ରାଜ୍ୟ

ରମେଶ ସାଏଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ଖଣ୍ଡା!

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଭାରେ ବସିଲେ। ଅଥଚ ରାଜ୍ୟ ସରକାରଙ୍କ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ବି କଲେନି। ଏହାକୁ ନେଇ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଉପରେ ଖପ୍ପା ହୋଇଛି ବିଜେଡି। ଶାସକ ଦଳର ବିଧାୟକ ହୋଇ ବି ମନ୍ତ୍ରୀମାନଙ୍କୁ ଅପମାନିତ କରିବା ଘଟଣାକୁ ଦଳ ସହଜରେ ଗ୍ରହଣ କରିନି। କୌଣସି ସମୟରେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ରାଜନୈତିକ ମହଲର ଖବର ଅନୁସାରେ, ବିଜେଡିରେ ସ୍ଥିତି ଦୋହଲିବା ସୂଚନା ପାଇ ବିକଳ୍ପ ଖୋଜିବା ଆରମ୍ଭ କରି ଦେଇଛନ୍ତି ବିଧାୟକ ରମେଶ ସାଏ। କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକ ଡାକି ସାଙ୍ଗରେ ବସାଇବା ଓ ରମେଶ ସାଏଙ୍କୁ ଧର୍ମେନ୍ଦ୍ର ପ୍ରଶଂସା କରିବା ପରେ ଏହି ଚର୍ଚ୍ଚା ଅଧିକ ବଳ ପାଇଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ବିଜେଡିର ଦୁଇ ନେତା ନଳିନୀ ପ୍ରଧାନ ଓ ରମେଶ ସାଏଙ୍କ ଭିତରେ ମନମାଳିନ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ବଢ଼ି ଏବେ କେହି କାହା ମୁହଁ ଚାହୁଁ ନାହାନ୍ତି। ସ୍ଥିତି ଏମିତି ଯେ, ଦୁହେଁ ଅଲଗା ଅଲଗା ଗୋଷ୍ଠୀ ନେଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ତେବେ ଦଳରେ ନଳିନୀଙ୍କୁ ଅଧିକ ଗୁରୁତ୍ବ ମିଳୁଥିବାରୁ ତାଙ୍କ ସହ ନିର୍ବାଚନମଣ୍ଡଳୀର ସମସ୍ତ ଜନ ପ୍ରତିନିଧି ରହିଛନ୍ତି। ଦଳ ବି ସବୁ ଦାୟିତ୍ବ ତାଙ୍କୁ ଦେଉଛି। ଅଳ୍ପ କିଛି ଲୋକଙ୍କୁ ନେଇ ରମେଶ କାର୍ଯ୍ୟକ୍ରମ ଚଳାଇଛନ୍ତି। ଗତ ଆଠମଲ୍ଲିକ ମହୋତ୍ସବ ସମୟରେ ତାଙ୍କର ଦେଖା ମିଳି ନଥିଲା। ନଳିନୀ ପ୍ରତିଦିନ ମଞ୍ଚରେ ରହୁଥିଲେ, ଅଥଚ ବିଧାୟକ ହୋଇ ବି ରମେଶ ଅନୁପସ୍ଥିତ ରହିବା ପରେ କର୍ମୀଙ୍କ ଭିତରେ ତାଙ୍କର ଦଳରେ ଗ୍ରହଣୀୟତା ନେଇ ସନ୍ଦେହ ବଢ଼ିଥିଲା।

କଥା ଏତିକିରେ ସୀମିତ ନାହିଁ। ଶ୍ରୀ ସାଏ ପ୍ରତିନିଧିତ୍ବ କରୁଥିବା ଗୋଁଣ୍ଡ ସମାଜର ଦେବତାଙ୍କ ପୀଠ ପ୍ରତିଷ୍ଠା ଉତ୍ସବ ହୋଇଥିଲା। ରମେଶ ପରୋକ୍ଷରେ ଏହାର ନେତୃତ୍ବ ନେଇ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତିଥି କରି ଡାକିଲେ। ରବିବାର ତାଙ୍କ ସହ ମଞ୍ଚରେ ବସି ଭାଷଣ ବି ଦେଲେ। କିନ୍ତୁ ସୋମବାର ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଜଗନ୍ନାଥ ସାରକା ଆସିଥିଲେ ମଧ୍ୟ ତାଙ୍କ ପାଖକୁ ଆସିଲେନି। ଏପଟେ ତାଙ୍କ ସଂପର୍କୀୟ ନଳିନୀ ପ୍ରଧାନଙ୍କ ବିରୋଧରେ ନାରାବାଜି କଲେ। ଏଥିପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ମନ୍ତ୍ରୀ ଓ ଜିଲ୍ଲାର ଅନ୍ୟ ବିଧାୟକମାନେ ଦେବତାଙ୍କୁ ଦର୍ଶନ କରି ଫେରି ଆସିଥିଲେ।

ବିଜେପି ନେତାଙ୍କୁ ସମ୍ମାନ ମିଳିବା ଓ ବିଜେଡି ନେତାଙ୍କୁ ଅପମାନିତ କରାଯିବା ଘଟଣାକୁ ଗୁରୁତର ସହ ନେଇଛି ବିଜେଡି। ଦଳର ବହୁ ଛାମୁଆ ନେତା ଏଥିନେଇ ରାଜ୍ୟସ୍ତରୀୟ ନେତାଙ୍କ ପାଖରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଦଳର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଉପସ୍ଥିତ ଥିବାରୁ ରମେଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚର୍ଚ୍ଚା ବଢ଼ିଛି। ଏସବୁକୁ ନେଇ ଆଠମଲ୍ଲିକ ରାଜନୀତି ଉଷ୍ମ ହୋଇଛି। ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୨ ଜଣ ମନ୍ତ୍ରୀ ଓ ୪ ଜଣ ବିଧାୟକ ଗତକାଲି ପୀଠକୁ ଯାଇଥିଲେ। କିନ୍ତୁ ବିଧାୟକ ରମେଶ ସାଏ ସେଠାରେ ଉପସ୍ଥିତ ଥାଇ ବି ମନ୍ତ୍ରୀଙ୍କୁ ସାକ୍ଷାତ କଲେନି। ଏହାକୁ ଦଳ ନାସପନ୍ଦ କରିଛି। ଏଥିନେଇ ରାଜ୍ୟ ନେତୃତ୍ବଙ୍କୁ ଅବଗତ କରାଯାଇଛି। ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏପଟେ ରମେଶ ସାଏଙ୍କ ପ୍ରତିକ୍ରିୟା ପାଇଁ ତାଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ନ ଧରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।