ରାଜ୍ୟ

ରାଜଧାନୀରେ ଚାହିଦାନୁସାରେ ବଢ଼ୁନି ଇ-ରାଇଡ୍‌ ସେବା

ଭୁବନେଶ୍ୱର: ରାଜଧାନୀରେ ପରିବେଶ ଅନୁକୂଳ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଇ-ରାଇଡ୍‌ ବା ଇ-ଅଟୋ ବ୍ୟବସ୍ଥା ଚାଲିଛି। ମୋ’ ବସ୍ ଯାତାୟାତ କରୁନଥିବା ଗଳିକନ୍ଦିରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଇ-ରାଇଡ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ମାତ୍ର ଏବେ ବି ବହୁ ଗଳିକନ୍ଦିରେ ଏହି ସେବା ପହଞ୍ଚିପାରିନାହିଁ। ଲୋକଙ୍କ ଚାହିଦା ବଢ଼ୁଥିଲେ ବି ପ୍ରଶାସନ ଇ-ରାଇଡ୍‌ ସେବା ବଢ଼ାଇପାରୁନାହିଁ। ତେବେ ଏହି ସେବାକୁ କିନ୍ନର ସାରଥୀମାନେ ଛାଡ଼ି ଦେଇଥିବା ବେଳେ ମହିଳା ସାରଥୀମାନେ ଜାରି ରଖିଛନ୍ତି।

ଗତ ବର୍ଷ ଜୁଲାଇ ୨୯ରେ ମୋ’ ଇ-ରାଇଡ୍‌ (ବ୍ୟାଟେରି ଅଟୋ) ସେବା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ରାଜରାସ୍ତାରେ ୫୦ଟି ବ୍ୟାଟେରି ଅଟୋ ଚାଲିଥିଲା। ଏହି ଅଟୋ କେବଳ ମହିଳା ଓ କିନ୍ନରମାନେ ଚଳାଇବେ ବୋଲି ନିଷ୍ପତ୍ତି କରାଯାଇଥିଲା। ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ସହ କିନ୍ନରମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଏକ ଯୋଜନା କରାଯାଇଛି। ସହରକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ମଧ୍ୟ ଏହା ବେଶ୍ ଉପଯୋଗୀ ହେବ ବୋଲି ସବୁ ମହଲରୁ ଏହାକୁ ପ୍ରଶଂସା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଜନା ଆରମ୍ଭ ହେବା ପୂର୍ବରୁ ଆଗ୍ରହୀ ମହିଳା ଓ କିନ୍ନରମାନଙ୍କୁ ତାଲିମ୍‌ ଦିଆଯାଇଥିଲା। ତାଲିମ୍‌ ପାଇବା ପରେ ଯାଇ ସେମାନଙ୍କୁ ଏହି ଅଟୋ ଚଳାଇବାକୁ ଦିଆଯାଇଥିଲା। ପ୍ରଥମ ୫୦ ଅଟୋ ଚଳାଇବା ପାଇଁ ପ୍ରାୟ ୧୨ ଜଣ କିନ୍ନର ଆଗ୍ରହ କରିଥିଲେ। କିନ୍ତୁ ବର୍ଷଟିଏ ବିତିନାହିଁ ସମସ୍ତ କିନ୍ନର ସାରଥୀ ଏହି ଅଟୋ ସେବା ଛାଡ଼ି ଦେଇଛନ୍ତି।

ଏବେ କେବଳ ମହିଳାମାନେ ହିଁ ଏହି ସେବାରେ ଅଛନ୍ତି। ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍‌ଧ ହେଉଛି। ଏନେଇ ଜଣେ ମହିଳା ସାରଥୀଙ୍କ କହିବା କଥା ଏହି ଅଟୋ ଚଳାଇ ମାସିକ ୧୨ରୁ ୧୪ ହଜାର ଟଙ୍କା ରୋଜଗାର କରିହେଉଛି। ଗଳିକନ୍ଦିରୁ ଲୋକଙ୍କୁ ଆଣି ମୁଖ୍ୟ ରୁଟ୍‌ରେ ମୋ’ ବସ୍‌ଷ୍ଟାଣ୍ଡରେ ଛାଡ଼ିବା ହେଉଛି ଏହି ସେବାର ମୂଳ ଲକ୍ଷ୍ୟ। ତେଣୁ ଏଥିପାଇଁ ଲୋକଙ୍କ ଚାହିଦା ବି ରହିଛି। ଏବେ ବି ମହିଳାମାନେ ତାଲିମ ନେଉଛନ୍ତି ଏବଂ ଏହି ଅଟୋ ଚଳାଇବାକୁ ଆଗ୍ରହ କରୁଛନ୍ତି। ପ୍ରଥମେ ପଟିଆ, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ପାତ୍ରପଡ଼ା, ଭରତପୁର, କଳିଙ୍ଗବିହାର ଓ ପୋଖରୀପୁଟ ଅଞ୍ଚଳରେ ଏହି ଅଟୋ ଚଳାଚଳ କରୁଥିଲା। ଏଥିପାଇଁ ୧୩ଟି ରୁଟ୍‌ ଚିହ୍ନଟ କରାଯାଇଥିଲା। ମାତ୍ର କିନ୍ନର ସାରଥୀମାନେ ଛାଡ଼ିବା ପରେ କିଛି ରୁଟ୍‌ରେ ଏହି ସେବା ମିଳୁନଥିବା ଅଭିଯୋଗ ହେଉଛି। ବିଶେଷକରି ପାତ୍ରପଡ଼ା, କଳିଙ୍ଗବିହାର, ଭରତପୁର, ଡୁମୁଡୁମା ଆଦି ରୁଟ୍‌ରେ ଏହି ସେବା ହ୍ରାସ ପାଇଛି। ତେଣୁ ଏସବୁ ଅଞ୍ଚଳର ବସ୍‌ ଯାତ୍ରୀମାନେ ମୋ’ ବସ୍‌ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି କିମ୍ବା ଘରୋଇ ଅଟୋରେ ଅଧିକ ପଇସା ଖର୍ଚ୍ଚ କରି ମୁଖ୍ୟରାସ୍ତାକୁ ଆସୁଛନ୍ତି। ଇ-ଅଟୋରେ ଯେଉଁଠି ୧୦ ଟଙ୍କା ପଡ଼ୁଛି, ସେଠି ଘରୋଇ ଅଟୋ ୩୦ ଟଙ୍କା ଦାବି କରୁଛନ୍ତି। ସେହିଭଳି ସନ୍ଧ୍ୟା ୬ଟା ପରେ ଏହି ସେବା ମିଳୁନଥିବାରୁ ବହୁ ଲୋକ ଘରୋଇ ଅଟୋ ବା ଟ୍ୟାକ୍ସି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ କ୍ରୁଟ୍‌ର ଜଣେ ଅଧିକାରୀଙ୍କ କହିବା କଥା ବର୍ତ୍ତମାନ ୫୦ଟି ଇ-ରାଇଡ୍‌ ପୂର୍ବ ଭଳି ୧୩ଟି ରୁଟ୍‌ରେ ଚାଲୁଛି। ଆଗକୁ ଏହି ଅଟୋ ସଂଖ୍ୟା ବଢ଼ାଇବାର ଲକ୍ଷ୍ୟ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।