ମାଲକାନଗିରି: ସୀମାନ୍ତ ଗ୍ରାମଗୁଡିକରେ ବହୁ ସମସ୍ୟା ରହିଛି। ସୀମାନ୍ତ ଗ୍ରାମଗୁଡିକ ନକ୍ସଲ ପ୍ରବଣ ହୋଇଥିବାରୁ ସରକାରୀ ଯୋଜନା ସେଠାରେ ପହଞ୍ଚିପାରୁନାହିଁ।ଯାହାଫଳରେ ଲୋକେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ଏଭଳି ଏକ ଗ୍ରାମ ହେଉଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର ଦଣ୍ଡିପଦର ଗ୍ରାମ। ଏହି ଗ୍ରାମଟି ସୀମାନ୍ତ ଛତିଶଗଡକୁ ଲାଗି ରହିଛି। ଦଣ୍ଡିପଦର ଗ୍ରାମଟି ପାହାଡ଼ ଉପରେ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଦଣ୍ଡିପଦର ଗ୍ରାମକୁ ନକ୍ସଲ ସଂପୂର୍ଣ୍ଣ ନିଜ ଅକ୍ତିଆରରେ ରଖିଥିଲେ। ଏବେ ମହୁପଦର ଠାରେ ବିଏସଏଫ କ୍ୟାମ୍ପ ହେବା ପରେ ନକ୍ସଲଙ୍କ ଗତିବିଧି ଆଉ ଏହି ଗାଁରେ ନଥିବା କୁହାଯାଇଛି। କିନ୍ତୁ ଗ୍ରାମବାସୀଙ୍କ ପାଖରେ ଆଜି ବି ସରକାରୀ ମୌଳିକ ସୁବିଧା ପହଞ୍ଚିପାରୁ ନାହିଁ। ଗ୍ରାମରେ ରହିଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟଟିରେ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ଏହି ପାଣିକୁ ପିଇବା ପାଇଁ ବ୍ୟବହାର କରୁନଥିବା କହିଛନ୍ତି। ପାଣି ପାଇଁ ସେମାନଙ୍କ ପାହାଡ ଓହ୍ଲାଇ ସୀମା ପାର କରି ଛତିଶଗଡ଼ର ଏ ଝରଣା ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି।
ପ୍ରତିଦିନ ସକାଳୁ ମହିଳାମାନେ ଚାଲିଚାଲି ସୀମା ପାର କରି ଝରଣା ଓ ଚୁଆ ପାଣି ସଂଗ୍ରହ କରି ନିଜର ନିତ୍ୟ ବ୍ୟବହାରରେ ଲଗାଉଥିବା କହନ୍ତି। ଆଗକୁ ନିର୍ବାଚନ ରହିଥିବା ବେଳେ ଗ୍ରାମବାସୀ ଗ୍ରାମରେ ପାଣିର ସୁବିଧା ନହେଲେ ଭୋଟ ବର୍ଜନ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ଏହି ଅଂଚଳର ଲୋକେ ଭୋଟ ଦେବା ଭୁଲି ଯାଇଥିଲେ। କିନ୍ତୁ ଏଥର ସୁରକ୍ଷା କଡାକଡି ହୋଇଥିବାରୁ ଲୋକେ ଭୋଟ ଦେବେ ବୋଲି ଚିନ୍ତା କରିଥିଲେ। ପୂର୍ବରୁ ନକ୍ସଲ ଏମାନଙ୍କୁ ଭୋଟ ବର୍ଜନ କରିବାକୁ ତାଗିଦ କରୁଥିଲେ। କିନ୍ତୁ ଗ୍ରାମରେ ଲାଗି ରହିଥିବା ସମସ୍ୟାଗୁଡିକକୁ ସରକାର ପୂରଣ କରୁନଥିବାରୁ ଏଥର ସେମାନେ ନିଜେ ଭୋଟ ବର୍ଜନ କରିବା ପାଇଁ ସ୍ଥିର କଲେଣି।
ପାହାଡ଼ ଉପରେ ଗାଁଟି ଥିବାରୁ ଗ୍ରାମବାସୀ ନିଜେ ରାସ୍ତା କରିବା ପରେ ପ୍ରଶାସନର ଚେତା ପଶିଥିଲା। ଏବେ ଗାଁରେ ଉତ୍କଟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଏନେଇ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନନେବା ଯୋଗୁଁ ଲୋକଙ୍କ ଅସଂତୋଷ ବଢିବାରେ ଲାଗିଛି। ଗ୍ରାମବାସୀଙ୍କ ଦୁଃଖ ହେଲା ପାନୀୟ ଜଳ। ସରକାର ଏହି ଗୋଟିଏ ସୁବିଧା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ନକ୍ସଲ ଏହି ଅଂଚଳରେ ତାଂକର ଗତିବିଧିକୁ କମାଇ ଦେଇଥିବାରୁ ଲୋକେ ଆଶ୍ବସ୍ତ ହେଲେ ସତ କିନ୍ତୁ ଲୋକେ ନକ୍ସଲକୁ ସମର୍ଥନ ଛାଡି ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ କଣ ପାଇଲେ ବୋଲି ପ୍ରଶ୍ନ କରୁଛନ୍ତି। ସୀମାନ୍ତ ଗ୍ରାମ ହୋଇଥିବାରୁ ଲୋକେ ଓଡ଼ିଶା ଅପେକ୍ଷା ଛତିଶଗଡ଼କୁ ଯିବାକୁ ପସନ୍ଦ କରୁଛନ୍ତି। ହାଟ ବଜାର ସହ ବୈବାହିକ ସଂପର୍କ ମଧ୍ୟ ଛତିଶଗଡ ସହ ଲୋକେ କଲେଣି। ତେଣୁ ବେଳ ଥାଉ ଥାଉ ପ୍ରଶାସନ ଓ ସରକାର ଗ୍ରାମବାସୀଙ୍କ ଦୁଃଖ ଦୁର କରି ଓଡିଶା ମୁହାଁ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି।