କୋଇଡ଼ା (ସୁନ୍ଦରଗଡ଼) : କୋଇଡ଼ାରେ ଏହି ୮୦ ବର୍ଷୀୟ ବୃଦ୍ଧ ‘ମାମା ରିକ୍ସାବାଲା’ ଭାବେ ପରିଚିତ। ତାଙ୍କ ନାଁ ଭୀମସେନ ସାମଲ। ଜୀବନସାରା ରିକ୍ସା ଓ ଟ୍ରଲି ଟାଣି ନିଜ ଓ ତାଙ୍କ ପରିବାର ଗୁଜୁରାଣ ଚଳାନ୍ତି ‘ମାମା ରିକ୍ସାବାଲା’। ହେଲେ, ଏହି ସାଧାରଣ ମଣିଷଟିର ଅବଦାନ ଅସାଧାରଣ। କୋଇଡ଼ା ଅଞ୍ଚଳରେ ଉଚ୍ଚଶିକ୍ଷାର ଆଲୋକ ଜାଳିବା ପାଇଁ ସେ ଦେଇଥିଲେ ପ୍ରଥମ ଅନୁଦାନ। ଏବେ ତାହା ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ମୁଣ୍ଡ ଟେକିଛି। ଏହି ଶିକ୍ଷାନୁଷ୍ଠାନ ହେଉଛି ‘କୋଇଡ଼ା କଲେଜ’।
୧୯୯୧ ମସିହା ବେଳର କଥା। ସେତେବେଳେ କୋଇଡ଼ା ଥାନାରେ ଏଏସ୍ଆଇ ଥିଲେ ବିଜୟ କୁମାର ଖଣ୍ଡା। ସେ ବି ଥିଲେ ଶିକ୍ଷାପ୍ରେମୀ ମଣିଷ। କୋଇଡ଼ା ଅଞ୍ଚଳରେ କୌଣସି ଉଚ୍ଚଶିକ୍ଷାନୁଷ୍ଠାନ ନ ଥିବାରୁ ତାଙ୍କ ମନରେ କ୍ଷୋଭ ଥାଏ। ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସେ ଏକଥା କହିଥିଲେ। ସେ କହିଥିଲେ, କୋଇଡ଼ାରେ କଲେଜ ନ ଥିବାରୁ ଯାହାର ସମ୍ବଳ ଅଛି ସେମାନେ ଉଚ୍ଚଶିକ୍ଷା ପାଇଁ ରାଉରକେଲା ଓ କେନ୍ଦୁଝର ଯାଉଛନ୍ତି। ଯାହାର ନାହିଁ ସେ ଛାତ୍ରଛାତ୍ରୀ ଅଧାରୁ ପଢ଼ା ଛାଡୁଛନ୍ତି। ଏ ଦିଗରେ କିଛି କରିବା ଦରକାର।’ ଏହାପରେ କୋଇଡ଼ାର ମାନ୍ୟଗଣ୍ୟ ବ୍ୟକ୍ତି ଅଧିକ ବିଚାରବିମର୍ଶ ପାଇଁ ଏବେକାର କୋଇଡ଼ା ସାପ୍ତାହିକ ହାଟ ନିକଟରେ ଏକ ବୈଠକ କରିଥିଲେ। ବୈଠକ ଚାଲିଥିବାବେଳେ ସେ ବାଟେ ଯାଉଯାଉ ମାମା ରିକ୍ସାବାଲା ସେଇଠି ପହଞ୍ଚିଥିଲେ।
ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ, ଝାଟିମାଟି ଘରେ ରହୁଛନ୍ତି
