ନୂଆଦିଲ୍ଲୀ: ଫେବ୍ରୁଆରି ୨୬,୨୦୧୯ରେ ଭାରତ କରିଥିବା ଏୟାରଷ୍ଟ୍ରାଇକରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିଲା। ପୂର୍ବରୁ ଏହି କଥାକୁ ଅସ୍ବୀକାର କରୁଥିବା ପାକିସ୍ତାନ ଏବେ ଏହାକୁ ସ୍ବୀକାର କରିଛି। ପାକ୍ ର କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସ୍ବୀକାର କରିଛନ୍ତି।
ଆଗା ହିଲୀ କହିଛନ୍ତି ଯେ, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏୟାରଷ୍ଟ୍ରାଇକ କରିଥିଲା, ଯେଉଁଥିରେ ଅତି କମରେ ୩୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଆମର ଲକ୍ଷ୍ୟ ସେମାନଙ୍କଠାରୁ ଭିନ୍ନ ଥିଲା | ଆମେ ସେମାନଙ୍କର ହାଇ କମାଣ୍ଡକୁ ଟାର୍ଗେଟ୍ କରିଛୁ | ଆଗକୁ ସେମାନେ ଆମକୁ ଯେଉଁଭଳି ଭାବରେ ଟାର୍ଗେଟ କରିବେ, ଆମେ ମଧ୍ୟ ତାଙ୍କୁ ସେମିତି ଟାର୍ଗେଟ କରିବୁ।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪,୨୦୧୯ରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଜୈସ-ଇ-ମହମ୍ମଦ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ବେଳେ ଏହାର ପ୍ରତିଶୋଧ ନେବାକୁ ଫେବ୍ରୁଆରି ୨୬,୨୦୧୯ରେ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା। ଏହି ଏୟାରଷ୍ଟ୍ରାଇକରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଭାରତ ଦାବି କରିଥିଲେ ମଧ୍ୟ ପାକିସ୍ତାନ ଭାରତର ଏଭଳି ଦାବିକୁ ଖଣ୍ଡନ କରିଥିଲା। ଭାରତ କରିଥିବା ଏୟାରଷ୍ଟ୍ରାଇକରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇନଥିବା ପାକ୍ ଦାବି କରିଥିବା ବେଳେ ଏବେ ପୂର୍ବତନ ପାକିସ୍ତାନୀ କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସ୍ବୀକାର କରିଛନ୍ତି।
ପୂର୍ବରୁ ଅନେକ ଟିଭି ବିତର୍କରେ ଭାଗ ନେଇ ଆଗା ହିଲୀ ୩୦୦ ଆତଙ୍କବାଦୀ ନିହତ ଖବରକୁ ଖାରଜ କରୁଥିବା ବେଳେ ଏବେ ସ୍ବୀକାର କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।