ରାଶିଫଳ

ରକ୍ଷାବନ୍ଧନର ନେପଥ୍ୟ କଥା

ଶ୍ରାବଣପୂର୍ଣ୍ଣିମାର ଗୋଟିଏ ନାମ ହେଉଛି ‘ରାଖି ପୂର୍ଣ୍ଣିମା’। ଏବେ ପ୍ରଚଳିତ ପରମ୍ପରା ଅନୁସାରେ, ଏହିଦିନ ଭଉଣୀ, ଭାଇ ହାତରେ ରାଖି ବାନ୍ଧି ଅତୁଟ ସ୍ନେହ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ରକ୍ଷାବନ୍ଧନର ଐତିହ୍ୟ ଓ ଇତିହାସରୁ ଜଣାଯାଏ ଯେ ଏହି ପରମ୍ପରା ବେଶୀଦିନର ନୁହେଁ।

ଇନ୍ଦ୍ର ହେଉଛନ୍ତି ଦେବରାଜ। ତେଣୁ ଦେବତା ଓ ଅସୁରଙ୍କ ଯୁଦ୍ଧରେ ସେ ଦେବତାଙ୍କର ନେତୃତ୍ବ ନିଅନ୍ତି। ଥରେ, ‌ଯୁଦ୍ଧରେ ସେ ଅସୁରଙ୍କଠାରୁ ହାରିଲେ ଏବଂ ଦେବଗୁରୁ ବୃହସ୍ପତିଙ୍କ ନିକଟକୁ ଯାଇ ତାଙ୍କର ଦୁଃଖ ଜଣାଇଲେ। ସେ ଦିନଟି ଥିଲା ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ। ତେଣୁ ଗୁୁରୁ ବୃହସ୍ପତି, ପରଦିନ ପ୍ରତ୍ୟୁଷରେ ବିଧି ସହକାରେ ମନ୍ତ୍ରପାଠ କରି ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ଇନ୍ଦ୍ରାଣୀ ମଧ୍ୟ ସେହିଦିନ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ। ତାହା ପରେ, ଅସୁରଙ୍କ ସହିତ ଯୁଦ୍ଧରେ ଇନ୍ଦ୍ର ବିଜୟୀ ହେଲେ।

ଏହା ସୂଚାଏ, ଗୁରୁ ବା ବ୍ରାହ୍ମଣ ଏବଂ ସ୍ତ୍ରୀ ଏହି ରକ୍ଷାସୂତ୍ର ବାନ୍ଧିବା ଥିଲା ପୁରାଣସମର୍ଥିତ ଓ ବିଧିସମ୍ମତ। କିନ୍ତୁ ପରବର୍ତ୍ତୀ କାଳରେ, ଅର୍ଥାତ୍‌ ମଧ୍ୟଯୁଗର ମୁସଲମାନ ଆକ୍ରମଣ ସମୟରେ ରାଜପୁତ ରମଣୀମାନେ ପୁରୁଷଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବାର ଧାରା ଆରମ୍ଭ ହେଲା। ସମୟକ୍ରମେ ଏହା ଭଉଣୀ ଭାଇ ହାତରେ ରାଖି ବାନ୍ଧିବାର ପରମ୍ପରାରେ ପରିଣତ ହୋଇଛି।

ରକ୍ଷାସୂତ୍ର ବନ୍ଧନପାଇଁ ଯେଉଁ ମନ୍ତ୍ରଟି ପ୍ରଚଳିତ ଅଛି, ସେଥିରେ କୁହାଯାଇଛି- ‘‘ଯେନ ବଦ୍ଧୋ ବଳୀରାଜା ଦାନବେନ୍ଦ୍ରୋ ମହାସୁରଃ। /ତେନ ତ୍ବାମପି ବଧ୍ନାମି ରକ୍ଷ ମାଚର ମାଚଳ।।’’ ପଣ୍ଡିତ ସଦାଶିବ ରଥଶର୍ମା ଗୋଟିଏ ଲେଖାରେ ଏ ସଂପର୍କରେ କହିଛନ୍ତି- ‘‘ପୂର୍ବେ ମନର ସବଳତା ସୂତା ଖଣ୍ଡକରେ ମିଳୁଥିଲା। ଈଶ୍ବର-ସମର୍ପଣ-ଭାବରେ ସନ୍ତୋଷ ଦ୍ବାରା ସୁସ୍ଥତା ଆସୁଥିଲା। … ଭଗବାନ ବିଷ୍ଣୁ ବଳି ପରି ପରାକ୍ରମୀ, ଦାନବୀର ଦାନବକୁ ବଦ୍ଧ କରିଥିଲେ; ଅର୍ଥାତ୍‌ ମାରିବାକୁ ଯାଇ, ମୃତ୍ୟୁ ମୁଖରେ ତାକୁ ପାତାଳପୁରୀରେ ରକ୍ଷା କରିଥିଲେ।… ଅର୍ଥାତ୍‌ ମଙ୍ଗଳମୟ ଭଗବାନଙ୍କର ମାରିବା ଅର୍ଥ, ରକ୍ଷା ମଧ୍ୟ କରିବା। ଏଥିନିମନ୍ତେ ବ୍ରାହ୍ମଣଙ୍କ ଦ୍ବାରା କ୍ଷତ୍ରିୟ ଆଦି ବର୍ଣ୍ଣମାନେ ରକ୍ଷାସୂତ୍ର ବନ୍ଧାଇ ଥାଆନ୍ତି।’’

ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରରେ ମଧ୍ୟ ଏହିଦିନ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପାଟରା ବିଶୋଇ ସେବକଙ୍କ ଦ୍ବାରା ପ୍ରସ୍ତୁତ ରକ୍ଷାସୂତ୍ର ବା ପାଟରାଖି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଭୁଜରେ ବନ୍ଧାହୁଏ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