ରାଜ୍ୟ

ରଣନୀତି ପ୍ରସ୍ତୁତ କରୁଛି ଏଆଇସିସି: ଓଡ଼ିଶାରେ କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ କରିଛି ଏଆଇସିସି। ଓଡ଼ିଶାରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କୁ ସହାୟତା କରିବା ଲାଗି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟିମ୍ ଓଡ଼ିଶାରେ ବୁଲୁଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ୩୦-୪୦ ଜଣିଆ ଟିମ୍ କଂଗ୍ରେସର ଭୋଟ୍‌ ହାର କିଭଳି ବଢ଼ିବ ଓ କେଉଁଠାରେ କଂଗ୍ରେସ ଦୁର୍ବଳ ଅଛି ତାହାକୁ ଚିହ୍ନଟ କରୁଛନ୍ତି। ପରବର୍ତ୍ତୀ ସମୟରେ ପ୍ରାର୍ଥୀ ସେସବୁ ଅଞ୍ଚଳକୁ ଯାଇ କଂଗ୍ରେସ ପାଇଁ କ୍ୟାମ୍ପେନ୍ କରିବେ। ଗତ ୨-୩ ମାସ ହେବ ଏମାନେ ଓଡ଼ିଶାରେ ବୁଲୁଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ପୂର୍ବ ନିର୍ବାଚନରେ ପ୍ରାର୍ଥୀ ଦଳର ମୁହଁ ହେଉଥିଲେ। ମାତ୍ର ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ଏଆଇସିସି ରଣନୀତି ପ୍ରସ୍ତୁତ କରିବ। ଏଥିପାଇଁ ପ୍ରତି ନିର୍ବାଚନ ମଣ୍ଡଳୀୱାରି ମ୍ୟାପିଂ ଚାଲିଛି। ଏଥିରେ କଂଗ୍ରେସ ପ୍ରତି ଅନୁରାଗ ଥିବା ବ୍ୟକ୍ତିବିଶେଷ ଓ ଅଞ୍ଚଳକୁ ଚିହ୍ନଟ କରାଯାଉଛି।
‘ପ୍ରଗମନ’ ଜରିଆରେ ଯେଉଁମାନେ ଆବେଦନ କରିଥିଲେ ସେହି ଆଶାୟୀଙ୍କ ସଂପର୍କରେ ପୂର୍ବରୁ ଏହି ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେଇଥିଲା। ଦିଲ୍ଲୀରୁ ପ୍ରାୟ ୫ହଜାର ସଦସ୍ୟ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରହିଥିବା ଜଣେ ଆଶାୟୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ନିକଟରେ ପୁରୀଠାରେ କଂଗ୍ରେସ ଆଶାୟୀମାନଙ୍କୁ ନେଇ ଦୁଇଦିନିଆ ବୈଠକ ହୋଇଥିଲା। ଏଥିରେ ଆଶାୟୀମାନଙ୍କଠାରୁ ୫୦ହଜାର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆସିଥିଲା। ତେବେ ଆଶାୟୀମାନେ ୫୦ହଜାର ଟଙ୍କାର ଚେକ୍ ଦେବା ପଛର କାରଣ ଏବେ ସାମ୍ନାକୁ ଆସିଛି। ଏଆଇସିସି ପକ୍ଷରୁ ୧୪୭ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏ ଡିଜିଟାଲ ପ୍ରଚାର ଗାଡ଼ି ବୁଲାଇବାକୁ ନିଷ୍ପତ୍ତି ହୋଇଛି। ଏହି ଗାଡ଼ିରେ ୟୁପିଏ ସରକାର ସମୟରେ କ’ଣ ହୋଇଥିଲା ତାହା ଦର୍ଶାଯିବ। ଏହାସହ ରାଜ୍ୟର ନବୀନ ସରକାର ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ସଂପର୍କରେ ଲୋକମାନଙ୍କୁ ସୂଚନା ଦିଆଯିବ।

ରାଜ୍ୟ ବାହାରେ ଏହି ଗାଡ଼ି ପ୍ରସ୍ତୁତ କରାଯାଉଛି। ତେବେ ଏହି ଗାଡ଼ିର ପ୍ରସ୍ତୁତି ଖର୍ଚ୍ଚ ପ୍ରାୟ ୪-୫ଲକ୍ଷ ଟଙ୍କା ରହିଥିବା କୁହାଯାଉଛି। ଆଶାୟୀମାନେ ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଉପକୂଳର ଜଣେ ଟିକେଟ୍‌ ଆଶାୟୀ କହିଛନ୍ତି, ଡିଜିଟାଲ ପ୍ରଚାର ଗାଡ଼ି ପାଇଁ ଆଶାୟୀମାନଙ୍କୁ ୨୦-୨୫% ଅର୍ଥ ସହାୟତା କରିବା ଲାଗି ଦଳ ପକ୍ଷରୁ କୁହାଯାଇଥିଲା। ଆଶାୟୀମାନେ ଅଳ୍ପ କିଛି ଅର୍ଥ ଦେବାକୁ ରାଜି ହୋଇଥିଲେ। ଏହିଭିତ୍ତିରେ ୫୦ହଜାର ଟଙ୍କା ଦିଆଯାଇଛି। ଯେଉଁମାନେ ଟିକେଟ୍‌ ନ ପାଇବେ ସେମାନଙ୍କୁ ଏହି ଅର୍ଥ ଫେରସ୍ତ ଦିଆଯିବ ବୋଲି ଦଳ ଘୋଷଣା କରିସାରିଛି। ରାଜ୍ୟରେ ବିଜେପି-ବିଜେଡିର ମୁକାବିଲା କରିବା ପାଇଁ କଂଗ୍ରେସ ସବୁପ୍ରକାର ପ୍ରସ୍ତୁତି ଚଳାଇଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କଂଗ୍ରେସ ବର୍ତ୍ତମାନସୁଦ୍ଧା ୪୭ଟି ବିଧାନସଭା ଓ ୮ଟି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ବଳକା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।