ରାଜ୍ୟ

ମୁଁ ଏବେ ପୁଣି ସିନେମା କରିବାକୁ ଯାଉଛି : ପ୍ରଶାନ୍ତ ନନ୍ଦ

ରାଉରକେଲା: ପ୍ରଶାନ୍ତ ନନ୍ଦ ରାଜ୍ୟର ଜଣେ ସଫଳ ଅଭିନେତା, ନିର୍ଦ୍ଦେଶକ ଓ ରାଜନେତା। ୧୯୬୨ରେ ରିଲିଜ୍ ହୋଇଥିବା‘ନୂଆ ବୋଉ’ରୁ ଆରମ୍ଭ ହୋଇ ତାଙ୍କର ସିନେ ଯାତ୍ରା ​୧୯୯୭ର ‘ବାପା’ ପର୍ଯ୍ୟନ୍ତ। ତାଙ୍କର ସବୁ ସିନେମାରେ ଥିଲା ମାଟିର ମହକ, ପ୍ରେମର ଲୁଚକାଳି, ନିଚ୍ଛକ କାହାଣୀ ଓ ସମ୍ପର୍କର ମିଠା ଅନୁଭବ। ‘ଶେଷ ଶ୍ରାବଣ’ର ‘‘ମେଘ ବରଷିଲା ଟୁପୁରୁ ଟୁପୁର…’’, ହେଉ ଅବା ‘ଡୋରା’ର ‘‘ଆଲୋ ମୋର କଣ୍ଢେଇ, ମୋତେ ଦେଲୁ ଭଣ୍ଢେଇ…’’ ଏମିତି ତାଙ୍କର ପ୍ରାୟ ସବୁ ସିନେମାରେ ମନଛୁଆଁ ଗୀତ, ଯାହା ଆଜି ବି ଲୋକଙ୍କ ମନରୁ ଲିଭିପାରିନି। ମାଟିର ମଣିଷ, ଅଦିନ ମେଘ, ମା’ ଓ ମମତା, ହିସାବ ନିକାଶ, ଜଗାବଳିଆ, ବଳିଦାନ, ପୂଜା, ଲାଲପାନ ବିବି, ସ୍ବପ୍ନ ସାଗର ଏମିତି ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଶ୍ରୀ ନନ୍ଦ ଜଣେ ଅଲ୍‌ ରାଉଣ୍ଡର। ଅଭିନୟ, ନିର୍ଦ୍ଦେଶନା, ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା, ସଂଳାପ ସବୁଥିରେ ସେ ନିଜକୁ ପ୍ରମାଣିତ କରିଛନ୍ତି ଅତି ଚମତ୍କାର ଭାବେ। ଓଡ଼ିଆ ସମେତ ହିନ୍ଦୀ ଓ ବଙ୍ଗଳା ସିନେମାରେ ଅଭିନୟ କରିବା ସହ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସେ ପ୍ରାୟ ୪୦ଟି ସିନେମାରେ ଅଭିନୟ କରିଛନ୍ତି, ୨୪ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ‘ଜିଅନ୍ତା ଭୂତ’ ସିନେମା ଜାତୀୟ ପୁରସ୍କାର ପାଇଥିଲା। ଏଥିସହ ସେ ବହୁବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ରାଉରକେଲାର ସହରସେବା ସମିତି ପକ୍ଷରୁ ଆୟୋଜିତ ‘ଚିର ସବୁଜ ପ୍ରଶାନ୍ତ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ରାଉରକେଲା ଗସ୍ତରେ ଆସିଥିଲେ। ଏହି ଅବସରରେ ‘ସମ୍ବାଦ’ ସହିତ ତାଙ୍କର ସ୍ବତନ୍ତ୍ର ସାକ୍ଷାତକାରର କିଛି ଅଂଶ।

ପ୍ରଶ୍ନ : ଆପଣଙ୍କୁ ଲୋକେ ଓଡ଼ିଆ ସିନେମାର ରାଜ କପୁର ବୋଲି କହନ୍ତି। ଆପଣଙ୍କର ମତ କ’ଣ?
ଉତ୍ତର: ଯେଉଁମାନେ ରାଜ କପୁରଙ୍କୁ ଭଲ ପାଆନ୍ତି ଆଉ ମୋତେ ବି ଭଲ ପାଆନ୍ତି, ସେମାନେ ଆମ ଦୁଇଜଣଙ୍କୁ ଏକାଠି ଦେଖିପାରନ୍ତି। କିଛି ଲୋକଙ୍କୁ ଯଦି ଅମରେଶ ପୁରୀ ଭଲ ଲାଗୁଥିବେ, ସେମାନେ କହୁଥିବେ ପ୍ରଶାନ୍ତ ନନ୍ଦ ଆମର ଅମରେଶ ପୁରୀ। କିଏ କାହା ପରି ନୁହନ୍ତି। ମୁଁ କାହାରି ସାଙ୍ଗରେ ଯୋଡି‌ ହେବାକୁ ଚାହିଁନି। ସସସ୍ତେ ନିଜ ନିଜ କାମରେ ଧରିତ୍ରୀକୁ ଆସିଛୁ। ଓଡ଼ିଶାବାସୀଙ୍କୁ ମନୋରଞ୍ଜନ ଦେବା ମୋ’ର ଲକ୍ଷ୍ୟ ଥିଲା। ତା’ ମୁଁ କଲି। ମୁଁ ମୋ’ ମାଟି ସାଙ୍ଗରେ ଯୋଡିହେବାକୁ ଚାହିଁଲି। ସେଥିପାଇଁ ହିନ୍ଦୀ ଫିଲ୍ମ ଛାଡି ଓଡ଼ିଶା ଚାଲି ଆସିଲି।

