ରାଜ୍ୟ

ମୋକିମ୍, ଚିରଞ୍ଜୀବଙ୍କ ଉପରୁ ହଟିଲା ନିଲମ୍ବନ: ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାକୁ ଆରମ୍ଭ କରିଛି କଂଗ୍ରେସ। ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟିଛି। ଏହାସହ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହାସହ ଦଳ ଛାଡ଼ିଥିବା ନେତାଙ୍କୁ ଦଳକୁ ଫେରାଇ ଆଣିବା ଲାଗି ସଙ୍କେତ ଦେଇଛନ୍ତି।

ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଚିରଞ୍ଜୀବ ଓ ମୋକିମ୍‌କୁ ଗତବର୍ଷ ଜୁଲାଇ ମାସରେ ଦଳରୁ ନିଲମ୍ବିତ କରିଥିଲା କଂଗ୍ରେସ। ସେହିପରି ୨୦୧୯ ମସିହାରେ ଶ୍ରୀ ସଗରିଆ ମଧ୍ୟ ସମାନ ଅଭିଯୋଗରୁ ଦଳରୁ ବହିଷ୍କୃତ ହୋଇଥିଲେ। ହେଲେ କଂଗ୍ରେସ ଏହି ୩ ନେତାଙ୍କୁ ଦଳକୁ ଫେରାଇ ଆଣି ଉଭୟ ବିଜେଡି ଓ ବିଜେପିକୁ ଏକ ବଡ଼ ବାର୍ତ୍ତା ଦେଇଛି। ନିଲମ୍ବନ ହଟିବା ପରେ ମହମ୍ମଦ ମୋକିମ୍ କହିଛନ୍ତି, ଆଲୋଚନା ମାଧ୍ୟମରେ ନିଲମ୍ବନ ହଟାଯାଇଛି। ମୁଁ କଂଗ୍ରେସ ପରିବାରର ସଦସ୍ୟ ଥିଲି। ଦଳ ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି ତାହାକୁ ଜାରି ରଖିବି। ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଚାହୁଁଛନ୍ତି, କଂଗ୍ରେସ ତାହାର ସୂତ୍ରଧର ହେବ।
କଂ‌ଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ, ରାଜ୍ୟରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ଓଡ଼ିଶା ଅସ୍ମିତା ସଂକଟ ଦେଇ ଗତି କରୁଛି। ଓଡ଼ିଶାର ଖଣିଖାଦାନକୁ ଲୁଟ୍‌ କରିବା, ବାହାର ରାଜ୍ୟର ଠିକାଦାରଙ୍କ ହାତରେ ଓଡ଼ିଶାକୁ ଟେକି ଦେବା ଆଦି ଘଟଣା ସ୍ବାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି। ଆସନ୍ତା ୨୯ ତାରିଖରେଏହି ଲଢ଼େଇରେ ସାମିଲ ହେବେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। କଂଗ୍ରେସ ହିଁ ହେବ ରାଜ୍ୟର ପ୍ରମୁଖ ବିରୋଧୀ ଦଳ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପି ହିନ୍ଦୁମାନେ ସନାତନୀ ହିନ୍ଦୁମାନଙ୍କୁ ଅନେକ ସ୍ଥାନରେ ମନ୍ଦିର ପ୍ରବେଶ କରାଇ ଦେଉନାହାନ୍ତି। ସମ୍ବିଧାନ, ଗଣତନ୍ତ୍ର ସୁରକ୍ଷା ଓ ବ୍ୟକ୍ତି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ତୃତୀୟ ସ୍ବାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି।

ବିଜେପିର ଏକଛତ୍ରବାଦ ଶାସନ ବିରୋଧରେ ଦେଶବ୍ୟାପୀ ଜାଗରଣର ଆବଶ୍ୟକତା ଥିବା ବେଳେ ସମସ୍ତଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ କୁମାର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମିଡିଆ ସେଲ୍‌ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି, ଓଡ଼ିଶା ସହ-ପ୍ରଭାରୀ ଖ୍ରୀଷ୍ଟୋଫର ତିଲକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ବରିଷ୍ଠ ଉପ-ସଭାପତି ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।