ଭୁବନେଶ୍ବର ୦୨।୦୫ : ଯାଆଁଳା ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ପୋଲିସର ଆକ୍ସନ । ଦୁଇ ଲୁଟେରାଙ୍କୁ ଗିରଫ କଲା ଜଙ୍କିଆ ଥାନା ପୋଲିସ । ଗିରଫ ଦୁଇ ଲୁଟେରାଙ୍କ ନାମ ତ୍ରିନାଥ ଓ ବିଦେଶୀ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।
ଖବର ଅନୁଯାୟୀ, ଗତ ୨୫ ତାରିଖ ଦିନ ଯାଆଁଳା ସ୍ଥିତ ଏକ ସୁନା ଦୋକାନର ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏବେ ଜଙ୍କିଆ ଅଞ୍ଚଳରେ ଲୁଟ୍ ଯୋଜନା କରୁଥିଲେ ଲୁଟେରା ।ଏପରି ସୂଚନା ପାଇ ଦମଣଭୁଇଁ ରାସ୍ତା କଡ଼ରେ ଥିବା ଏକ ସ୍ଥାନରେ ଚଢାଉ କରିଥିଲା ଜଙ୍କିଆ ଥାନା ପୋଲିସ । କିନ୍ତୁ ପୋଲିସ ଦେଖି ଫେରାର ହେବାକୁ ଉଦ୍ୟମ କରିଥିଲେ ଲୁଟେରା । ଦୁଇ ଲୁଟେରାଙ୍କୁ ଗିରଫ ସହ ଏକ ବାଇକ୍କୁ ମଧ୍ୟ ଜବତ କରିଛି ପୋଲିସ । ଉଭୟଙ୍କ ନିକଟରୁ ତିନୋଟି ପିସ୍ତଲ୍ ଜବତ ହୋଇଛି ।ଗିରଫ ପରେ ଲୁଟେରା କୋର୍ଟ ଚାଲାଣ କରିଥିଲା ଖୋର୍ଦ୍ଧା ପୋଲିସ ।
ସେପଟେ ଲୁଟେରାମାନେ ବାଲୁଙ୍ଗାରେ ସାତ ଲକ୍ଷ ଓ ବେଗୁଆଇରେ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍ କରିଥିବା ସ୍ୱୀକାର କରିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।