ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା ଫଳ: ସିଲାବସ୍‌ ହ୍ରାସ ପାଇଁ ବଢ଼ୁଥିଲା ପାସ୍‌ହାର

ଭୁବନେଶ୍ବର : କୋଭିଡ୍ ପରବର୍ତ୍ତୀ ସମୟରେ ପ୍ରଥମ ଥର ଲାଗି ସମ୍ପୂର୍ଣ୍ଣ ସିଲାବସ୍‌ ଆଧାରରେ ଚଳିତବର୍ଷ ଯୁକ୍ତ୨ ପରୀକ୍ଷା କରାଯାଇଥିଲା। ବିନା ମାଟ୍ରିକ୍‌ ପରୀକ୍ଷାରେ କଲେଜ ମାଟି ମାଡ଼ିଥିବା ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷାରେ ଭାଗ ନେଇଥିଲେ। ଆଶା ଆଶଙ୍କାରେ ପ୍ରଥମ ଥର ପରୀକ୍ଷା ଦେଇଥିବା ଏହି ଛାତ୍ରଛାତ୍ରୀ ଉନ୍ନତ ରେଜଲ୍ଟ କରିଛନ୍ତି। ପାସ୍‌ହାର ଗତବର୍ଷ ତୁଳନାରେ ହ୍ରାସ ପାଇଛି ସତ। ମାତ୍ର କୋଭିଡ୍‌ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକଠାରୁ ଏଥରକ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପାସ୍‌ହାର ଅଧିକ ରହିଛି। ଉଭୟ ବିଭାଗର ୪୬୦ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଛନ୍ତି। ଶତାଧିକ କଲେଜର ପାସ୍‌ହାର ଶତ ପ୍ରତିଶତ ହୋଇଛି।

ଗୋଟିଏ ସମୟରେ ବାହାରିବ ସମସ୍ତ ବିଭାଗ ଫଳ
ମୂଲ୍ୟାୟନ ଢାଞ୍ଚା ପରିବର୍ତ୍ତନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି
ପ୍ରଥମ ଥର ବୋର୍ଡ ପରୀକ୍ଷା ଦେଇଥିଲେ ପିଲା

ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ କହିଛନ୍ତି ଯେ କରୋନା ସମୟରେ ସିଲାବସ୍‌ ହ୍ରାସ ସାଙ୍ଗକୁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ପାସ୍‌ହାର ବୃଦ୍ଧି ପାଇଥିଲା। ଏଥର ଯେଉଁମାନେ ପରୀକ୍ଷା ଦେଇଥିଲେ ସେମାନେ ଆଗରୁ କୌଣସି ବୋର୍ଡ ପରୀକ୍ଷା ଦେଇ ନ ଥିଲେ। କୋଭିଡ୍‌ ସମୟରେ ବିକଳ୍ପ ମୂଲ୍ୟାୟନ ମାଧ୍ୟମରେ ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ‌କରାଯାଇଥିଲା। ତା’ସ‌ତ୍ତ୍ବେ ବି ସେମାନେ ଭଲ ଫଳ କରିଛନ୍ତି। ଆଗାମୀ ଦିନରେ ପାଠପଢ଼ା ଢାଞ୍ଚା ଓ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି।

ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି ଯେ ଗୋଟିଏ ସମୟରେ ୪ଟି ଯାକ ବିଭାଗର ପରୀକ୍ଷା ଫଳ ପ୍ରକାଶ ଦିଗରେ ଆମେ ପଦକ୍ଷେପ ନେଉଛୁ। ପରୀକ୍ଷା ଫଳ ପ୍ରକାଶରେ କୌଣସି ବିଳମ୍ବ ହୋଇ ନାହିଁ। ଗତବର୍ଷ ତୁଳନାରେ ଏଥର ଆଗୁଆ ଫଳ ବାହାରିଛି। ସମ୍ବଲପୁରରେ ଶୀତଳଷଷ୍ଠୀ ପାଳନ ସମୟରେ ଉପୁଜିଥିବା ସମସ୍ୟା ଲାଗି ଖାତା ମୂଲ୍ୟାୟନ ୧୦ଦିନ ପ୍ରଭାବିତ ହୋଇଥିଲା। ତା’ସତ୍ତ୍ବେ ବି ସମସ୍ତଙ୍କ ସହଯୋଗରେ ଧାର୍ଯ୍ୟ ସମୟ ସୁଦ୍ଧା ଫଳ ପ୍ରକାଶ କରାଯାଇଛି। ଆସନ୍ତା ୮ ଦିନ ଭିତରେ କଳା ଓ ଧନ୍ଦାମୂଳକ ଫଳ ବାହାରିବ। ଆସନ୍ତାବର୍ଷଠାରୁ ଗୋଟିଏ ଦିନରେ ସମସ୍ତ ବିଭାଗ ପରୀକ୍ଷା ଫଳ ପ୍ରକାଶ କରିବା ଦିଗରେ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏନେଇ ଖୁବ୍‌ଶୀଘ୍ର ଏକାଡେମିକ୍‌ କାଉନସିଲ୍ ବୈଠକରେ ରୂପରେଖ ଚୂଡ଼ାନ୍ତ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର କହିଛନ୍ତି ଯେ ଗତବର୍ଷ ପରି ଏଥର ମଧ୍ୟ ଦୁଇଟି ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷାର୍ଥୀଙ୍କୁ ମାର୍କ ପ୍ରଦାନ କରାଯାଇଛି। ପ୍ରଥମ ପଦ୍ଧତି ଅନୁଯାୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କରୁ ୨୦% ୱେଟେଜ୍‌(ହାରାହାରି ମାର୍କ) ଓ ବୋର୍ଡ ପରୀକ୍ଷାର ୮୦% ୱେଟେଜ୍‌କୁ ନିଆଯାଇ ପିଲାଙ୍କ ପ୍ର‌ତ୍ୟେକ ବିଷୟର ମାର୍କ ନିଦ୍ଧାରଣ ହୋଇଛି। ଏଥିପାଇଁ ପରୀକ୍ଷାର୍ଥୀଙ୍କ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଥିଲା। ଏହି ପଦ୍ଧତିରେ ଉଭୟ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷାର ୱେଟେଜ୍‌ ଭିତ୍ତିରେ ପରୀକ୍ଷାର୍ଥୀଙ୍କ ଫଳ ଚୂଡ଼ାନ୍ତ ହୋଇଥିଲା। ଦ୍ବିତୀୟ ପଦ୍ଧତି ଅନୁଯାୟୀ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ରଖିଥିବା ନମ୍ବରକୁ ୧୦୦% ୱେଟେଜ୍ ଭାବେ ଗ୍ରହଣ ହୋଇଥିଲା। ଉକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ପରୀକ୍ଷାର୍ଥୀଙ୍କର ଅଧିକ ମାର୍କ ରହିଥିଲା, ତାହାକୁ ସଂପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯାଇ ଫଳ ପ୍ରକାଶ କରାଯାଇଛି। ଇଣ୍ଟରନାଲ ପରୀକ୍ଷା ଦେଇପାରି ନଥିବା ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ବୋର୍ଡ ପରୀକ୍ଷାର ମାର୍କକୁ ଚୂଡ଼ାନ୍ତ ମାର୍କ ଭାବେ ଗ୍ରହଣ କରାଯାଇଛି।

୧୦ରୁ ଡିଜିଲକ୍‌ରରେ ସାର୍ଟିଫିକେଟ୍‌
ଏଣିକି ସାର୍ଟିଫିକେଟ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଫଳ ପ୍ରକାଶ ପରେ ଡିଜିଲକର୍‌ରେ ସେମାନଙ୍କ ସାର୍ଟିଫିକେଟ୍‌, ମାର୍କସିଟ୍‌ ଓ ମାଇଗ୍ରେସନ ସାର୍ଟିଫିକେଟ୍‌ ଉପଲବ୍ଧ ହେବ। ଗୁରୁବାରଠାରୁ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଅପ୍‌ଲୋଡ୍‌ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍‌ ୧୦ ପରେ ଛାତ୍ରଛାତ୍ରୀ ସେମାନଙ୍କ ସାର୍ଟିଫିକେଟ୍‌ ପାଇପାରିବେ। ଫଳରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହାବାଦ୍‌ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ପରିଷଦ ପକ୍ଷରୁ ସାର୍ଟିଫିକେଟ୍‌ ଯୋଗାଇ ଦିଆଯିବ ବୋଲି ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଜୁନ୍‌ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ଫଳ
ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଜୁନ୍‌ ୮ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଧାର୍ଯ୍ୟ ସମୟ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ଖାତା ଅନ୍‌ଲାଇନ୍‌ରେ ମୂଲ୍ୟାୟନ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ନଜରରେ ରଖି ଏହି ଦୁଇ ବିଭାଗର ପରୀକ୍ଷା ଫଳ ଆଗୁଆ ପ୍ରକାଶ କରାଯାଇଛି। କଳା ଓ ବାଣିଜ୍ୟ ବିଭାଗର ମୂଲ୍ୟାୟନ ଶେଷ ହୋଇଛି। ଟାବୁଲେସନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୮ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ। ସମସ୍ତ ୪ଟି ବିଭାଗ ପରୀକ୍ଷା ଫଳ ପ୍ରକାଶ ପରେ ଇ-ଆଡିସନ୍‌ ମାର୍କ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଇନ୍‌ଷ୍ଟାଣ୍ଟ ପରୀକ୍ଷା ତା‌ରିଖ ମଧ୍ୟ ଘୋଷଣା ହେବ।

