣ୍ଡପ ବୁଲୁଥିବା ଦେଖିବାକୁ ମିଳୁଛି। ମାତ୍ର ମଧ୍ୟ ଓ ଉତ୍ତର ଭୁବନେଶ୍ବରରେ ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦୁଇ ଜଣ ଯୁବ ନେତା ଏବେ ଏକପ୍ରକାର ଉଭାନ ହୋଇ ଯାଇଛନ୍ତି। ନୂଆ ଆଶାୟୀମାନେ ଏବେ ମୁଣ୍ଡ ଟେକିବା ସହ ମଣ୍ଡପ ବୁଲୁଥିବା ଦେଖିବାକୁ ମିଳୁଛି।

କେବଳ ସେତିକି ନୁହେଁ, ଦଶହରା ଶୁଭେଚ୍ଛା ଆଳରେ ରାଜଧାନୀ ସାରା ବ୍ୟାନର ଓ ହୋର୍ଡିଂ ଛାଇଯାଇଛି। କେଉଁଠି ବିଧାୟକଙ୍କର ତ ଆଉ କେଉଁଠି କର୍ପୋରେଟରଙ୍କର। ଆଉ କେଉଁଠି ପୂର୍ବତନ କର୍ପୋରେଟରଙ୍କର ଓ ସମା‌ଜେସେବୀଙ୍କର। ସହରର ପ୍ରତି ଛକରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ବ୍ୟାନର ଦେଖିବାକୁ ମିଳୁଛି। ମଣ୍ଡପର ସ୍ଥାନେ ସ୍ଥାନେ ଏକାଧିକ ବ୍ୟାନର ଲାଗିଛି। ଦିନ ଦିପହରରେ ପ୍ରଶାସନ ଆଖି ସାମ୍ନାରେ ଏସବୁ ଲାଗିଥିଲେ ମଧ୍ୟ ସେଥିପ୍ରତି କାହାର ବି ନିଘା ନାହିଁ। ବିଏମ୍‌ସି କଥା ନ କହିବା ଭଲ। ବାବୁମାନେ ସବୁ ଦେଖି ଜାଣି ମଧ୍ୟ ଆଖି ବୁଜି ଦେଇଛନ୍ତି। ବିଏମ୍‌ସି କାର୍ଯ୍ୟାଳୟଠାରୁ ଗୋଟିଏ କିମି ଦୂରରେ ମାଳ ମାଳ ବ୍ୟାନର ଟଙ୍ଗା ଯାଇଥିଲେ ମଧ୍ୟ ସେଥିପ୍ରତି ଆଦୌ ଧ୍ୟାନ ନାହିଁ। ବିଜେଡି ନେତା ଓ କର୍ମୀମାନଙ୍କର ସର୍ବାଧିକ ବ୍ୟାନର୍‌, ହୋର୍ଡିଂ ରହିଛି। ବିଜେଡିର କୌଣସି ପଦପଦବିରେ ଥିବା ନେତା, ପୂର୍ବତନ କର୍ପୋରେଟର ଏକାଧିକ ୱାର୍ଡରେ ନିଜର ବ୍ୟାନର ଲଗାଇ ପତିଆରା ଜାହିର କରିବାକୁ ପଛାଇ ନାହାନ୍ତି। ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ସ୍ଥାନୀୟ ବିଧାୟକ ଓ ମେୟରଙ୍କ ଫଟୋକୁ ସ୍ଥାନିତ କରିଛନ୍ତି। ବିଜେପିର ୱାର୍ଡସ୍ତରୀୟ ନେତାମାନେ ସାଂସଦଙ୍କ ଫଟୋକୁ ବ୍ୟାନରରେ ସ୍ଥାନିତ କରି ବିଭିନ୍ନ ଛକରେ ଲଗାଇଛନ୍ତି। କଂଗ୍ରେସର ତୃଣମୂଳ ସ୍ତରର ନେତାମାନେ ମଧ୍ୟ ବ୍ୟାନର ଲଗାଇଥିବା ସାମ୍ନାକୁ ଆସିଛି। ବିଶେଷକରି ମଣ୍ଡପ ନିକଟରେ ବ୍ୟାନର ସଂଖ୍ୟା ଅଧିକ ରହିଛି। କେତେଜଣ କର୍ପୋରେଟର ଲିଫ୍‌ଲେଟ୍‌ ବାଣ୍ଟୁଥିବା ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।