ରାଜ୍ୟ ସ୍ପେଶାଲ ରିପୋର୍ଟ

ମାର୍କେଟ୍‌ ବିଲ୍ଡିଂ ପରେ ଏକ ନମ୍ୱର ହାଟ: ପାର୍କିଂ ବ୍ୟବସ୍ଥା ନ ସୁଧୁରିଲେ ବନ୍ଦ ଚେତାବନୀ

ଭୁବନେଶ୍ୱର: ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ୍‌ ବିଲ୍ଡିଂ ୧୭ ଦିନ ତାଲା ପଡ଼ିଥିଲା। ଏବେ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟ(ୟୁନିଟ୍‌-୧ ହାଟ)ରେ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି। ହାଟ ପାର୍ଶ୍ବ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି। ତା’ଛଡ଼ା ଏଠାରେ ଥିବା ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ସୀମା ଅତିକ୍ରମ କଲେଣି। ଯେତିକି ଜାଗା ବ୍ୟବହାର କରିବା କଥା, ତା’ ଠାରୁ ଅଧିକ ଜାଗାରେ ପସରା ମେଲୁଥିବାରୁ ରାସ୍ତା ଜାମ୍‌ ହେଉଛି। ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଏମ୍‌ସି ସହ ଆଲୋଚନା ହୋଇଥିଲେ ମଧ୍ୟ କିଛି ଫଳ ହେଉନାହିଁ। ଦୀର୍ଘଦିନର ଏହି ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା। ଭେଣ୍ଡିଂ ଜୋନ୍‌ରେ ଥିବା ଏକ ଦୋକାନ ସାମ୍ନାରେ ୧ ନମ୍ବର ହାଟର ଜଣେ ବ୍ୟବସାୟୀ ଗାଡ଼ି ପାର୍କ କରିବାରୁ ଉଭୟ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ମାମଲା ଥାନାକୁ ଯାଇଥିଲା। ଖବର ପାଇ ୧ ନମ୍ବର ହାଟର ଶତାଧିକ ବ୍ୟବସାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ସମର୍ଥନରେ ବାହାରି ଦୋକାନ ବନ୍ଦ କରି ଥାନାରେ ପହଞ୍ଚିଥିଲେ।

ସେଠାରେ ଥାନାଧିକାରୀ ଘଟଣାକୁ ହାଲ୍‌କା ଭାବରେ ନେବାରୁ ଆସନ୍ତାକାଲି ସେମାନେ ପୁଲିସ କମିସନରଙ୍କୁ ଭେଟିବେ ବୋଲି ସ୍ଥିର କରିଛନ୍ତି। ସ୍ଥାୟୀ ସମାଧାନ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧ ନମ୍ବର ହାଟ ବନ୍ଦ ହେବ ବୋଲି ଚେତାବନୀ ଦେଇଛନ୍ତି। ୧ ନମ୍ବର ହାଟରେ ଯାବତୀୟ ଜିନିଷ ଶସ୍ତାରେ ମିଳୁଥିବାରୁ ଏଠାରେ ପ୍ରତ୍ୟହ ହଜାର ହଜାର ଗ୍ରାହକଙ୍କର ସମାଗମ ହୋଇଥାଏ। ସହର ସହ ଉପକଣ୍ଠ ଓ ଆଖପାଖ ଜିଲ୍ଲାର ଗ୍ରାହକମାନେ ଏଠାରେ ଭିଡ଼ ଜମାଇଥାନ୍ତି। ପ୍ରାୟ ବର୍ଷେ ହେବ ଏଠାରେ ‘ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ’ ବନ୍ଦ ରହିଛି। ହାଟ ସାମ୍ନାରେ ଥିବା ରାସ୍ତା କଡ଼ରେ ଆଉ ଗାଡ଼ି ରଖି ହେଉନାହିଁ। କେହି ରଖିଲେ ଗାଡ଼ି ଚୋରି ହୋଇଯାଉଛି ତ କେତେବେଳେ ଟ୍ରାଫିକ୍‌ ପୁଲିସ ଗାଡ଼ି ଉଠାଇ ନେଉଛି। ପାର୍କିଂ ପାଇଁ ରାସ୍ତାର ଅପରପାର୍ଶ୍ବରେ ମାର୍କେଟ୍‌ ବିଲ୍ଡିଂକୁ ଲାଗି ବହୁତଳ କାର୍‌ ପାର୍କିଂ ନିର୍ମାଣ ହୋଇଛି। ଯୋଜନା ହୋଇଥିଲା, ଗ୍ରାହକମାନେ ସେଠାରେ ଗାଡ଼ି ରଖି ଭୂତଳ ରାସ୍ତା ଦେଇ ୧ନମ୍ବର ହାଟକୁ ଯିବେ। ସେଠାରୁ ଜିନିଷ ଧରି ସେହି ବାଟରେ ଫେରିବେ। ଗୋଟିଏ କିମ୍ବା ଦୁଇଟି ବ୍ୟାଗ୍‌ ହେଲେ ଚଳୁଛି, ହେଲେ ବସ୍ତା ବସ୍ତା ଜିନିଷ ହେଲେ ଗ୍ରାହକଙ୍କ ପାଇଁ କାଠିକର ପାଠ ହେଉଛି। ଥରେ ଗଲେ ଲୋକ ଆଉ ଥରେ ଯିବାକୁ ଚାହୁନି। ଏହି ସମସ୍ୟାକୁ ନେଇ ଗ୍ରାହକ କମୁଥିବାରୁ ବ୍ୟବସାୟୀଙ୍କ ଅସନ୍ତୋଷ ମଧ୍ୟ ଚରମ ସୀମାରେ ପହଞ୍ଚିଛି।
ବ୍ୟବସାୟୀ ଶ୍ୟାମ ସୁନ୍ଦର କବି କହିଛନ୍ତି, ଏଜି ଛକରୁ ରାଜମହଲ ମଧ୍ୟରେ ଗାଡ଼ି ପାର୍କ ହେଲେ ଚୋରି ହେଉଛି। ୧ ନମ୍ବର ମାର୍କେଟ ବ୍ୟବସାୟୀ ଚୋରି କରୁଛନ୍ତି ବୋଲି କେତେକ ଅଭିଯୋଗ କରୁଛନ୍ତି। ପୁଣି ପୁଲିସ ବି ଗାଡ଼ି ଜବତ କରିନେଉଛି। ୧୦୦୦ ଟଙ୍କାର ଜିନିଷ କିଣିବାକୁ ଆସି ଗ୍ରାହକ ୫୦୦୦ ଜରିମାନା ଗଣୁଛି। ଫଳରେ ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।

ୟୁନିଟ୍‌ -୧ ବ୍ୟବସାୟୀ ସଂଘ ସହ ସଂପାଦକ ବିଷ୍ଣୁ ଚରଣ ସାହୁ କହିଛନ୍ତି, କେବଳ ରାଜଧାନୀର ନୁହେଁ, ବରଂ ରାଜ୍ୟର ସବୁଠାରୁ ବଡ଼ ମାର୍କେଟ ହେଉଛି ୧ ନମ୍ବର ହାଟ। ପାଖାପାଖି ୧୫ ହଜାର ବ୍ୟବସାୟୀ ଏଠାରେ ରହିଛନ୍ତି। କିନ୍ତୁ ଏଠାରେ ପାର୍କିଂ ସୁବିଧା ନାହିଁ। ଜରିମାନା ଭୟରେ ଗ୍ରାହକ ଆସୁନାହାନ୍ତି। ମାର୍କେଟରେ ଶୌଚାଳୟ ଓ ପାଣିର ସୁବିଧା ନଥିବାରୁ ଲୋକ ହଇରାଣ ହେଉଛନ୍ତି। ଆସନ୍ତାକାଲି କମିସନରଙ୍କ ସାକ୍ଷାତ ପରେ ସମସ୍ୟା ସମାଧାନ ନହେଲେ ମାର୍କେଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ସେ କହିଛନ୍ତି। ୧୦ ବର୍ଷ ତ‌େଳେ ବିଏମ୍‌ସି ଏହାର ନୂଆରୂପ ପରିକଳ୍ପନା କରିଥିଲା। ୩ ଏକର ଜାଗାରେ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସର ନୀଳନକ୍ସା ତିଆରି ହୋଇଥିଲା। କେବଳ ସେତିକି ନୁ‌ହେଁ, ବରଂ ଏଠାରୁ ୩୦ରୁ ଊର୍ଦ୍ଧ୍ବ କ୍ବାର୍ଟର୍ସ ଉଚ୍ଛେଦ କରାଯିବା ସହ ଦୁଇଟି ବସ୍ତି ଉଠାଇ ଦିଆଯାଇଥିଲା। ୧୪୬ କୋଟି ଟଙ୍କା ବ୍ୟୟରେ ଏଭଳି ଏକ କମ୍ପ୍ଲେକ୍ସ ପ୍ରସ୍ତୁତ କରିବାକୁ ୧୦ ବର୍ଷ ଧରି ଯୋଜନା ହେଉଛି। ହେଲେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ବିଏମ୍‌ସି-ବିଡିଏ ମଧ୍ୟରେ ଉତ୍ତମ ସମ୍ପର୍କ ନଥିବାରୁ ଏହି ‌ଯୋଜନା ବଳି ପଡ଼ିଥିବା କୁହାଯାଉଛି। ଏଣେ ଦିନକୁ ଦିନ ସମସ୍ୟା ଆହୁରି ଭୟଙ୍କର ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।