୪୦ ମିନିଟ୍‌ରେ ୨୦୦ କଲ୍‌
ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ସାଢ଼େ ୧୨ଟାରୁ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ଫଳ ଉପଲବ୍ଧ ହେବା ନେଇ ସୂଚନା ଦେଇଥିଲେ। ମାତ୍ର ଧାର୍ଯ୍ୟ ସମୟରେ ଫଳ ଉପଲବ୍ଧ ହୋଇପାରି ନ ଥିଲା। ପରୀକ୍ଷା ଫଳ ବିଳମ୍ବକୁ ନେଇ ପରୀକ୍ଷାର୍ଥୀଙ୍କ ସମେତ ଅଭିଭାବକ ଚିନ୍ତା ପ୍ରକଟ କରିଥିଲେ। ରେଜଲ୍ଟ ବିଳମ୍ବ ହେଉଥିବାରୁ ପରୀକ୍ଷାର୍ଥୀ ଲଗାତାର ଭାବେ ପରିଷଦର ହେଲ୍‌ପ ଲାଇନ୍‌ ନମ୍ବରରେ ଯୋଗା‌ଯୋଗ କରିଥିଲେ। ଏମିତିକି ୪୦ ମିନିଟ୍‌ ମଧ୍ୟରେ ୨୦୦ରୁ ଅଧିକ କଲ୍‌ ପରିଷଦ କାର୍ଯ୍ୟାଳୟକୁ ଆସିଥିଲା। ଏନେଇ ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସର୍ଭର୍‌ରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ହୋଇଥିଲା। ୩୦ ମିନିଟ୍‌ ମଧ୍ୟରେ ସମସ୍ୟାର ସମାଧାନ କରାଯାଇଥିଲା।

ଏସ୍‌ଟିଙ୍କ ତୁଳନାରେ ଏସ୍‌ସି ପରୀକ୍ଷାର୍ଥୀ ଆଗରେ
ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ଛାତ୍ରଛାତ୍ରୀଙ୍କ ତୁଳନାରେ ଅନୁସୂଚିତ ଜାତି(ଏସ୍‌ସି) ବର୍ଗ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଭଲ ହୋଇଛି। ପରୀକ୍ଷା ଦେଇଥିବା ଏସ୍‌ସି ବର୍ଗର ୬୩୨୯ ଛାତ୍ରଙ୍କ ମଧ୍ୟରୁ ୪୯୧୧ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୭୭.୫୯% ରହିଛି। ସେହିପରି ୫୬୪୬ ଛାତ୍ରୀଙ୍କ ମଧ୍ୟରୁ ୪୪୩୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ହାର ୭୮.୫୧% ହୋଇଛି। ଏସ୍‌ଟି ବର୍ଗର ୬୫୮୩ ଛାତ୍ରଙ୍କ ମଧ୍ୟରୁ ୪୫୮୩ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପରୀକ୍ଷା ଦେଇଥିବା ୭୪୫୮ ଛାତ୍ରୀଙ୍କ ମଧ୍ୟରୁ ୫୪୪୮ଜଣ ପାସ୍‌ କରିଛନ୍ତି। ଯଦି ବାଣିଜ୍ୟ କଥା ଦେଖିବା ଏସ୍‌ସି ବର୍ଗରେ ୧୮୨୦ ଛାତ୍ରୀଙ୍କ ମଧ୍ୟରୁ ୧୩୨୦ ଏବଂ ୯୮୮ ଛାତ୍ରୀଙ୍କ ମଧ୍ୟରୁ ୭୭୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏସ୍‌ଟି ବର୍ଗର ୨୬୩୭ ଛାତ୍ରଙ୍କ ମଧ୍ୟରୁ ୧୯୩୯ ଓ ୧୮୭୧ ଛାତ୍ରୀଙ୍କ ମଧ୍ୟରୁ ୧୪୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।