ପ୍ରଶ୍ନ: ତେବେ ସମୟକ୍ରମେ ଆପଣ ଓଡ଼ିଆ ସିନେମାରୁ ମଧ୍ୟ ଓହରି ଗଲେ କାହିଁକି ?
ଉତ୍ତର : ମୁଁ ଫିଲ୍ମକୁ ଛାଡିନି। ସମୟ ପରିବର୍ତ୍ତନ ହୋଇଛି, ଦର୍ଶକ ବଦଳିଛନ୍ତି। ଓଡ଼ିଶାବାସୀ ମୋତେ ବହୁତ ଭଲପାଇବା ଦେଇଥିଲେ, ଏବେ ମଧ୍ୟ ଦେଉଛନ୍ତି। ସବୁବେଳେ କାଚ ଭିତରେ ରହି ତାଙ୍କ ପାଇଁ ମନୋରଞ୍ଜନ କରିବା ଠିକ୍‌ ନୁହେଁ, ଲୋକଙ୍କ ପାଇଁ ସେବାକରିବାକୁ ରାଜନୀତିରେ ପଶିଲି। ସିନେମା ପାଇଁ ଆଜି ବି ସ୍କ୍ରିପ୍‌ଟ ଲେଖୁଛି। ଆଗାମୀ ଦିନରେ ନିଶ୍ଚିତ ସିନେମା କରିବି। ତେଣୁ ସିନେମା ଛାଡି ଦେଇଛି‌ ବୋଲି ଲୋକେ ଯାହା କହୁଛନ୍ତି, ତା’ ଭୁଲ୍‌।

ପ୍ରଶ୍ନ : ସିନେମା କଳାକାରମାନେ କାହିଁକି ବେଶୀ ରାଜନୀତି ମୁହାଁ ହେଉଛନ୍ତି ?
ଉତ୍ତର : ସିନେମା ଅଭିନେତା, ଅଭିନେତ୍ରୀମାନେ ଆସିଲେ ଅଧିକ ଲୋକ ହେବେ, ଅଧିକ ଭୋଟ ମିଳିବ। ରାଜନୈତିକ ଦଳଗୁଡ଼ିକର ଏମିତି ଧାରଣା ରହିଛି। କିନ୍ତୁ ଦିନକୁ ଦିନ ଏହା କମି କମି ଯାଉଛି।

ପ୍ରଶ୍ନ : ଦର୍ଶକମାନେ କାହିଁକି ଓଡ଼ିଆ ସିନେମାରୁ ଦୂରେଇ ଯାଉଛନ୍ତି ? ପୂର୍ବଭଳି ଆଉ ହଲ୍‌ରେ ଓଡ଼ିଆ ସିନେମା ବେଶି ଦିନ ଚାଲୁନି ଯେ!
ଉତ୍ତର: ମଝିରେ ପ୍ରାୟ ୨୦ ବର୍ଷ ରି -ମେକ୍‌ ସିନେମା ତିଆରି ହେଲା, ଯେଉଁଥି ପାଇଁ ସିନେମାର ମାନ କମିଗଲା। ବର୍ତ୍ତମାନ ସମସ୍ତେ ବୁଝି ସାରିଲେଣି। ମୁଁ କିନ୍ତୁ ଏଥିରେ ସାମିଲ ନଥିଲେ। ଅପେକ୍ଷା କଲି, ଏବେ ପୁଣି ସିନେମା କରିବାକୁ ଯାଉଛି।

ପ୍ରଶ୍ନ: ସିନେମାର କେଉଁ କାହାଣୀ ଓଡ଼ିଆମାନେ ବେଶି ପସନ୍ଦ କରନ୍ତି ?
ଉତ୍ତର : ସିନେମାରେ ଟେକ୍ନୋଲୋଜି ବଢ଼ୁ କିନ୍ତୁ କାହାଣୀ ଭିତରେ ଓଡ଼ିଆତ୍ବ ରହିବା ଦରକାର। ଓଡ଼ିଆ ବାସ୍ନା ରହୁ। ଲୋକ‌େ ଯେମିତି ଜାଣିବେ ଏହା ହେଉଛି ଓଡ଼ିଆର କାହାଣୀ। ଏମିତି କାହାଣୀ ହେଲେ ଲୋକେ ବେଶି ପସନ୍ଦ କରିବେ।

