ଅପରାଧ ରାଜ୍ୟ

ରହସ୍ୟମୟ ନନ୍ଦ କିଶୋର ନିଖୋଜ ଘଟଣା: ଶୋଇରହିଛି ଅଜଗର, ପେଟ ଫୁଲା କମୁଛି

କଟକ: ନିଖୋଜ ନନ୍ଦକିଶୋର ବେହେରାଙ୍କ ଗାଡ଼ି, ଚପଲ ଓ ପୋଷାକ ଯେଉଁଠୁ ଉଦ୍ଧାର ହୋଇଛି, ସେହି ସ୍ଥାନର ଖୁବ୍ ନିକଟରେ ଆଜି ବି ଏକ ବିରାଟ ଅଜଗର ଶୋଇରହିଛି। ୧୦ ଦିନ ତଳେ ଅଜଗର ପେଟ ଯେଭଳି ଫୁଲି ରହିଥିଲା ଧୀରେଧୀରେ ତାହା କମି ଚାଲିଛି। ଅର୍ଥାତ୍‌ ଅଜଗର ଯାହାକୁ ଗିଳିଛି, ତାହା ଯେତିକି ହଜମ ହେଉଛି ସେତିକି ପରିମାଣରେ ଅଜଗରର ପେଟ ହ୍ରାସ ପାଉଛି। ଅଜଗର ଗିଳିଥିବା ଖାଦ୍ୟ ସଂପୂର୍ଣ୍ଣ ହଜମ ହୋଇଗଲେ ଅଜଗର ସେଠାରୁ ଚାଲିଯିବ ବୋଲି କୁହାଯାଉଛି। ନନ୍ଦକିଶୋରଙ୍କ ନିଖୋଜ ଘଟଣା ଏବେ ବି ରହସ୍ୟଘେରରେ ରହିଛି। ଏହି ଘଟଣାରେ ନନ୍ଦକିଶୋରଙ୍କ ପରିବାର ଗୋଟିଏ କଥା କହୁଥିବା ବେଳେ ବନବିଭାଗ ଓ ପୁଲିସ ଆଉ ଗୋଟିଏ କଥା କହୁଛି। ପରିବାର ଲୋକଙ୍କ କହିବାନୁଯାୟୀ, ଉଭୟ ପୁଲିସ ଓ ବନ ବିଭାଗ ଅଜଗରର ପେଟ ସ୍କାନ୍ କରୁନାହାନ୍ତି କିମ୍ବା ନିଖୋଜ ନନ୍ଦକିଶୋରଙ୍କ ପତ୍ତା ନେବା ଦିଗରେ ତତ୍ପର ହେଉ ନାହାନ୍ତି। କଟକଣାଯୁକ୍ତ ଅଞ୍ଚଳରେ ଅଜଗର ପେଟର ସ୍କାନ୍‌ ହୋଇପାରିବନି ବୋଲି ବନବିଭାଗ କହୁଛି। ତେବେ, ମଣିଷ ଜୀବନଠାରୁ ଏହି ନିୟମ କ’ଣ ଗୁରୁତ୍ବପୂର୍ଣ୍ଣ କି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ, ଅଜଗର ସେଠାରୁ ଚାଲିଯିବା ପରେ ନନ୍ଦକିଶୋରଙ୍କୁ ସେ ଗିଳିଛି କି ନାହିଁ, କିଭଳି ଜଣାପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ, ପୁଲିସ ଆଉ ବନବିଭାଗ ଅଧିକାରୀ ନନ୍ଦକିଶୋରଙ୍କୁ ଅଜଗର ଗିଳିନଥିବା ଜୋର୍‌ଦେଇ କହୁଛନ୍ତି। ଅଜଗରର ଲମ୍ବ ପାଖାପାଖି ୧୦ ଫୁଟ। ତାର ପେଟ ସର୍ବାଧିକ ୩ ଫୁଟ୍ ମୋଟେଇରେ ଫୁଲି ରହିଥିଲା। ତେଣୁ, ଜଣେ ୫ ଫୁଟିଆ ମଣିଷକୁ ଅଜଗର ଗିଳି ପାରି ନଥିବ ବୋଲି ସେମାନେ ଯୁକ୍ତି ବାଢୁଛନ୍ତି। ପୁଲିସ ଓ ବନ ବିଭାଗ ଏଭଳି ଯୁକ୍ତି କରି ହାତ ବାନ୍ଧି ବସିଥିବା ବେଳେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତରଂଜନ ତ୍ରିପାଠୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅର୍ଥାତ ଶ୍ରୀ ତ୍ରିପାଠୀଙ୍କ ଦାବି ସ୍ଥାନୀୟ ପୁଲିସ ଓ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ଶ୍ରୀ ତ୍ରିପାଠୀଙ୍କ ଦାବି ପରେ ସ୍ଥାନୀୟ ପୁଲିସ ଅବଶ୍ୟ ସତର୍କ ହୋଇ ଆସନ୍ତାକାଲି ନିଖୋଜ ନନ୍ଦ କିଶୋରଙ୍କୁ ‌ବନ ବିଭାଗ ସହାୟତାରେ ଖୋଜିବା ଅଭିଯାନ ଆରମ୍ଭ କରିବ ବୋଲି ନନ୍ଦକିଶୋରଙ୍କ ପରିବାର ଲୋକଙ୍କୁ ଆଜି ପ୍ରତିଶ୍ରୁତି ଦେଇଛି। ଆସନ୍ତାକାଲି ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କ ସହ ନନ୍ଦକିଶୋରଙ୍କ ପରିବାର ଲୋକ ବି ଖୋଜିବା ଅଭିଯାନରେ ସାମିଲ ହେବାକୁ ଯାଉଛନ୍ତି।
ତେବେ, ଦଶ ଦିନ ହେଲା ନନ୍ଦ କିଶୋରଙ୍କ ପତ୍ତା ନ ମିଳିବା ଏବଂ ପୁଲିସ ଓ ବନ ବିଭାଗ ନିଷ୍କ୍ରିୟ ରହିବା ପରେ ତାଙ୍କ ପରିବାର ଲୋକ ଗୁଣିଆର ସହାୟତା ଲୋଡିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ନନ୍ଦ କିଶୋର ଧଳା ପୋଷାକ ପିନ୍ଧି ମୁହଁମାଡି ପଡ଼ିଛନ୍ତି, ଖୋଜାଖୋଜି କଲେ ପାଇବ ବୋଲି ଗୁଣିଆ କହିଛି। ଗୁଣିଆ କଥାକୁ ବି ବିଶ୍ବାସକୁ ନେଇ ନନ୍ଦକିଶୋରଙ୍କ ପରିବାର ଲୋକ ଆଜି ପୁଣି ବାଙ୍କୀ ଥାନା ଅଧିକାରୀଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଡମପଡା-ଚନ୍ଦକା ଅଭୟାରଣ୍ୟ ଅଂଚଳରେ ଖୋଜାଖୋଜି କଲେ ନନ୍ଦକିଶୋର ମିଳିବେ ବୋଲି ତାଙ୍କ ପରିବାର ଲୋକ କହୁଛନ୍ତି।

ଉଲ୍ଲେଖଯୋଗ୍ୟ, କଟକ ଜିଲ୍ଲା ମୁଣ୍ଡଳୀ ପଞ୍ଚାୟତ ସ୍ଥିତ ଥୋରିଆପାଟଣା ସାହିର ବାସିନ୍ଦା ୭୭ ବର୍ଷୀୟ ନନ୍ଦକିଶୋର ଅଗଷ୍ଟ ୨୮ ତାରିଖରେ ଫେରି ବ୍ୟବସାୟ ପାଇଁ ଘରୁ ବାହାରି ଆଉ ଫେରି ନାହାନ୍ତି। ଅଭୟାରଣ୍ୟ ଅଂଚଳକୁ ଯାଇ ନିଖୋଜ ହୋଇଥିବାରୁ ସେଠାକୁ ଯିବା ବେଆଇନ୍ ବୋଲି ବନ ବିଭାଗ କହିଛି। କିନ୍ତୁ, ନନ୍ଦକିଶୋର ନିଖୋଜ ଘଟଣା କଣ ରହସ୍ୟମୟ ହୋଇ ରହି ଯିବ କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।