ଏତେ ବିଶିଷ୍ଟବ୍ୟକ୍ତି ଗୋଟିଏ ସ୍ଥାନରେ ଏକାଠି ହୋଇ କ’ଣ ବିଚାର କରୁଛନ୍ତି ବୋଲି କୌତୂହଳୀ ହୋଇ ପଚାରି ଦେଇଥିଲେ। କଲେଜଟିଏ ନିର୍ମାଣ ପାଇଁ ଆଲୋଚନା ଚାଲିଛି ବୋଲି ବୈଠକରେ ବସିଥିବା ଜଣେ ବରିଷ୍ଠ ବ୍ୟକ୍ତି କହିଥିଲେ। ଏହାଶୁଣି ସେଠାରୁ ଚାଲି ଯାଇଥିଲେ ମାମା। ପ୍ରତିଦିନ ରିକ୍ସାରୁ ହେଉଥିବା ଉପାର୍ଜନରେ ପରିବାର ପୋଷଣ ପରେ ଗୋଟିଏ କୁମ୍ପିରେ ଯେଉଁ ସାମାନ୍ୟ ସଞ୍ଚୟ କରିଥିଲେ, ସବୁତକ ଆଣି ସେଇ ବୈଠକରେ ଅଜାଡ଼ି ଦେଇଥିଲେ। କହିଥିଲେ, ‘ଏ ମୋ ଜୀବନର ସଞ୍ଚୟ, ଯାହା ଅଛି ମୁଁ ଦେଉଛି। କୋଇଡ଼ାରେ କଲେଜ ନିର୍ମାଣ ହେଉ। ଆମଛୁଆ ପାଠ ନ ଛାଡ଼ନ୍ତୁ କି ବାହାରକୁ ନ ଯାନ୍ତୁ।’
ଏହି ଘଟଣା ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରି ଦେଇଥିଲା। ସେହି ପ୍ରଥମ ଅନୁଦାନକୁ ମିଶାଇ ଅନ୍ୟ ମାନ୍ୟଗଣ୍ୟ ଲୋକଙ୍କ ଦାନରେ କୋଇଡ଼ା କଲେଜର ଭିତ୍ତି ପଡ଼ିଥିଲା। ଏହାପରେ କଲେଜ ନିର୍ମାଣ ଆରମ୍ଭ ହୋଇଥିଲା ଓ ୧୯୯୨ ପରେ କଲେଜ ପ୍ରାରମ୍ଭ ହୋଇଥିଲା। ସେହି କଲେଜ ପରବର୍ତ୍ତୀ ସମୟରେ ସରକାରୀ ମାନ୍ୟତା ପାଇ ଆଜି କୋଇଡ଼ା କଲେଜ ନାମରେ ସଗର୍ବେ ଛିଡ଼ାହୋଇଛି। ମାମା ରିକ୍ସାବାଲା ଆଜି ୮୦ ବର୍ଷ ବୟସରେ ମଧ୍ୟ ରିକ୍ସା ହିଁ ଟାଣୁଛନ୍ତି। ସରକାରୀ ଭତ୍ତା ଓ ରାସନ ପାଉଛନ୍ତି। ହେଲେ ତାଙ୍କ ପରିବାର ମୁଣ୍ଡ ଗୁଞ୍ଜିବାକୁ ଜାଗାଖଣ୍ଡେ ନାହିଁ। ଆଜି ବି ପାହାଡ଼ିଆ ଅଞ୍ଚଳରେ ଝାଟିମାଟି ଘରକରି ସେ ପରିବାର ସହିତ ରହୁଛନ୍ତି।
ପୁରାଣଯୁଗରେ ସେତୁବନ୍ଧ ନିର୍ମାଣରେ ସାମାନ୍ୟ ଅବଦାନ ପାଇଁ ଗୁଣ୍ଡୁଚିମୂଷାର କାହାଣୀ ଅମର ହୋଇଯିବା ପରି କୋଇଡ଼ା କଲେଜ ନିର୍ମାଣରେ ମାମାଙ୍କ ଅବଦାନ ବି ଏ ଅଞ୍ଚଳର ଲୋକଙ୍କ ପାଇଁ ଅଭୁଲା ହୋଇରହିବ।