ଦେଶ ବିଦେଶ

ଯୁଦ୍ଧ ଲଢ଼ୁଛନ୍ତି ଭାରତୀୟ ପର୍ଯ୍ୟଟକ: ରୁଷ୍‌ ପାଇଁ ଲଢ଼ୁଥିବା ହାଇଦ୍ରାବାଦର ଯୁବକ ନିହତ

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣାରୁ ୭ଜଣ ଯୁବକ ବୁଲିବା ପାଇଁ ରୁଷ୍‌ ଯାଇଥିଲେ। ସେଠାରେ ସେମାନଙ୍କୁ ଯୁକ୍ରେନ୍‌ ବିରୋଧରେ ବଳପୂର୍ବକ ଯୁଦ୍ଧରେ ନିୟୋଜିତ କରାଯାଇଛି। ଏନେଇ ଯୁବକମାନେ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଭିଡିଓରେ ଯୁବକମାନେ କହିଛନ୍ତି, ଡିସେମ୍ବର ୨୭ ତାରିଖରେ ସେମାନେ ନୂଆବର୍ଷ ପାଳନ କରିବାକୁ ରୁଷ୍‌ ଯାଇଥିଲେ। ସେମାନଙ୍କୁ ୯୦ ଦିନ ପାଇଁ ପର୍ଯ୍ୟଟକ ଭିସା ମିଳିଥିଲା। ରୁଷ୍‌ରେ କିଛି ଦିନ ବୁଲାବୁଲି କରିବା ପରେ ଜଣେ ଏଜେଣ୍ଟ ସେମାନଙ୍କୁ ଭେଟିଥିଲେ ଏବଂ ବହୁତ କମ୍‌ ଖର୍ଚ୍ଚରେ ପଡ଼ୋଶୀ ବେଲାରୁଷକୁ ବୁଲାଇ ନେବାକୁ ପ୍ରଲୋଭିତ କରିଥିଲେ। ଏହାପରେ ସେମାନଙ୍କୁ ଏକ ବସ୍‌ରେ ବେଲାରୁଷ ନିଆଯାଇଥିଲା। ବେଲାରୁଷକୁ ଯିବା ପାଇଁ ଭିସା ଆବଶ୍ୟକ ବୋଲି ସେମାନେ ଜାଣିନଥିଲେ। ଏଣୁ ସେଠାକାର ପୁଲିସ ତୁରନ୍ତ ଭାରତୀୟ ପର୍ଯ୍ୟଟକମାନଙ୍କୁ ଗିରଫ କରିଥିଲା ଓ ପରେ ତାଙ୍କୁ ରୁଷ୍‌ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା। ରୁଷ୍‌ କର୍ତ୍ତୃପକ୍ଷ ସେମାନଙ୍କ ପାସ୍‌ପୋର୍ଟ ଆଦି ଜବତ କରିବା ସହ କେତେକ ଦସ୍ତାବିଜରେ ସ୍ବାକ୍ଷର କରିବାକୁ କହିଥିଲେ ଓ ଯୁଦ୍ଧରେ ସାମିଲ ହେବାକୁ ପଠାଇଥିଲେ।

ରୁଷ ସେନା ଭାରତୀୟ ପର୍ଯ୍ୟଟକଙ୍କ ପାସ୍‌ପୋର୍ଟ ନେଇଯିବା ସହ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିବାକୁ ଧମକ ଦେଇଥିଲେ। ଅସ୍ତ୍ରଚଳାଇବା ପ୍ରଶିକ୍ଷଣ ଦେବା ପରେ ସେମାନଙ୍କୁ ୟୁକ୍ରେନ୍‌ର ଡୋନେସ୍କରେ ନିୟୋଜିତ କରାଯାଇଛି। ଭିଡିଓରେ ଥିବା ଜଣେ ଯୁବକ, ଗରୁପ୍ରୀତ ସିଂହଙ୍କ ଭାଇ ଅମ୍ରିତ ସିଂହ ମଧ୍ୟ ତାଙ୍କ ଭାଇଙ୍କୁ ମୁକୁଳାଇ ଆଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଗତ ସପ୍ତାହରେ ଜମ୍ମୁ ଓ କଶ୍ମୀରର ଆଜାଦ ୟୁସୁଫ୍‌ କୁମାର (୩୧) ମଧ୍ୟ ଅନୁରୂପ ଭାବେ ଏଜେଣ୍ଟଙ୍କ ଦ୍ବାରା ଠକାମୀର ଶିକାର ହୋଇ ଯୁଦ୍ଧରେ ଯୋଗ ଦେଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ମୁକୁଳାଇ ଆଣିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହାପରେ କର୍ଣ୍ଣାଟକ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ପ୍ରାୟ ୧୦ ଜଣ ବ୍ୟକ୍ତି ଏଭଳି ଏଜେଣ୍ଟଙ୍କ ଦ୍ବାରା ଠକେଇର ଶିକାର ହୋଇ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା।

ମସ୍କୋ: ଠକେଇର ଶିକାର ହୋଇ ରୁଷ୍‌ ସେନାରେ ଯୋଗ ଦେଇଥିବା ହାଇଦ୍ରାବାଦର ଜଣେ ୩୦ ବର୍ଷୀୟ ଭାରତୀୟ ନାଗରିକ ମହମ୍ମଦ ଅସଫାନ୍ ୟୁକ୍ରେନ୍ ବିରୋଧରେ ଲଢ଼ି ପ୍ରାଣ ହରାଇଛନ୍ତି। ଏହି ରିପୋର୍ଟ ପରେ ରୁଷିଆ ସ୍ଥିତ ଭାରତୀୟ ଦୂତାବାସ ଟ୍ବିଟ୍‌ କରି କହିଛି- ‘ଭାରତୀୟ ନାଗରିକ ମହମ୍ମଦ ଅସଫାନଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଆମେ ଜାଣିବାକୁ ପାଇଛୁ। ଆମେ ପୀଡ଼ିତ ପରିବାର ଏବଂ ରୁଷ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ତାଙ୍କ ପାର୍ଥିବ ଶରୀରକୁ ଭାରତ ପଠାଇବା ପାଇଁ ଦୂତାବାସ ପ୍ରୟାସ କରିବ।’ ଏହା ପୂର୍ବରୁ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ମଧ୍ୟ ରୁଷୀୟ ସେନାରେ ଯୋଗ ଦେବାକୁ ବାଧ୍ୟ ହୋଇଥିବା ଭାରତୀୟ ଯୁବକମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଦୂତାବାସ ସହ ଯୋଗାଯୋଗ କରିବା ସମୟରେ ଅଫସାନଙ୍କ ଭାଇ ଇମ୍ରାନ ସାଂସଦ ଅୱେସିଙ୍କ ସହ ଥିଲେ। ଏକ ରିପୋର୍ଟ ଅନୁଯାୟୀ ମହମ୍ମଦ ଅସଫାନଙ୍କ ପରିବାର ଏଆଇଏମଆଇଏମ ମୁଖ୍ୟ ଅୱେସିଙ୍କ ସହ ଯୋଗାଯୋଗ କରି ତାଙ୍କୁ ରୁଷିଆରୁ ଫେରାଇ ଆଣିବା ପାଇଁ ସହାୟତା ମାଗିଥିଲେ। ଆଜି ଅସଫାନଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ନିଶ୍ଚିତ କରିବା ପରେ ଅନ୍ୟ ଯୁବକମାନଙ୍କୁ ଫେରାଇ ଆଣିବା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ କରାଯିବାକୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