ପ୍ରଶ୍ନ: ପୂର୍ବର ସିନେମା ଓ ଏବେର ସିନେମା ମଧ୍ୟରେ ଆପଣ କ’ଣ ପ୍ରାର୍ଥକ୍ୟ ଦେଖୁଛନ୍ତି ?
ଉତ୍ତର: ପୂର୍ବର ସିନେମା ଓ ଏବେର ସିନେମା ମଧ୍ୟରେ ଆକାଶ ପାତାଳ ଫରକ୍‌ ରହିଛି। ପୂର୍ବର ଦର୍ଶକ ଆଉ ନାହାନ୍ତି। ଦ୍ବିତୀୟରେ, ସେତେବେଳର ଟେକ୍ନୋ‌ଲୋଜି ଓ ଆଜିର ଟେକ୍ନୋଲୋଜି ମଧ୍ୟର ‌ଅନେକ ଫରକ୍‌ ରହିଛି। ଟେକ୍‌ନିକ୍‌ ବଦଳୁ, ସ୍ବାଗତଯୋଗ୍ୟ। କିନ୍ତୁ ଓଡ଼ିଆ ସିନେମାରେ ଓଡ଼ିଆର ଗନ୍ଧ, କଳା ଓ ସଂସ୍କୃତି ଯେତିକି ରହିବା କଥା, ତା’ ରହୁ ନଥିଲା ପରି ମନେ ହେଉଛି।

ପ୍ରଶ୍ନ : ରାଉରକେଲା ସହର ଆପଣଙ୍କୁ କେମିତି ଲାଗେ ?
ଉତ୍ତର : ରାଉରକେଲା ସହର ମୋତେ ବହୁତ ଭଲ ଲାଗେ। ଚତୁଃପାର୍ଶ୍ବ ପ୍ରାକୃତିକ ସମ୍ପଦ ଓ ବଣ ଜଙ୍ଗଲରେ ପରିପୂର୍ଣ୍ଣ। ଏହାକୁ କେବଳ ସହର ଭାବେ ଧରିନେଲେ ହେବ ନାହିଁ, କୁମାରପୂର୍ଣ୍ଣିମା, ରଜ, ବୋଇତବନ୍ଦାଣ ହେଉ ଅବା ଓଡ଼ିଆଙ୍କ ଅନ୍ୟ ପର୍ବପର୍ବାଣୀ, ରାଉରକେଲାବାସୀ ସବୁକୁ ଅତି ଆଗ୍ରହର ସହିତ ପାଳନ କରିଥାନ୍ତି। ଗାଁ ଗହଳିର ପୋଡପିଠା, ଚକୁଳି ପିଠା, ଏଣ୍ଡୁରି ପିଠା ମଧ୍ୟ ଏଠି ଖାଇବାକୁ ମିଳିଥାଏ। ଓଡ଼ିଶାର କଟକ, ବ୍ରହ୍ମପୁର ପରେ କଳା, ସଂସ୍କୃତି କଥାକୁ ଯଦି କିଏ ବେଶି ଚିନ୍ତା କରୁଥାନ୍ତି, ସେମାନେ ହେଉଛନ୍ତି ରାଉରକେଲାବାସୀ।

ପ୍ରଶ୍ନ :ରାଉରକେଲାରେ ଆପଣ କେଉଁ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରନ୍ତି ?
ଉତ୍ତର : ଖାଇବା କଥା ନୁହେଁ, ରାଉରକେଲାବାସୀଙ୍କ କଥା ବ୍ୟବହାର ଓ ହସ ଦେଖିଲେ ମୋର ପେଟ ପୂରିଯାଏ। ଖାଦ୍ୟ ଉପରେ ବିଶେଷ ଅନୁସନ୍ଧାନ କରେ ନାହିଁ। ସ୍ନେହ, ମମତାର ଭରପୂର ଜାଗା ହେଉଛି ରାଉରକଲା।

ପ୍ରଶ୍ନ : ଓଡ଼ିଶା ଓ ସୁନ୍ଦରଗଡ଼ର ରାଜନୀତି ସମ୍ପର୍କରେ ଆପଣଙ୍କ ମତ ?
ଉତ୍ତର : ଓଡ଼ିଶାରେ ବିଜେଡିକୁ ଲୋକେ ବଶି ଭଲ ପାଉଛନ୍ତି। ନବୀନଙ୍କ ଦଳ ଓ ତାଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପଥରେ ଆଗେଇ ଚାଲିଛି। ରାଜ୍ୟ ପ୍ରତ୍ୟେକ ଜିଲ୍ଳାର ବିକାଶ ହେଉଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ରହିଛି। ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କର କେହି ବିକଳ୍ପ ବାହାରି ନାହାନ୍ତି। ତେଣୁ ବିଜେଡି ଓଡ଼ିଶାବାସୀଙ୍କ ପ୍ରଥମ ପସନ୍ଦ ହୋଇସାରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।